BJP: ୟୁପି ନିର୍ବାଚନ ୨୦୨୭: ୫୦ରୁ ଅଧିକ ଆସନରେ ବଦଳିପାରନ୍ତି ବିଜେପି ପ୍ରାର୍ଥୀ, ନୂଆ ଚେହେରା ଖୋଜୁଛି ଦଳ

1 hour ago 1
ARTICLE AD BOX

ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇବିଜେପି ଏବେଠାରୁ ପ୍ରାର୍ଥୀ ଚୟନ ଓ ନୂଆ ଚେହେରାଙ୍କ ସନ୍ଧାନ ଆରମ୍ଭ କରିଦେଇଛି। ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ଦଳ ବର୍ତ୍ତମାନର ବିଧାୟକମାନଙ୍କ ଲୋକପ୍ରିୟତା, ସଂଗଠନରେ ସେମାନଙ୍କ ପ୍ରଭାବ ଏବଂ ନିଜ ନିର୍ବାଚନମଣ୍ଡଳୀରେ ସକ୍ରିୟତାର ଆକଳନ କରୁଛି। ପ୍ରାରମ୍ଭିକ ଆଲୋଚନା ଅନୁଯାୟୀ, ପ୍ରାୟ ୫୦ରୁ ଅଧିକ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଦଳ ପ୍ରସ୍ତୁତି କରିପାରେ। ଯଦି ଏପରି ହୁଏ, ତେବେ ଅନେକ ବର୍ତ୍ତମାନର ବିଧାୟକଙ୍କୁ ନିର୍ବାଚନ ପୂର୍ବରୁ ବଡ଼ ଝଟ୍‌କା ଲାଗିପାରେ।

ଟିକେଟ୍ ପାଇଁ ଦେବାକୁ ପଡ଼ିବ କାର୍ଯ୍ୟଦକ୍ଷତାର ହିସାବ

ବିଜେପି ସଂଗଠନ ପକ୍ଷରୁ ବର୍ତ୍ତମାନର ବିଧାୟକଙ୍କ ସହ ୨୦୨୨ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନେତାମାନଙ୍କର ମଧ୍ୟ ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯାଉଛି। ଏଥିରେ ନିଜ ଅଞ୍ଚଳରେ ସେମାନଙ୍କ ସକ୍ରିୟତା, ଜନସାଧାରଣଙ୍କ ସହ ସମ୍ପର୍କ, ଦଳୀୟ କର୍ମୀଙ୍କ ପ୍ରତି ବ୍ୟବହାର ଏବଂ ନିର୍ବାଚନ ଜିତିବାର ସମ୍ଭାବନାକୁ ପ୍ରମୁଖ ଆଧାର ଭାବେ ନିଆଯାଉଛି। ବୁଥ୍ ସ୍ତରରୁ ଆରମ୍ଭ କରି ମଣ୍ଡଳ ଓ ଜିଲ୍ଲା ସଂଗଠନ ପର୍ଯ୍ୟନ୍ତ ସମସ୍ତଙ୍କ ମତାମତ ସଂଗ୍ରହ କରାଯାଉଛି। ଏହାବ୍ୟତୀତ ବିଭିନ୍ନ ସ୍ତରରେ କରାଯାଇଥିବା ସର୍ଭେକୁ ମଧ୍ୟ ଟିକେଟ୍ ବଣ୍ଟନ ରଣନୀତିରେ ସାମିଲ କରାଯାଇପାରେ।

୪୦ରୁ ୫୦ ବିଧାୟକଙ୍କ ଟିକେଟ୍ ଉପରେ ଝୁଲୁଛି ଖଣ୍ଡା

ରାଜନୈତିକ ମହଲରେ ଚାଲିଥିବା ଆଲୋଚନା ଅନୁଯାୟୀ, ଯେଉଁ ବିଧାୟକଙ୍କ ପ୍ରଦର୍ଶନ ଦୁର୍ବଳ ରହିଛି, ସେମାନଙ୍କ ଟିକେଟ୍ ଉପରେ ପ୍ରଥମେ ବିଚାର କରାଯାଇପାରେ। ନିର୍ବାଚନ ଜିତିବା ପରେ ନିଜ ଅଞ୍ଚଳରେ ଆଶାନୁରୂପ ସକ୍ରିୟତା ଦେଖାଇ ନଥିବା ଜନପ୍ରତିନିଧିମାନେ ମଧ୍ୟ ଦଳର ନଜରରେ ଅଛନ୍ତି। ଜନସାଧାରଣ ଓ ସ୍ଥାନୀୟ ଦଳୀୟ କର୍ମୀଙ୍କ ଅସନ୍ତୋଷ, ନିଜ ଅଞ୍ଚଳରେ ପ୍ରଭାବ ହ୍ରାସ ଏବଂ ଖରାପ ଭାବମୂର୍ତ୍ତିକୁ ଟିକେଟ୍ କଟିବାର ପ୍ରମୁଖ କାରଣ ଭାବେ ବିବେଚନା କରାଯାଉଛି। ବୟସ ଏବଂ କ୍ରମାଗତ ଦୁର୍ବଳ ପ୍ରଦର୍ଶନ ମଧ୍ୟ କିଛି ନେତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।
ପରାଜିତ ପ୍ରାର୍ଥୀଙ୍କୁ ମଧ୍ୟ ମିଳିବନି ପୁରୁଣା ଗ୍ୟାରେଣ୍ଟି
ବିଜେପି କେବଳ ବର୍ତ୍ତମାନର ବିଧାୟକଙ୍କ ଟିକେଟ୍ ପରିବର୍ତ୍ତନ କରିବାକୁ ବିଚାର କରୁନାହିଁ, ବରଂ ପୂର୍ବ ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ଥୀଙ୍କ ଦାବିଦାରୀକୁ ମଧ୍ୟ ନୂଆ କରି ଯାଞ୍ଚ କରାଯାଉଛି। ଆଲୋଚନା ହେଉଛି ଯେ, ୨୦୨୨ରେ ପରାଜିତ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ରୁ ୪୦ ପ୍ରତିଶତଙ୍କୁ ପରିବର୍ତ୍ତନ କରାଯାଇପାରେ। ଦଳ ଏଭଳି ନୂଆ ଚେହେରାଙ୍କୁ ପ୍ରାଥମିକତା ଦେବାକୁ ଚାହୁଁଛି, ଯେଉଁମାନଙ୍କର ଦୃଢ଼ ଜନସମର୍ଥନ ଥିବା ସହ ସଂଗଠନ ସହ ଉତ୍ତମ ସମନ୍ୱୟ ରଖି ନିର୍ବାଚନ ଲଢ଼ିବାର ଦକ୍ଷତା ରହିଛି।

