ARTICLE AD BOX
ନାଗପୁର: ସେବା କୌଣସି ବୃତ୍ତି ନୁହେଁ, ଏହା ସମାଜ ପ୍ରତି ଆମର ଏକ ଦାୟିତ୍ୱ। ଆମେ କେବଳ ଜୀବିକା ନିର୍ବାହ ପାଇଁ କାମ କରୁନାହୁଁ, ବରଂ ସମଗ୍ର ଜଗତର ସୁଚାରୁ ପରିଚାଳନା ଓ ମଙ୍ଗଳ ପାଇଁ କାମ କରିବା ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତ। ଶୁକ୍ରବାର ମହାରାଷ୍ଟ୍ରର ନାଗପୁରଠାରେ ସମର୍ପଣ ଫାଉଣ୍ଡେସନ୍ର ରଜତ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ‘ବିଦର୍ଭ ଗୌରବ’ ସମ୍ମାନ ପ୍ରଦାନ କରିବା ପରେ ସେ ଏହା କହିଥିଲେ। ଏହି ଅବସରରେ ସେ ଡାକ୍ତର ସଞ୍ଜୟ ପୈଠଣକରଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରିଥିଲେ।
ଭାଗବତ କହିଥିଲେ, ଦୟା ଓ ସମ୍ବେଦନଶୀଳତା ହେଉଛି ମାନବିକତା ତଥା ସମାଜର ମୂଳଦୁଆ। କୌଣସି ବ୍ୟକ୍ତିଙ୍କ ସହ ଆମର ବ୍ୟକ୍ତିଗତ ସମ୍ପର୍କ ଥାଉ ବା ନ ଥାଉ, ଯଦି କେହି ଦୁଃଖ ଓ କଷ୍ଟରେ ଅଛନ୍ତି, ତାଙ୍କ କଷ୍ଟ ଦୂର କରିବା ପାଇଁ ଆମ ସାମର୍ଥ୍ୟ ଅନୁସାରେ ଉଦ୍ୟମ କରିବା ଉଚିତ। ଏହା ହିଁ ପ୍ରକୃତ ମାନବିକତାର ପରିଚୟ। ସମାଜ କେବଳ ଆର୍ଥିକ ସମୃଦ୍ଧି ଉପରେ ନୁହେଁ, ବରଂ ପରସ୍ପର ପ୍ରତି ଥିବା ଦୟା, କରୁଣା ଓ ସମ୍ବେଦନଶୀଳତା ଉପରେ ତିଷ୍ଠି ରହିଥାଏ। ଏହି ଗୁଣଗୁଡ଼ିକ ବଞ୍ଚି ରହିଲେ ସମାଜ ଓ ମାନବିକତା ବଞ୍ଚି ରହିବ ବୋଲି ସେ କହିଥିଲେ।
ଆହୁରି ପଢନ୍ତୁ: Wife and Two Children Injured ଖଣ୍ଡା ଚୋଟରେ ପତ୍ନୀ, ପୁଅ ଆହତ, ଥାନାରେ ବାପାର ଆତ୍ମସମର୍ପଣ !
ସମାଜସେବା କରୁଥିବା ବ୍ୟକ୍ତିମାନେ ପୁରସ୍କାର ବା ପ୍ରଶଂସା ପାଇବା ଆଶାରେ କାମ କରିନଥାନ୍ତି। ତେଣୁ ପୁରସ୍କାର କାହାକୁ ସେବା ଆରମ୍ଭ କରିବା ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ ଦିଆଯାଏ ନାହିଁ। ବରଂ ତାଙ୍କ କାର୍ଯ୍ୟକୁ ସମ୍ମାନ ଦେବା ଏବଂ ଆଗକୁ ଏହା ଜାରି ରଖିବାକୁ ଉତ୍ସାହିତ କରିବା ପାଇଁ ପୁରସ୍କାର ଦିଆଯାଏ। ‘ପୁରସ୍କାର’ ଶବ୍ଦର ଅର୍ଥ ମଧ୍ୟ କୌଣସି କାର୍ଯ୍ୟକୁ ଆଗକୁ ବଢ଼ାଇବା ବୋଲି ସେ ବ୍ୟାଖ୍ୟା କରିଥିଲେ। ଧର୍ମର ମୂଳ ଆଧାର ସତ୍ୟ, କରୁଣା, ପବିତ୍ରତା ଓ ଆତ୍ମସଂଯମ। ମାନବିକତା ଓ ଭାଇଚାରା ହିଁ ଧର୍ମ ବୋଲି ସେ କହିଥିଲେ।

1 hour ago
1


