ARTICLE AD BOX
ସୁଜିତ ବିଷୋୟୀ
ଓଡ଼ିଶାରେ ବିଭିନ୍ନ ଶକ୍ତିପୀଠରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ତେବେ ଗଜପତିଜିଲ୍ଲା ପାରଳାଖେମୁଣ୍ଡିର ଦଣ୍ଡମା’ଙ୍କ ପୀଠରେ ଏକ ବିରଳ ପରମ୍ପରା ଦେଖିବାକୁ ମିଳେ। ଏଠାରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ପୂରା ଏକ ବର୍ଷ ଅପେକ୍ଷା କରିବାକୁ ପଡ଼େ। କାରଣ, ବର୍ଷର ଅନ୍ୟ ସମୟରେ ବନ୍ଦ ରହୁଥିବା ଏହି ମନ୍ଦିର କେବଳ ନବରାତ୍ରର ୯ ଦିନ ପାଇଁ ଖୋଲାଯାଏ। ଏହି ପୀଠର ବହୁ ରହସ୍ୟମୟ ମାହାତ୍ମ୍ୟ ରହିଛି ବୋଲି ଜନମାନସରେ ବିଶ୍ବାସ ପ୍ରଚଳିତ। ଲୋକକଥା ଅନୁସାରେ, ପାରଳାଖେମୁଣ୍ଡିର ମହାରାଜାଙ୍କ ଅମଳରୁ ଏହି ସ୍ଥାନରେ ଗଛମୂଳେ ଥିବା ଏକ ଛୋଟ ଘରେ ମାଟିହୁଙ୍କାରେ ଦଣ୍ଡମା’ ପୂଜା ପାଉଥିଲେ। ପରେ ଏହା ଏକ ଛୋଟ ମନ୍ଦିରର ରୂପ ନେଇଥିଲା। ପ୍ରଥମେ ଜଣେ ବ୍ରାହ୍ମଣ ଏଠାରେ ପୂଜା କରୁଥିବା ବେଳେ ପରବର୍ତ୍ତୀ ସମୟରେ ରାଉଳ ସମ୍ପ୍ରଦାୟର ଏକ ପରିବାର ବଂଶାନୁକ୍ରମେ ପୂଜାର୍ଚ୍ଚନା କରିଆସୁଛନ୍ତି।
ଦଣ୍ଡମା’ଙ୍କ ମନ୍ଦିରର ଯେଉଁ ବିଶ୍ବାସ ସବୁଠାରୁ ଆଶ୍ଚର୍ଯ୍ୟଜନକ, ତାହା ହେଉଛି ନଡ଼ିଆ ମାନସିକ ପରମ୍ପରା। ମନସ୍କାମନା ପୂରଣ ପାଇଁ ଭକ୍ତମାନେ ମା’ଙ୍କ ନିକଟରେ ପୂଜା କରି ନଡ଼ିଆ ରଖିଥାଆନ୍ତି। ଦଶହରାର ବିଳମ୍ବିତ ରାତିରେ ମନ୍ଦିର ବନ୍ଦ କରାଯିବା ସମୟରେ ହିଁ ଏହି ନଡ଼ିଆ ରଖାଯାଇଥାଏ। ତା’ପରେ ମନ୍ଦିର ବର୍ଷକ ପାଇଁ ବନ୍ଦ ହୋଇ ଯାଇଥାଏ। ଆଶ୍ଚର୍ଯ୍ୟର ବିଷୟ ହେଉଛି, ପର ବର୍ଷ ନବରାତ୍ରରେ ମନ୍ଦିର ଖୋଲିବା ବେଳେ ରଖାଯାଇଥିବା ନଡ଼ିଆଗୁଡ଼ିକ ନଷ୍ଟ ହୋଇ ନଥାଏ, ବରଂ ସତେଜ ଥାଏ। ଭକ୍ତଙ୍କ ମଧ୍ୟରେ ବିଶ୍ୱାସ ରହିଛି ଯେ ମା’ଙ୍କ କୃପାରୁ ନଡ଼ିଆ ନଷ୍ଟ ହୁଏନାହିଁ ଏବଂ ସେମାନଙ୍କ ମନସ୍କାମନା ପୂରଣ ହୁଏ। ଏହି ବିଶ୍ବାସ ପିଢ଼ି ପରେ ପିଢ଼ି ଧରି ଚାଲିଆସୁଛି।
