Modi: ନକ୍ସଲ ହିଂସାର ସର୍ବାଧିକ ଶିକାର ହୋଇଛନ୍ତି ଆଦିବାସୀ: ମୋଦୀ

20 minutes ago 1
ARTICLE AD BOX

ନୂଆଦିଲ୍ଲୀ: ନକ୍ସଲ ହିଂସାର ସର୍ବାଧିକ ଶିକାର ଆଦିବାସୀ ସମ୍ପ୍ରଦାୟ ହୋଇଛନ୍ତି। ନକ୍ସଲମାନେ ଆଦିବାସୀଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରିବା ସହ ସେମାନଙ୍କ ପିଲାମାନଙ୍କୁ ଜବରଦସ୍ତି ନେଇଯାଉଥିଲେ ଏବଂ ଯୁବତୀମାନଙ୍କୁ ଅପହରଣ କରୁଥିଲେ। ପୂର୍ବ ସରକାରଗୁଡ଼ିକ ଏସବୁ ଦେଖି ନିରବ ଦର୍ଶକ ସାଜିଥିଲେ ବୋଲି ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ପାଳିତ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମରେ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇ ମୋଦୀ ଏହା କହିଛନ୍ତି। ମହାରାଷ୍ଟ୍ରର ଗଡ଼ଚିରୋଲିଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୋଦୀ କହିଥିଲେ, ଆଦିବାସୀ ସମାଜ ସବୁବେଳେ ଅନ୍ୟାୟ ବିରୋଧରେ ଲଢ଼େଇ କରିଆସିଛି। କିନ୍ତୁ ନକ୍ସଲ ହିଂସା ଯୋଗୁଁ ଏହି ସମ୍ପ୍ରଦାୟର ଲୋକମାନେ ଦୀର୍ଘଦିନ ଧରି ଭୟ ଓ ଅବହେଳା ମଧ୍ୟରେ ଜୀବନ ବିତାଇଛନ୍ତି।

ଆଦିବାସୀ ଅଞ୍ଚଳର ବିକାଶ ପାଇଁ ତାଙ୍କ ସରକାର ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟବରାଦ କରିଥିବା ମୋଦୀ କହିଛନ୍ତି। ଦେଶର ୫୦ କୋଟି ଲୋକଙ୍କୁ ଅତି ଦାରିଦ୍ର୍ୟରୁ ମୁକ୍ତ କରିବା ସ୍ୱାଧୀନତା ପରଠାରୁ ଭାରତର ଅନ୍ୟତମ ବଡ଼ ସଫଳତା ବୋଲି ସେ ଦାବି କରିଥିଲେ। ଏହି ଅବସରରେ ମୋଟ ପ୍ରାୟ ୩ ହଜାର କୋଟି ଟଙ୍କାର ୨୪୬ଟି ବିକାଶ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରାଯାଇଥିଲା। ଏଥିମଧ୍ୟରୁ ୧୭୩ଟି ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବାବେଳେ ୭୩ଟିର ଶିଳାନ୍ୟାସ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଆଦିବାସୀ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା ଓ ମୌଳିକ ଭିତ୍ତିଭୂମିର ବିକାଶରେ ସହାୟକ ହେବ।

ଆହୁରି ପଢନ୍ତୁ: Cyclone Akban Preparedness: ସମ୍ଭାବ୍ୟ ବାତ୍ୟା ‘ଅକବାନ’ ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି, ୧୭ରୁ ଲୋକଙ୍କ ସ୍ଥାନାନ୍ତର ଯୋଜନା

ଉଦ୍‌ଘାଟିତ ପ୍ରକଳ୍ପ ମଧ୍ୟରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୩୮ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରହିଛି। ଏହାସହ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ (ପିଏମ୍‌-ଜନମନ୍‌) ଅଧୀନରେ ୧୦୦ଟି ବହୁମୁଖୀ କେନ୍ଦ୍ର ମଧ୍ୟ ଉଦ୍‌ଘାଟନ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକ ଆଦିବାସୀ ଅଞ୍ଚଳରେ ସରକାରୀ ସେବା ଓ ଗୋଷ୍ଠୀ କାର୍ଯ୍ୟକଳାପର କେନ୍ଦ୍ର ଭାବେ କାମ କରିବ। ଉଲ୍ଲେଖଯୋଗ୍ୟ, ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ପ୍ରତିବର୍ଷ ନଭେମ୍ବର ୧୫ରେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଏ। ଚଳିତବର୍ଷ ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ଦେଶବ୍ୟାପୀ ଜନଜାତୀୟ ଗୌରବ ପକ୍ଷ ପାଳନ କରାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.