Literature: କବିତା ‘ଭଡ଼ାଟିଆ’: କବୀ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସଙ୍କ କଲମରୁ ନିଃସୃତ....

25 minutes ago 1
ARTICLE AD BOX

ଭଡ଼ାଟିଆ

ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ

ପୁରୁଣା ହେଲେ 
ବଦଳେଇ ଦେବାକୁ ହୁଏ 
ଡ୍ରଇଂରୁମ୍‌ର ଚିତ୍ର 
ବେଡ୍‌ରୁମ୍‌ର ରଙ୍ଗ 
ଏମିତିକି ଏକଦମ ଏକ 
ଅଜଣା ସହରରେ ବର୍ଷ ବର୍ଷ ଧରି 
ଖରା, କାକରକୁ ଆଶ୍ୱାସନାର 
ଛାତଟେ ଯାଚିଦେଇଥିବା ଘରଟାକୁ ବି!

ମଧ୍ୟବିତ୍ତର କାହାଣୀ 
ଖଟିଖିଆର ଦଇନି
ବାପାଙ୍କ ପ୍ରିୟ ଭଙ୍ଗା କାଠଚୌକି 
ବୋଉର ହାତବାରିସି ଦାଢୁଆ ପନିକି 
ମୋର କେତେ ଉଷୁମ ଲୁହରେ
ଭିଜିଥିବା ରାତି

ଆହୁରି ପଢ଼ନ୍ତୁ- Wedding: କୋଟି କୋଟି ଟଙ୍କାର ସୁନା, ନଗଦରେ ବିବାହ: ଭାଇରାଲ୍‌ ଭିଡିଓ ପରେ ବର ଗିରଫ

ଆଉ 
ଚତୁର୍ଦ୍ଦଶୀ ଜହ୍ନକୁ ଭୋର ପ୍ରାର୍ଥନାରେ ମାଗିଥିବା 
ମୋ ସୁଖଦୁଃଖର ସାଥୀ!
ସମସ୍ତଙ୍କୁ ଦିନେ ଟ୍ରକରେ ଲଦିହେଇ ଯିବାକୁ ହେବ,
ନୂଆ ରଙ୍ଗ ସହ 
ନୂଆ ଆଶା ନେଇ 
ନୂଆ ଫୁଲରୁ ବାସ୍ନା ଟିକକ ସାଉଁଟିଲା ବେଳେ 
ଭୁଲିବାକୁ ହେବ ବାସିଦିନର ମହକ!

ସେତେବେଳେ ହୁଏତ ଉତ୍ତରାକାଶରେ ନଥିବେ ଧ୍ରୁବତାରା,
ମନ୍ଦିରରେ ଶୁଭୁନଥିବ ଘଣ୍ଟ କି ହୁଳହୁଳି 
ନା ଆହାଃ ପଦଟେ କେହି ଯାଚିଦେବ ସମ୍ପର୍କର ଦ୍ୱାହି ଦେଇ,
ସାରୁପତ୍ରରେ ଢଳଢଳ ସ୍ବପ୍ନ 
ଏଇ ଅଛି ପୁଣି ଏଇ ନାହିଁ!
 
କଥା ଦଉଛୁ 
ପୁଣିଥରେ ରକ୍ତକୁ ପାଣି କରି 
ଆମେ ଖଞ୍ଜିବୁ ପଥରରେ ପ୍ରାଣ,
ଘରକରଣାରେ ଭରିବୁ ପ୍ରେମ 
ବିଶ୍ୱାସରେ ବୁଣିବୁ କାଠିକୁଟାର ବସା 
ଝଡ଼ ପାଇଁ ପତେଇଥିବୁ ପିଠି 
କିଛି ନିଜର ନୁହେଁ ଏଠି,
ଜାଣିବି!

ଆହୁରି ପଢ଼ନ୍ତୁ- Hospital: ଛତ୍ରପୁର ହସ୍ପିଟାଲର ଡାକ୍ତର ସଙ୍କଟ ନେଇ କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଏସବୁ ପରେ ବି ବଦଳିବନି କିଛି,
ଜାଣିଛି 
ସମୟ ସୁଅରେ ହୁଏତ ପୁଣିଥରେ ଶଙ୍ଖୋଳିବାକୁ ହେବ
ଲୁହର ଅତିଥି 
ଯେମିତି ଠିକଣାହୀନ ଆକାଶରେ ଦଳେ ପକ୍ଷୀ 
ସେମିତି ଭଡ଼ାଟିଆଟେ ଠିଆ ମୁଁ 
ଜୀବନ ଦାଣ୍ଡରେ, 
ନିଜର ବୋଲି ନାହିଁ ମୋର କିଛି! 

ସହଦେବଖୁଣ୍ଟା, ବାଲେଶ୍ୱର

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.