ଦଣ୍ଡମା’ଙ୍କ ପୀଠ ସହ ଜଡ଼ିତ ଆଉ ଏକ ରୋଚକ ପରମ୍ପରା ହେଉଛି ମନ୍ଦିରରେ ସର୍ପ ଆବିର୍ଭାବ। ଦଣ୍ଡମା’ ପୀଠର ପୂଜକଙ୍କ କହିବା ଅନୁସାରେ, ମନ୍ଦିର ଖୋଲିବାଠାରୁ ବନ୍ଦ ହେବା ପର୍ଯ୍ୟନ୍ତ ଏହି ୯ ଦିନ ମଧ୍ୟରେ ମନ୍ଦିର ଭିତରେ ସର୍ପ ଦେଖାଦେଇଥାଏ। ଭକ୍ତମାନେ ଏହାକୁ ମା’ଙ୍କ ଉପସ୍ଥିତିର ସଙ୍କେତ ଭାବେ ବିଶ୍ୱାସ କରନ୍ତି। ନବରାତ୍ରି ୯ ଦିନ ପ୍ରତି ସନ୍ଧ୍ୟାରେ ମନ୍ଦିରରେ କୁଙ୍କୁମ ପୂଜା ଅନୁଷ୍ଠିତ ହୁଏ। ଏଥିରେ ବହୁ ସଂଖ୍ୟାରେ ମହିଳା ଯୋଗଦେଇ ମା’ଙ୍କ ଆରାଧନା କରନ୍ତି। ମା’ଙ୍କ ଦର୍ଶନ, କୁଙ୍କୁମ ପୂଜା ଓ ନଡ଼ିଆ ମାନସିକ ମନ୍ଦିରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟିକରେ। ମା’ଙ୍କ ପୀଠର ଧାର୍ମିକ ମହତ୍ତ୍ୱକୁ ନେଇ ପଣ୍ଡିତମାନଙ୍କ ମଧ୍ୟରେ ଭିନ୍ନ ମତ ରହିଛି। ପଣ୍ଡିତ ଜଗନ୍ନାଥ ରଥଶର୍ମାଙ୍କ ମତରେ, ଦଣ୍ଡମା’ ଶକ୍ତିପୀଠର ଦେବୀ ଭାବେ ନୁହେଁ, ବରଂ ୬୪ ଯୋଗିନୀଙ୍କ ପ୍ରତିନିଧି ଭାବେ ପୂଜା ପାଆନ୍ତି।
ପାରଳା ମହାରାଜାଙ୍କ ଆଠଟି ଶକ୍ତିପୀଠ ମଧ୍ୟରୁ କଦମ୍ବଖଣ୍ଡା ଅନ୍ୟତମ ଥିଲା। ନବରାତ୍ର ସମୟରେ ମହାରାଜାଙ୍କ ସୈନ୍ୟବାହିନୀ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ସେଠାରେ ପୂଜା କରାଯାଉଥିଲା। ସେହି ସମୟରେ ଦେବୀଙ୍କୁ ଆମନ୍ତ୍ରଣ କରାଯିବା ସହ ବିଭିନ୍ନ ପ୍ରକାର ବଳି ଦିଆଯାଉଥିଲା। ଦେବୀଙ୍କ ସହ ଆସୁଥିବା ୬୪ ଯୋଗିନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଣ୍ଡମା’ଙ୍କ ପୀଠରେ ପୂଜାର୍ଚ୍ଚନା ହୋଇଥିଲା। ତେଣୁ ଦଣ୍ଡମା’ଙ୍କୁ ଏହି ସ୍ଥାନରେ ପ୍ରତିନିଧି ଭାବେ ସ୍ଥାପନ କରାଯାଇଥିବାରୁ କେବଳ ନବରାତ୍ର ସମୟରେ ହିଁ ମନ୍ଦିର ଖୋଲାଯାଏ। ନବରାତ୍ର ସମୟରେ ଦଣ୍ଡମା’ ମନ୍ଦିରକୁ ଆକର୍ଷଣୀୟ ଭାବେ ସଜାଯାଇଥାଏ। ମା’ଙ୍କ ଦର୍ଶନ, କୁଙ୍କୁମ ପୂଜା ଓ ନଡ଼ିଆ ମାନସିକ ପାଇଁ ଏଠାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ।

1 hour ago
1


