ARTICLE AD BOX
ଭୁବନେଶ୍ଵର: ଖଦି ଏକ ବସ୍ତ୍ର ନୁହେଁ, ଏହା ଓଡ଼ିଶା ଓ ଭାରତର ଏକ ଅସ୍ମିତାର ପରିଚୟ। ସମ୍ପ୍ରତି ’ଜେନ୍-ଜି’ ହୁଅନ୍ତୁ କି ପୂର୍ବପିଢ଼ି ଜେନ୍ ୱାଇ, ଖଦି ବସ୍ତ୍ର ପ୍ରତି ଆକର୍ଷଣ ପ୍ରାୟତଃ ନାହିଁ। ଏଭଳି ସ୍ଥିତିରେ ଏକ ଝିଅ ହୋଇ ତିନି ପିଢ଼ିର ଖଦି ଓ ଚରଖା ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ବାଲିକୁଦାର ମହାମାୟା ତେଜାନୀ ବିଶ୍ବାଳ। ବିବାହର ମାତ୍ର ପାଞ୍ଚ ବର୍ଷ ପରେ ସ୍ୱାମୀଙ୍କୁ ହରାଇଥିଲେ ମଧ୍ୟ ସେ ଭାଙ୍ଗି ପଡ଼ିନାହାନ୍ତି । ବରଂ ପିଢ଼ି ପରେ ପିଢ଼ି ଧରି ଚାଲିଆସିଥିବା ଖଦି ପରମ୍ପରାକୁ ବଞ୍ଚାଇ ରଖିବା ସହ ଏହାକୁ ନିଜ ଜୀବନର ବ୍ରତ କରିଛନ୍ତି । “ଓଡ଼ିଶା ଖଦି ଓ ଏମ୍ଏସ୍ଏମ୍ଇ ଏକ୍ସପୋ”ରେ ତାଙ୍କ ଷ୍ଟଲ ଏହି ସଂଘର୍ଷ ଓ ସମ୍ମାନର ଗାଥା ବୟାନ କରୁଛି।
ମହାମାୟାଙ୍କ ଜେଜେବାପା ତଥା ବାଲିକୁଦା ଗାନ୍ଧୀ ଭାବେ ପରିଚିତ ହରେକୃଷ୍ଣ ବିଶ୍ୱାଳ ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କ 'କୁଟି ଖାଅ, କାଟି ପିନ୍ଧ' ମନ୍ତ୍ରରେ ଅନୁପ୍ରାଣିତ ହୋଇ ଖଦି କାର୍ଯ୍ୟରେ ନିଜକୁ ସମର୍ପି ଦେଇଥିଲେ । ସ୍ୱଦେଶୀ ଓ ସ୍ୱାବଲମ୍ବନର ଏହି ଆଦର୍ଶକୁ ସେ ନିଜ ପୁଅ ପ୍ରତାପ କେଶରୀ ବିଶ୍ୱାଳଙ୍କୁ ଶିଖାଇଥିଲେ ।
ମହାମାୟା ତେଜାନୀ ଖଦି ସହ ତାଙ୍କର ଜୀବନର ସମ୍ପର୍କ ସମ୍ପର୍କରେ କହନ୍ତି, ପରିବାରର ଏହି ଐତିହ୍ୟ ଏକ ସମୟରେ ସଙ୍କଟରେ ପଡ଼ିଥିଲା । ତାଙ୍କ ବାପା ପ୍ରତାପ କେଶରୀ କର୍କଟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ। ଶେଷ ସମୟରେ ସେ କଥା କହିବାକୁ ଅସମର୍ଥ ଥିଲେ। ଦିନେ ପାଖରେ ବସିଥିବା ବେଳେ ଠାରରେ ତାଙ୍କୁ ଖଦି କାମକୁ ବଞ୍ଚାଇ ରଖିବାକୁ କହିଥିଲେ । ବାପାଙ୍କର ସେହି ନିରବ ଅନୁରୋଧ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ଖଦିର ‘ଖ’ ଅକ୍ଷର ଜାଣିନଥିଲି ମାତ୍ର ଖଦି କାର୍ଯ୍ୟକୁ ନିଜର ଦାୟିତ୍ୱ ଓ ଜୀବନର ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିନେଲି କୁହନ୍ତି ମହାମାୟା ।
Largest Khadi Tricolor: ବିଶ୍ବର ସର୍ବବୃହତ୍ ଖଦି ତ୍ରିରଙ୍ଗା: ୨୨୫ ଫୁଟ ଲମ୍ବା, ୧୫୦ ଫୁଟ ଚଉଡ଼ା ଏବଂ ଓଜନ ୧୪୦୦ କିଲୋ
ଏହି ଉଦ୍ୟମକୁ ସଂଗଠିତ ରୂପ ଦେବା ପାଇଁ ମହାମାୟା ଗଠନ କରିଛନ୍ତି 'ଖଦି ଉଦ୍ୟୋଗ ମନ୍ଦିର' । ଏଠାରେ ଖଦି ଉତ୍ପାଦନ ସହ ଅନେକ ମହିଳାଙ୍କୁ ରୋଜଗାରର ସୁଯୋଗ ମିଳୁଛି । ଅନୁଷ୍ଠାନରେ ୧୫ ଜଣ ମହିଳା ସୂତା କାଟୁଥିବାବେଳେ ୧୦ ଜଣ ତନ୍ତରେ ଲୁଗା ବୁଣୁଛନ୍ତି । ସେହିପରି ୨୦ ଜଣ ସିଲେଇ ମେସିନ୍ରେ ବିଭିନ୍ନ ପୋଷାକ ପ୍ରସ୍ତୁତ କରୁଛନ୍ତି । ଏହି କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ପକ୍ଷରୁ ପିଏମ୍ ବିଶ୍ୱକର୍ମା ଯୋଜନାରେ ୨୦ଟି ସିଲେଇ ମେସିନ୍ ଯୋଗାଇ ଦିଆଯାଇଛି ।
ଆରମ୍ଭହେଲା ଓଡ଼ିଶା ଖଦିମେଳା: ୧୦ ରୁ ୧୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ
ମହାମାୟାଙ୍କ ଏହି ଉଦ୍ୟମ କେବଳ ଏକ ପାରିବାରିକ ପରମ୍ପରାର ସୁରକ୍ଷା ନୁହେଁ, ବରଂ ଗାନ୍ଧୀଜୀଙ୍କ ସ୍ୱଦେଶୀ ଚିନ୍ତାଧାରାକୁ ଆଜିର ସମୟରେ ଜୀବନ୍ତ ରଖିବାର ଏକ ସାର୍ଥକ ପ୍ରୟାସ । ନିଜ ଦୁଃଖକୁ ପଛରେ ପକାଇ ଖଦି ମାଧ୍ୟମରେ ଅନେକ ମହିଳାଙ୍କୁ କର୍ମସଂସ୍ଥାନ ଯୋଗାଇବା ସହ ଆତ୍ମନିର୍ଭରଶୀଳତାର ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ମହାମାୟା ତେଜାନୀ ।

1 hour ago
1