ସାମାଜିକ ସମୀକରଣ ସହ ବିଜୟର ଫର୍ମୁଲା

ଏଥର ବିଜେପି ସମ୍ମୁଖରେ ପୁଣିଥରେ କ୍ଷମତାକୁ ଫେରିବାର ଯୋଜନା ରହିଛି। ଏଭଳି ସ୍ଥିତିରେ ଦଳ ଜାତିଗତ ଓ ଆଞ୍ଚଳିକ ସମୀକରଣକୁ ସନ୍ତୁଳିତ ରଖିବା ସହ ନିଜ ଅଞ୍ଚଳରେ ଗ୍ରହଣୀୟତା ଥିବା ପ୍ରାର୍ଥୀଙ୍କ ଉପରେ ଭରସା କରିବାକୁ ରଣନୀତି ପ୍ରସ୍ତୁତ କରୁଛି। ସଂଗଠନର ଅସନ୍ତୋଷ ଏବଂ ଜନସାଧାରଣଙ୍କ ମଧ୍ୟରେ ଦୁର୍ବଳ ଭାବମୂର୍ତ୍ତି ଥିବା ନେତାଙ୍କୁ ପୁଣିଥରେ ସୁଯୋଗ ମିଳିବାର ସମ୍ଭାବନା କମ୍ ବୋଲି ଆଲୋଚନା ହେଉଛି। ନୂଆ ଚେହେରାଙ୍କୁ ଆଗକୁ ଆଣି ସରକାର ବିରୋଧୀ ଜନମତ ବା ଆଣ୍ଟି-ଇନ୍‌କମ୍ବେନ୍ସିର ପ୍ରଭାବ କମାଇବାକୁ ମଧ୍ୟ ଦଳ ଯୋଜନା କରିପାରେ।

Bus Accident: ଝାରପୋଖରିଆରେ ଓଲଟିଲା ଦିଲ୍ଲୀ ଯାଉଥିବା ‘ଶ୍ୟାମଳୀ’ ବସ୍: ୨ ଗୁରୁତର, ୧୫ ଆହତ

ଗତ ବିଧାନସଭା ନିର୍ବାଚନରେ ବିଜେପି ୩୭୬ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୨୫୫ଟି ଆସନରେ ବିଜୟୀ ହୋଇଥିଲା। ସେହିପରି ସହଯୋଗୀ ଦଳ ଆପ୍‌ନା ଦଳ (ଏସ୍‌) ଓ ନିଷାଦ ପାର୍ଟି ମଧ୍ୟ କିଛି ଆସନରେ ବିଜୟ ହାସଲ କରିଥିଲେ। ଏବେ ଆଗାମୀ ନିର୍ବାଚନ ପାଇଁ ଦଳ ଗତ ନିର୍ବାଚନର ପ୍ରଦର୍ଶନର ସମୀକ୍ଷା କରୁଛି। ଯେଉଁ ଅଞ୍ଚଳରେ ବିଜୟ ବ୍ୟବଧାନ କମ୍ ରହିଥିଲା କିମ୍ବା ସଂଗଠନର ଦୁର୍ବଳତା ସାମ୍ନାକୁ ଆସିଥିଲା, ସେଠାରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇପାରେ।

ନିର୍ବାଚନୀ ଗତିବିଧି ଜୋରଦାର କରିବାକୁ ପ୍ରସ୍ତୁତି

ପ୍ରାର୍ଥୀ ଚୟନ ସହିତ ରାଲି, ଜନସଭା, ସାଂଗଠନିକ ବୈଠକ ଏବଂ ଆଞ୍ଚଳିକ ସମ୍ମିଳନୀ ଜରିଆରେ ନିର୍ବାଚନୀ ମାହୋଲ୍ ପ୍ରସ୍ତୁତ କରିବାକୁ ମଧ୍ୟ ଦଳ ଯୋଜନା ଆରମ୍ଭ କରିଛି। ଟିକେଟ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅନେକ ବର୍ତ୍ତମାନର ବିଧାୟକ ଦଳର ବରିଷ୍ଠ ନେତାଙ୍କ ସହ ଯୋଗାଯୋଗ ବଢ଼ାଉଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀଙ୍କ ଟିକେଟ୍ କାଟିବା କିମ୍ବା ନୂଆ ଚେହେରାଙ୍କୁ ସୁଯୋଗ ଦେବା ନେଇ ଆନୁଷ୍ଠାନିକ ନିଷ୍ପତ୍ତି ସାମ୍ନାକୁ ଆସିନାହିଁ। ସର୍ଭେ ରିପୋର୍ଟ, ସଂଗଠନର ମତାମତ ଏବଂ କେନ୍ଦ୍ରୀୟ ନେତୃତ୍ୱଙ୍କ ଆଲୋଚନା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.