Birds Survival In Winter: ଶୀତରୁ ବଞ୍ଚିବା ପାଇଁ ପକ୍ଷୀଙ୍କ ଅଦ୍ଭୁତ କୌଶଳ, ବରଫ ତଳେ ନିଅନ୍ତି ଆଶ୍ରୟ

1 hour ago 2
ARTICLE AD BOX

ଓସ୍ଲୋ:  ଶୀତଦିନ ଆସିଲେ ମଣିଷ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଗରମ ପୋଷାକ, କମ୍ବଳ ଓ ହିଟରର ସାହାଯ୍ୟ ନେଇଥାଏ। କିନ୍ତୁ ପ୍ରକୃତି କୋଳରେ ରହୁଥିବା ପକ୍ଷୀ ଓ ଅନ୍ୟ ଜୀବଜନ୍ତୁମାନେ ପ୍ରବଳ ଥଣ୍ଡା ଏବଂ ବରଫପାତ ମଧ୍ୟରେ କିପରି ନିଜକୁ ବଞ୍ଚାଇ ରଖନ୍ତି, ତାହା ଆଶ୍ଚର୍ଯ୍ୟଜନକ। ବିଶେଷକରି ନରୱେ ଭଳି ଦେଶରେ ଦୀର୍ଘ ଓ ହାଡ଼ଭଙ୍ଗା ଶୀତ ରାତିରୁ ବଞ୍ଚିବା ପାଇଁ ପକ୍ଷୀମାନେ ବିଭିନ୍ନ ପ୍ରାକୃତିକ କୌଶଳ ଆପଣାଇଥାନ୍ତି। ନରୱେଜିଆନ୍ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଏନ୍ଟିଏନ୍ୟୁ)ର ଜୀବବିଜ୍ଞାନୀଙ୍କ ଅନୁସାରେ, ଏହି କୌଶଳଗୁଡ଼ିକ ହିଁ ସେମାନଙ୍କୁ ଅତ୍ୟଧିକ ଥଣ୍ଡାରେ ବଞ୍ଚିବାରେ ସହାୟକ ହୋଇଥାଏ।

ଶୀତଦିନେ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବା ଏକ ବଡ଼ ଆହ୍ୱାନ। ଦିନର ଅବଧି କମ୍ ଥିବାରୁ ସେମାନଙ୍କୁ ସ୍ୱଳ୍ପ ସମୟ ମଧ୍ୟରେ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଡ଼ କରିବାକୁ ପଡ଼େ। କାରଣ ରାତିରେ ଶରୀରର ତାପମାତ୍ରା ବଜାୟ ରଖିବାକୁ ଅଧିକ ଶକ୍ତି ଆବଶ୍ୟକ ହୁଏ। ଛୋଟ ପକ୍ଷୀମାନେ ନିଜ ଶରୀରର ଆକାର ତୁଳନାରେ ଅଧିକ ତାପ ହରାଉଥିବାରୁ ସେମାନଙ୍କ ପାଇଁ ଥଣ୍ଡାର ମୁକାବିଲା କରିବା ଆହୁରି କଷ୍ଟକର।

ବରଫ ତଳେ ତିଆରି କରନ୍ତି ଆଶ୍ରୟ 
ଅତ୍ୟଧିକ ଥଣ୍ଡାରୁ ବଞ୍ଚିବା ପାଇଁ କିଛି ପକ୍ଷୀ ବରଫକୁ ହିଁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରନ୍ତି। ନରୱେରେ ଦେଖାଯାଉଥିବା ହେଜେଲ୍ ଗ୍ରାଉସ୍ ଭଳି ପକ୍ଷୀ ଅତ୍ୟଧିକ ଥଣ୍ଡା ସମୟରେ ବରଫ ଭିତରକୁ ପଶିଯାଆନ୍ତି। ସେହିପରି ମିଲି ରେଡପୋଲ୍ ନାମକ ଛୋଟ ପକ୍ଷୀ ବରଫ ତଳେ ସୁଡ଼ଙ୍ଗ ଖୋଳି ରାତି ବିତାଇଥାଏ। ଏହି ସୁଡ଼ଙ୍ଗ ଭିତରେ ତାପମାତ୍ରା ତୁଳନାତ୍ମକ ଭାବେ ସ୍ଥିର ରହୁଥିବାରୁ ଥଣ୍ଡା ପବନରୁ ସେମାନେ ସୁରକ୍ଷା ପାଆନ୍ତି। ଛୋଟ ମୂଷା ଓ କ୍ଷେତ ମୂଷା ମଧ୍ୟ ବରଫ ତଳେ ଥିବା ବାୟୁପୂର୍ଣ୍ଣ ସ୍ଥାନରେ ରହିଥାନ୍ତି। ଏହିପରି ବରଫ ଏକ ପ୍ରାକୃତିକ ଇନ୍ସୁଲେଟର ଭାବେ କାମ କରେ।

