Media workshop: ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅଖିଳ କୁମାର ମିଶ୍ର

1 hour ago 1
ARTICLE AD BOX

ସାଲେପୁର: ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁବନ୍ଧନ ଭାବେ ଗଣମାଧ୍ୟମର ଭୂମିକାକୁ ଆହୁରି ସୁଦୃଢ଼ କରିବା ଏବଂ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର ସଠିକ୍ ଓ ପ୍ରଭାବୀ ପ୍ରଚାର-ପ୍ରସାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଆଜି କଟକ ଜିଲ୍ଲାର ସାଲେପୁରଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା 'ବାର୍ତ୍ତାଳାପ’ ଆୟୋଜିତ ହୋଇଯାଇଛି। 

କର୍ମଶାଳାରେ ଅଧ୍ୟକ୍ଷତା କରି ପିଆଇବି ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ ଯେ, ବର୍ତ୍ତମାନର ସୂଚନା ଯୁଗରେ ପ୍ରଭାବୀ ଯୋଗାଯୋଗ ହେଉଛି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସର ସେତୁ। ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାକୁ ସ୍ପଷ୍ଟ, ବିଶ୍ୱସନୀୟ ଏବଂ ଦାୟିତ୍ୱବୋଧ ସହିତ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକମାନେ କେବଳ ସୂଚନାର ବାହକ ନୁହନ୍ତି, ବରଂ ସରକାର ଓ ସମାଜ ମଧ୍ୟରେ ଫଳପ୍ରଦ ସଂଳାପ ସୃଷ୍ଟି କରିବାର ଅନ୍ୟତମ ମାଧ୍ୟମ ବୋଲି ସେ କହିଥିଲେ। ଯୋଗାଯୋଗରେ ସ୍ପଷ୍ଟତା, ସମ୍ବେଦନଶୀଳତା ଏବଂ ସକ୍ରିୟ ସହଭାଗିତା ଆବଶ୍ୟକ ବୋଲି ଉଲ୍ଲେଖ କରି ସେ କହିଥିଲେ, ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସଠିକ୍ ସୂଚନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ଦିଗରେ ଗଣମାଧ୍ୟମର ଗଠନମୂଳକ ସହଯୋଗ ଅପରିହାର୍ଯ୍ୟ। 'ବାର୍ତ୍ତାଳାପ' ଭଳି କାର୍ଯ୍ୟକ୍ରମ ସରକାର ଓ ଗଣମାଧ୍ୟମ ମଧ୍ୟରେ ଫଳପ୍ରଦ ମତବିନିମୟର ସୁଯୋଗ ସୃଷ୍ଟି କରିବା ସହ ଜନସାଧାରଣଙ୍କ ନିକଟରେ ବିକାଶମୂଳକ ସୂଚନାକୁ ଅଧିକ ପ୍ରଭାବଶାଳୀ ଭାବେ ପହଞ୍ଚାଇବାରେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ଉମାକାନ୍ତ ସାହୁ ନିଜ ବକ୍ତବ୍ୟରେ ଆୟୁଷ୍ମାନ ଭାରତ ଅଭିଯାନ ମାଧ୍ୟମରେ ଦେଶରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରିଥିଲେ। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାଧ୍ୟମରେ ଦ୍ୱାରପ୍ରାନ୍ତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଅଣ-ସଂକ୍ରାମକ ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ପରିଚାଳନା, ତଥା ଇ-ସଞ୍ଜୀବନୀ ମାଧ୍ୟମରେ ଟେଲିମେଡିସିନ୍ ସେବାକୁ ଗ୍ରାମାଞ୍ଚଳରେ ସମ୍ପ୍ରସାରିତ କରାଯାଉଥିବା ସେ କହିଥିଲେ। ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଲଭ, ସୁଗମ ଓ ସର୍ବସମାବେଶୀ କରିବା ଦିଗରେ ଏହି ପଦକ୍ଷେପଗୁଡ଼ିକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସେ ଉଲ୍ଲେଖ କରିଥିଲେ।

ସାଲେପୁର ବ୍ଲକ କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ସେଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ, କୃଷକଙ୍କ ଆର୍ଥିକ ସଶକ୍ତୀକରଣ ଏବଂ କୃଷି କ୍ଷେତ୍ରରେ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ବିଭିନ୍ନ କୃଷକ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ), ଫାର୍ମର ରେଜିଷ୍ଟ୍ରି, ପରମ୍ପରାଗତ କୃଷି ବିକାଶ ଯୋଜନା (PKVY) ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ଆର୍ଥିକ ସହାୟତା, ବୈଷୟିକ ପରାମର୍ଶ ଓ ସ୍ଥାୟୀ କୃଷି ପଦ୍ଧତି ଆପଣାଇବାକୁ ପ୍ରୋତ୍ସାହିତ କରାଯାଉଛି। ପ୍ରାକୃତିକ କୃଷି, ସନ୍ତୁଳିତ ସାର ବ୍ୟବହାର ଏବଂ ମୃତ୍ତିକାର ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ କୃଷକମାନଙ୍କ ମଧ୍ୟରେ ନିୟମିତ ସଚେତନତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ସେ ସୂଚନା ଦେଇଥିଲେ।

