ARTICLE AD BOX
ଭୋପାଳ: ସର୍ବାଧିକ ବାଘ ଓ କଳାପାତିଆ ବାଘଙ୍କ ଆବାସସ୍ଥଳୀ ଭାବେ ''ଟାଇଗର ଷ୍ଟେଟ୍''ର ସୁଖ୍ୟାତି ପାଇଥିବା ମଧ୍ୟପ୍ରଦେଶରେ ଏବେ ଏକ ସଙ୍କଟ ସାମ୍ନାକୁ ଆସିଛି। ୨୦୨୬ ମସିହାର ପ୍ରଥମ ୮ ମାସ ମଧ୍ୟରେ ରାଜ୍ୟରେ ବନ୍ୟପ୍ରାଣୀ ଆକ୍ରମଣ ଯୋଗୁଁ ଅନ୍ତତଃ ୫୦ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ, ପ୍ରାୟ ସମାନ ସମୟ ମଧ୍ୟରେ ୪୫ରୁ ଅଧିକ ବାଘଙ୍କର ମଧ୍ୟ ଜୀବନ ଯାଇଛି। ମଧ୍ୟପ୍ରଦେଶ ବନ ବିଭାଗର ସଦ୍ୟତମ ତଥ୍ୟ ଅନୁଯାୟୀ, ବାଘ ଆକ୍ରମଣ ଯୋଗୁଁ ସବାଧିକ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ବାରାହା ଆକ୍ରମଣରେ ୮, ହାତୀ ଆକ୍ରମଣରେ ୭, ଭାଲୁ ଆକ୍ରମଣରେ ୪ ଏବଂ କଳାପାତିଆ ବାଘ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୬ ଜଣ ମହିଳା ଓ ବାଳିକା ରହିଛନ୍ତି।
ମେ’ ମାସରେ ୧୦ ଜଣଙ୍କ ଜୀବନ ଯାଇଛି
ବନ ବିଭାଗର ତଥ୍ୟ ଅନୁଯାୟୀ, ୫୦ଟି ମୃତ୍ୟୁ ମଧ୍ୟରୁ ୩୦ଟି ଘଟଣା କେବଳ ମାର୍ଚ୍ଚ, ଏପ୍ରିଲ୍ ଓ ମେ’ ଏହି ତିନି ମାସ ମଧ୍ୟରେ ଘଟିଛି। ମାର୍ଚ୍ଚରେ ୭, ଏପ୍ରିଲରେ ୧୩ ଏବଂ ମେ’ ମାସରେ ୧୦ ଜଣଙ୍କ ଜୀବନ ଯାଇଛି। ଏହି ସମୟରେ ବିଶେଷକରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ କେନ୍ଦୁ ପତ୍ର ଓ ମହୁଲ ଫୁଲ ସଂଗ୍ରହ ପାଇଁ ଜଙ୍ଗଲ ଭିତରକୁ ଯାଉଥିବାରୁ ବନ୍ୟଜନ୍ତୁଙ୍କ ସହ ସେମାନଙ୍କର ମୁହାଁମୁହିଁ ହେବାର ସମ୍ଭାବନା ବୃଦ୍ଧି ପାଉଛି। ବାଘ ଆକ୍ରମଣରେ ମୃତ ୨୨ ଜଣଙ୍କ ମଧ୍ୟରୁ ୧୪ ଜଣ ସିଓନି ଏବଂ ଏହାର ଆଖପାଖ ମହାକୋଶଳ ଅଞ୍ଚଳର ହୋଇଥିବା ବେଳେ ୭ ଜଣ ବାନ୍ଧବଗଡ଼ ଟାଇଗର ରିଜର୍ଭ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳର ଅଟନ୍ତି।ରାଜ୍ୟରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ସେମାନଙ୍କ ପାଇଁ ଜଙ୍ଗଲ ଓ ନିଜସ୍ୱ ସୀମା (ଟେରିଟୋରୀ) କମିବାରେ ଲାଗିଛି।
Hormuz Crisis: ହର୍ମୁଜ୍ ସଙ୍କଟ ମଧ୍ୟରେ ହଠାତ୍ ହଟ୍ ଲାଇନରେ ଆଲୋଚନା କଲେ ଇରାନ ଏବଂ ଜର୍ମାନୀ
୨୦୨୨ ଗଣନା ଅନୁଯାୟୀ ରାଜ୍ୟରେ ବାଘ ସଂଖ୍ୟା ୭୮୫ ଥିବା ବେଳେ ବର୍ତ୍ତମାନ ଏହା ପ୍ରାୟ ୧,୦୦୦ରେ ପହଞ୍ଚିଥିବା ଅନୁମାନ କରାଯାଉଛି। ମାତ୍ର ରାଜ୍ୟର ୯ଟି ଟାଇଗର ରିଜର୍ଭର ମୋଟ ଆୟତନ ପ୍ରାୟ ୧୬,୨୩୩ ବର୍ଗ କିଲୋମିଟରରେ ସୀମିତ। ସୀମା ସଙ୍କୋଚନ, ଶିକାର, ବିଦ୍ୟୁତ ଆଘାତ, ସଡ଼କ ଦୁର୍ଘଟଣା ଏବଂ ବିଷକ୍ରିୟା ଯୋଗୁଁ ଚଳିତ ବର୍ଷ ୪୫ରୁ ଅଧିକ ବାଘଙ୍କର ମଧ୍ୟ ମୃତ୍ୟୁ ଘଟିଛି। କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଏହି ମାନବ-ବନ୍ୟଜନ୍ତୁ ସଂଘର୍ଷ ଏବେ ସଂରକ୍ଷଣ ନୀତି ଓ ନିରାପତ୍ତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

1 hour ago
1