ଏକାଠି ରହି ବଞ୍ଚାନ୍ତି ଶରୀରର ଉତ୍ତାପ 
କିଛି ପକ୍ଷୀ ଶୀତ ରାତିରେ ଏକାଠି ରହିବାକୁ ପସନ୍ଦ କରନ୍ତି। ୟୁରେସିଆନ୍ ରେନ୍ ପକ୍ଷୀ ଅନ୍ୟ ପକ୍ଷୀଙ୍କ ସହ ଦଳବଦ୍ଧ ଭାବେ ରହି ଶରୀରର ଉତ୍ତାପ ବାଣ୍ଟି ନିଅନ୍ତି। ଇଂଲଣ୍ଡରେ ଏକାଠି ୬୦ଟି ପର୍ଯ୍ୟନ୍ତ ରେନ୍ ପକ୍ଷୀ ରହୁଥିବାର ଦେଖାଯାଇଛି। ଏହାଦ୍ୱାରା ଥଣ୍ଡା ପବନର ପ୍ରଭାବ କମିବା ସହ ଶରୀରର ତାପ ସଂରକ୍ଷିତ ରହିଥାଏ।

ମେଟାବୋଲିଜିମ୍ କମାଇ ସଞ୍ଚୟ କରନ୍ତି ଶକ୍ତି 
କେତେକ ପକ୍ଷୀ ଶୀତ ରାତିରେ ନିଜ ଶରୀରର ମେଟାବୋଲିଜିମ୍ ବା ଚୟାପଚୟ ପ୍ରକ୍ରିୟାକୁ ଧୀର କରିଦିଅନ୍ତି। ଫଳରେ ଶରୀରର ଆଭ୍ୟନ୍ତରୀଣ ତାପମାତ୍ରା କମିବା ସହ ଶକ୍ତି ଖର୍ଚ୍ଚ ମଧ୍ୟ ହ୍ରାସ ପାଏ। ଉଦାହରଣ ସ୍ୱରୂପ, ୱିଲୋ ଟିଟ୍ ପକ୍ଷୀ ଅତ୍ୟଧିକ ଥଣ୍ଡା ରାତିରେ ନିଜ ଶରୀରର ତାପମାତ୍ରା ୪୧ ଡିଗ୍ରୀ ସେଲ୍ସିୟସ୍ରୁ ପ୍ରାୟ ୩୧ ଡିଗ୍ରୀକୁ ହ୍ରାସ କରିପାରେ। ତେବେ ଶରୀରର ତାପମାତ୍ରା ଅତ୍ୟଧିକ କମିଗଲେ ସେମାନେ ଥରିବା ଆରମ୍ଭ କରନ୍ତି। ଏହାଦ୍ୱାରା ମାଂସପେଶୀରେ ଉତ୍ତାପ ସୃଷ୍ଟି ହୋଇ ଶରୀରର ତାପମାତ୍ରା ନିୟନ୍ତ୍ରିତ ରହେ।

Lowest temperature in space: ମହାକାଶରେ ସର୍ବନିମ୍ନ ତାପମାତ୍ରା

ଅନ୍ୟପକ୍ଷରେ, ବାଦୁଡ଼ି, ହେଜହଗ୍ ଓ କିଛି ମୂଷା ଶୀତନିଦ୍ରାରେ ରହି ଦୀର୍ଘ ଶୀତ ଋତୁକୁ ଅତିକ୍ରମ କରନ୍ତି। ଭାଲୁ ମଧ୍ୟ ଦୀର୍ଘ ସମୟ ନିଷ୍କ୍ରିୟ ଅବସ୍ଥାରେ ରହିଥାଏ। ଏଭଳି ଭିନ୍ନ ଭିନ୍ନ ଅନୁକୂଳନ ପ୍ରକୃତିର ଅଦ୍ଭୁତ ଜୀବନ ରକ୍ଷା କୌଶଳକୁ ଦର୍ଶାଏ। ମଣିଷ ପାଇଁ ମଧ୍ୟ ଏଥିରୁ ଏକ ଶିକ୍ଷା ମିଳେ ଯେ, ପ୍ରକୃତିର ପ୍ରତ୍ୟେକ ଜୀବ ପରିବେଶ ସହ ଖାପ ଖୁଆଇ ବଞ୍ଚିବାର ଅନନ୍ୟ କ୍ଷମତା ରଖିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.