ARTICLE AD BOX
କଟକ: ପେସାରେ ଲାଇବ୍ରେରିଆନ୍। ନିଶା କିନ୍ତୁ ଚିତ୍ର ଆଙ୍କିବା। ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ଚିତ୍ର ଆଙ୍କି ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟୁଛନ୍ତି ମେଘନା ପ୍ରିୟଦର୍ଶିନୀ ପାଣି। ଗତ ୩ ବର୍ଷ ହେଲା କଟକ ସହରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ଦୁର୍ଗାଙ୍କ ମୂର୍ତ୍ତିକୁ କାନ୍ଭାସ୍ରେ ତୋଳି ଧରୁଛନ୍ତି। ସିଡିଏ ସେକ୍ଟର୍-୧୩ ଅଞ୍ଚଳରେ ରହୁଥିବା ମେଘନାଙ୍କ ଛୋଟ ବେଳୁ ଚିତ୍ରକଳା ପ୍ରତି ଆଗ୍ରହ ଥିଲା। ସ୍ନାତକ ଶେଷ ହେବା ପରେ କେଏମ୍ସି ଅଧୀନରେ ଲାଇବ୍ରେରିଆନ୍ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହା ମଧ୍ୟରେ ତାଙ୍କ ମଧ୍ୟରେ ଚିତ୍ରକଳା ପ୍ରତି ଥିବା ଦୁର୍ବଳତା ପୁଣି ଉଜ୍ଜୀବିତ ହେଲା।
ବୃତ୍ତିଗତ କାର୍ଯ୍ୟ ଶେଷ ହେବା ପରେ ସେ କଳା ସାଧନା କରିବାରେ ଲାଗି ପଡିଲେ। ୨୦୨୪ରୁ ପେନ୍ସିଲ୍ ସ୍କେଚ୍ କରିବା ଆରମ୍ଭ କରିଲେ। ପରେ ରଙ୍ଗ ତୂଳୀରେ ଚିତ୍ର କରିବା ଆରମ୍ଭ କରିଥିଲେ। ୨୦୨୪ରେ ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ଦୁର୍ଗା ମା’ଙ୍କ ମୁହଁକୁ କାନ୍ଭାସରେ ଆଙ୍କି ପୂଜା କମିଟିକୁ ପ୍ରଦାନ କରିଥିଲେ। ଏହାପରେ ବିଭିନ୍ନ ପୂଜା କମିଟି ପକ୍ଷରୁ ତାଙ୍କ ପାଖକୁ ଚିତ୍ର ଆଙ୍କିବା ପାଇଁ ନିମନ୍ତ୍ରଣ ଆସିବାକୁ ଲାଗିଲା। ଚଳିତବର୍ଷ ମଙ୍ଗଳାବାଗ ପୂଜା ସମିତି ପକ୍ଷରୁ ନିମନ୍ତ୍ରଣ ପାଇବା ପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ସମ୍ପୂର୍ଣ୍ଣ ମେଢ଼କୁ ଚିତ୍ରରେ ତୋଳି ଧରିଛନ୍ତି। ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ମୁଖା ତିଆରି ପାଇଁ ୩ଦିନ ସମୟ ଲାଗୁଥିବା ବେଳେ ଦେବଦେବୀଙ୍କ ମୂର୍ତ୍ତି ଓ ମେଢ଼ ଆଙ୍କିବା ପାଇଁ ୧୫ଦିନ ସମୟ ନେଇଥାନ୍ତି। ଏଥିପାଇଁ ସେ କୌଣସି ପାରିଶ୍ରମିକ ନେଇନଥାନ୍ତି। ଦୁର୍ଗାଙ୍କ ସହ ମା’ କାଳୀ, କାର୍ତ୍ତିକେଶ୍ବର, ଗଣେଶ, ଲକ୍ଷ୍ମୀ ଆଦି ଦେବଦେବୀଙ୍କ ଚିତ୍ର ଆଙ୍କି ପ୍ରଂଶସା ସାଉଁଟୁଛନ୍ତି। ମେଘନା କହିଛନ୍ତି ଯେ, ମା’ଙ୍କ ପାଖରେ ସମର୍ପଣ ଭାବନା ରଖି ଚିତ୍ର ଆଙ୍କିବା ପରେ କମିଟିକୁ ପ୍ରଦାନ କରିଥାଏ।

1 hour ago
1


