ARTICLE AD BOX
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ହୋଇଥିବା ବୈଠକକୁ ‘ଅତ୍ୟନ୍ତ ଫଳପ୍ରଦ’ ବୋଲି କହିଛନ୍ତି। ଗୁରୁବାର ସକାଳେ ୱାସିଂଟନର ହ୍ୱାଇଟ୍ ହାଉସ୍ରେ ଦୁଇ ନେତାଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା। ତିନିଦିନିଆ ଆମେରିକା ଗସ୍ତରେ ଥିବା ଜିନପିଙ୍ଗଙ୍କ ସହ ଏହା ଛଅ ମାସରୁ କମ୍ ସମୟ ମଧ୍ୟରେ ଟ୍ରମ୍ପଙ୍କ ଦ୍ୱିତୀୟ ସାକ୍ଷାତ୍।
ବୈଠକ ପରେ ଟ୍ରମ୍ପ ସୋସିଆଲ୍ ମିଡିଆରେ ଲେଖିଛନ୍ତି ଯେ ଉଭୟ ଦେଶ ପାଇଁ ବୈଠକ ଅତ୍ୟନ୍ତ ଫଳପ୍ରଦ ଥିଲା ଏବଂ ଆଗକୁ ବଡ଼ ବଡ଼ ପରିବର୍ତ୍ତନ ହେବ। ସେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ)କୁ ‘ସୁପର ଇଣ୍ଟେଲିଜେନ୍ସ’ କହିବା ପ୍ରସଙ୍ଗରେ ଜିନପିଙ୍ଗ୍ ସମର୍ଥନ ଜଣାଇଥିବା ଟ୍ରମ୍ପ ଦାବି କରିଛନ୍ତି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ଜିନପିଙ୍ଗ୍ କହିଛନ୍ତି ଯେ ଏଆଇ କ୍ଷେତ୍ରରେ ଆମେରିକା ଓ ଚୀନ୍ ଉଭୟଙ୍କର ପାରଦର୍ଶିତା ରହିଛି। ଏହି କ୍ଷେତ୍ରରେ ପ୍ରତିଯୋଗିତା ଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ ଅଧିକ ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି। ଉଭୟ ପକ୍ଷ ପରସ୍ପରର ଶକ୍ତିର ଲାଭ ନେବା ଉଚିତ, ପରସ୍ପରକୁ ନେଇ ସନ୍ଦେହ କରିବା ଉଚିତ ନୁହେଁ ବୋଲି ଜିନପିଙ୍ଗ କହିଛନ୍ତି।
SCO Summit : ଏସସିଓ ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦୀ ସି ଜିନପିଙ୍ଗଙ୍କ ସହ କଲେ ଉଷ୍ମ ସାକ୍ଷାତ
ଏଆଇର ବିପଦ ଓ ଲାଭ ଉପରେ ଆଲୋଚନା ଜାରି ରଖିବା ସହ ଏହାର ଦୁରୁପଯୋଗ ରୋକିବା ପାଇଁ ଦୁଇ ଦେଶ ମିଳିତ ଭାବେ କାମ କରିବାକୁ ଜିନପିଙ୍ଗ ପ୍ରସ୍ତାବ ଦେଇଛନ୍ତି। ଏଆଇ ମାନବ ନିୟନ୍ତ୍ରଣରେ ରହିବା ଏବଂ ଏହାର ବିକାଶ ମାନବକଲ୍ୟାଣ ପାଇଁ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି। ଜିନପିଙ୍ଗଙ୍କ ଗସ୍ତ ଶେଷରେ ସେ ୱାସିଂଟନର ନ୍ୟାସନାଲ୍ ଆର୍କାଇଭ୍ସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଅଛି। ଏଠାରେ ଆମେରିକାର ସ୍ୱାଧୀନତା ଘୋଷଣାପତ୍ର, ସମ୍ବିଧାନ ଓ ଅନ୍ୟ ଐତିହାସିକ ଦଲିଲ ସଂରକ୍ଷିତ ରହିଛି। ଆମେରିକା ପ୍ରତିଷ୍ଠାର ୨୫୦ତମ ବର୍ଷ ପାଳନ କରୁଥିବା ବେଳେ ଟ୍ରମ୍ପ ଦୁଇ ଦେଶର ସମ୍ପର୍କ ସହ ଜଡ଼ିତ କିଛି ଐତିହାସିକ ସାମଗ୍ରୀ ମଧ୍ୟ ଜିନପିଙ୍ଗଙ୍କୁ ଦେଖାଇବାକୁ ଚାହୁଥିବା କହିଥିଲେ।

2 days ago
2


