ARTICLE AD BOX
ଗୁଆହାଟୀ: ଆସାମର କାଜିରଙ୍ଗା ନିକଟସ୍ଥ ରଙ୍ଗାଜାନଠାରେ ଆଜି ଅପରାହ୍ଣରେ ଏକ ଟ୍ରକ୍ ଓ ମିନିବସ୍ ମଧ୍ୟରେ ମୁହାଁମୁହିଁ ଭୀଷଣ ଧକ୍କା ହେବା ଫଳରେ ଅତି କମରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ବୋକାଖାତରୁ ନଗାଁଓ ଅଭିମୁଖେ ଯାଉଥିବା ଏହି ମିନିବସ୍କୁ ଏକ କଣ୍ଟେନର ଟ୍ରକ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ଗୋଲାଘାଟ ଜିଲ୍ଲାର ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ କହିଛନ୍ତି ଯେ ଡାକ୍ତରମାନେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି ଏବଂ ମୃତକମାନଙ୍କ ପରିଚୟ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।
ଏହି ଧକ୍କା ଏତେ ଜୋରଦାର ଥିଲା ଯେ ମିନିବସ୍ଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି ଏବଂ ଅନେକ ଯାତ୍ରୀ କ୍ଷତିଗ୍ରସ୍ତ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ପୁଲିସ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ କୋହୋରା ମଡେଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଜାତୀୟ ଉଦ୍ୟାନ ନିକଟରେ ଲାଗୁ ହୋଇଥିବା ଗତି କଟକଣାକୁ ଉଲ୍ଲଂଘନ କରି ମିନିବସ୍ଟି ଅତ୍ୟଧିକ ବେଗରେ ଗତି କରୁଥିଲା। ମିନିବସ୍ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବା ଫଳରେ ଏହା କଣ୍ଟେନର ଟ୍ରକ୍ ସହ ପିଟି ହୋଇ ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ ଆଜି ସକାଳେ କାଜିରଙ୍ଗାରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ତାଙ୍କୁ ଗଭୀର ଭାବେ ବ୍ୟଥିତ କରିଛି ଏବଂ ଏହି କ୍ଷତି ସମସ୍ତଙ୍କୁ ଦୋହଲାଇ ଦେଇଛି। ଏହି ଦୁଃଖଦ ସମୟରେ ସମଗ୍ର ଆସାମ ପୀଡ଼ିତ ପରିବାର ସହ ଛିଡ଼ା ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆହତମାନଙ୍କୁ ତୁରନ୍ତ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ବର୍ତ୍ତମାନ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ଏହା ହୃଦୟବିଦାରକ ବୋଲି କହିଛନ୍ତି । ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

1 hour ago
1