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଦୁର୍ନୀତି: ଶ୍ରମିକଙ୍କୁ ମିଳୁନି ମଜୁରୀ, କାମ ନକରି ଉଠୁଛି ବିଲ୍‌

ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରର ଉପନିର୍ଦ୍ଦେଶକ ଡ. ଅଭିଷେକ ମିଶ୍ର ନିଜ ବକ୍ତବ୍ୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମହତ୍ୱାକାଙ୍କ୍ଷୀ ପଦକ୍ଷେପ 'ୱେଭ୍ସ' ସମ୍ପର୍କରେ ଆଲୋକପାତ କରିଥିଲେ। 'Create in India, Create for the World' ଆଭିମୁଖ୍ୟରେ ପରିଚାଳିତ ଏହି ପଦକ୍ଷେପ ଦେଶର ସୃଜନଶୀଳ ପ୍ରତିଭାମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ, ନବସୃଜନ, ଉଦ୍ୟୋଗ ଏବଂ ବଜାର ସହ ଯୋଡ଼ିବାର ଏକ ପ୍ରଭାବଶାଳୀ ପ୍ଲାଟଫର୍ମ ବୋଲି ସେ କହିଥିଲେ। ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ଏହି ସୁଯୋଗର ସଦୁପଯୋଗ କରିବା ସହ 'ୱେଭ୍ସ' ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ସକ୍ରିୟ ସହଯୋଗ ପାଇଁ ସେ ଆହ୍ୱାନ ଜଣାଇଥିଲେ।

ସାଲେପୁର ବ୍ଲକ୍‌ର ଅତିରିକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ଜ୍ୟୋତିର୍ମୟୀ ବେହେରା କହିଥିଲେ ଯେ, ଗଣମାଧ୍ୟମ ସରକାର ଓ ସାଧାରଣ ଲୋକଙ୍କ ମଧ୍ୟରେ ଏକ ପ୍ରଭାବଶାଳୀ ସେତୁ। ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ ପାଇଁ ସରକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଲୋକଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଦାୟିତ୍ୱବାନ ଓ ନିରପେକ୍ଷ ସାମ୍ବାଦିକତା ମାଧ୍ୟମରେ ସୁଶାସନକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ ଜଣାଇଥିଲେ।

IMG-20260805-WA0022

ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାସ, ବିଶିଷ୍ଟ ସାହିତ୍ୟିକ ଡ. ପୂର୍ଣ୍ଣ ଓଝା, ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ୍ ପ୍ରଫେସର ସଦାଶିବ ଦାସ ଏବଂ ପ୍ରଫେସର ତଥା ବିଶିଷ୍ଟ ସାହିତ୍ୟିକ ଡ. ତପନ ରଞ୍ଜନ ମହାନ୍ତି ନିଜ ନିଜ ବକ୍ତବ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା, ନିରପେକ୍ଷ ଓ ଦାୟିତ୍ୱବାନ ସାମ୍ବାଦିକତାର ଆବଶ୍ୟକତା ଏବଂ ଜନସ୍ୱାର୍ଥଭିତ୍ତିକ ସତ୍ୟ ଓ ତଥ୍ୟନିଷ୍ଠ ସମ୍ବାଦ ପରିବେଷଣର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। ସେମାନେ ଗଣମାଧ୍ୟମକୁ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରଭାବଶାଳୀ ସେତୁ ଭାବେ ବର୍ଣ୍ଣନା କରି ସୁଶାସନ, ଜବାବଦେହିତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ସୁଦୃଢ଼ କରିବାରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ତଥା ବାର୍ତ୍ତାଳାପର ନୋଡାଲ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବର୍ତ୍ତାଳାପର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେଉପସ୍ଥିତ ସାମ୍ବାଦିକମାନେ ସରକାରୀ ଯୋଜନାର ପ୍ରଚାର-ପ୍ରସାର, ସୂଚନାର ଆଦାନ-ପ୍ରଦାନ ଏବଂ ଗଣମାଧ୍ୟମ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ନିଜ ମତାମତ ଓ ପ୍ରଶ୍ନ ଉପସ୍ଥାପନ କରିଥିଲେ। ପ୍ରଶ୍ନୋତ୍ତର ଅଧିବେଶନରେ ବକ୍ତାମାନେ ସେଗୁଡ଼ିକର ବିସ୍ତୃତ ଉତ୍ତର ପ୍ରଦାନ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.