ARTICLE AD BOX
ପ୍ୟାରିସ୍:ଇରାନ ବିରୋଧରେ ଆଉ କୌଣସି ବଡ଼ ସାମରିକ ଅଭିଯାନର ଆବଶ୍ୟକତା ନାହିଁ ବୋଲି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି। ଆମେରିକା ପକ୍ଷରୁ ଲଗାଯାଇଥିବା ଆର୍ଥିକ କଟକଣା ଏବଂ ନିରନ୍ତର ଚାପ ଯୋଗୁଁ ଇରାନର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ଆଗାମୀ ମାସଗୁଡ଼ିକରେ ଏହା ଆହୁରି ତୀବ୍ର ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଫ୍ରାନ୍ସର ପ୍ୟାରିସଠାରେ ଆୟୋଜିତ ଜି-୭ ବୈଦେଶିକ ମନ୍ତ୍ରୀମାନଙ୍କ ସମ୍ମିଳନୀ ଅବସରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ରୁବିଓ କହିଛନ୍ତି ଯେ, ସାମୟିକ ଯୁଦ୍ଧବିରତି ସମୟରେ ଇରାନ ଯେଉଁ ସୀମିତ ପରିମାଣର କଞ୍ଚା ତେଲ ରପ୍ତାନି କରିବାରେ ସଫଳ ହୋଇଥିଲା, ତାହା ଶେଷ ହେବା ମାତ୍ରେ ଦେଶର ତୈଳ ରାଜସ୍ୱ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯିବ। ଆମେରିକା ଟ୍ରେଜେରୀ ବିଭାଗ ଏବଂ ଗୁପ୍ତଚର ସଂସ୍ଥାଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରି ଇରାନ କଟକଣା ଏଡ଼ାଇବା ପାଇଁ ଆପଣାଉଥିବା ସମସ୍ତ ବିକଳ୍ପ ରାସ୍ତାକୁ ବନ୍ଦ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
ଇରାନର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିବ
ଇରାନର ସମ୍ପ୍ରତି ସ୍ଥିତି ପାଇଁ ସେଠାକାର ଶାସକମାନଙ୍କୁ ଦାୟୀ କରି ରୁବିଓ କହିଛନ୍ତି ଯେ, ଏହି କଟକଣା ଯୋଗୁଁ ଇରାନ ଅତ୍ୟନ୍ତ କଠିନ ସ୍ଥିତି ଦେଇ ଗତି କରୁଛି। ଗୋଟିଏ, ଦୁଇଟି କିମ୍ବା ତିନୋଟି ମାସ ମଧ୍ୟରେ ଇରାନର ଆର୍ଥିକ ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିବ। ୱାଶିଂଟନ୍ କୂଟନୈତିକ ଆଲୋଚନା ପାଇଁ ସଦାସର୍ବଦା ପ୍ରସ୍ତୁତ ରହିଛି, ମାତ୍ର ଇରାନ ନିଜ ସର୍ତ୍ତଗୁଡ଼ିକୁ ନେଇ ଗମ୍ଭୀର ନୁହେଁ ବୋଲି ସେ ଆକ୍ଷେପ କରିଛନ୍ତି। ଇରାନ ପକ୍ଷରୁ କ୍ଷତିପୂରଣ ଦାବି କରାଯିବା ପ୍ରସଙ୍ଗକୁ ହାସ୍ୟାସ୍ପଦ ଦର୍ଶାଇ ରୁବିଓ କହିଛନ୍ତି ଯେ, ଦୀର୍ଘ ଦିନ ଧରି ମଧ୍ୟପ୍ରାଚ୍ୟରେ ଅସ୍ଥିରତା ସୃଷ୍ଟି କରିଥିବା କାରଣରୁ ଇରାନ ନିଜେ ଅନ୍ୟମାନଙ୍କୁ କ୍ଷତିପୂରଣ ଦେବା ଉଚିତ୍।

1 hour ago
1


