ARTICLE AD BOX
କେନ୍ଦୁଝର: ଘଣ୍ଟାକ ଭିତରେ କଳା ପଡ଼ିଗଲା ଚିରସ୍ରୋତା କାରୋ ନଦୀର ଜଳ। ଶୁକ୍ରବାର ସକାଳୁ ପାଣି ରଙ୍ଗ କଳା ହୋଇଯିବା ସହ ଦୁର୍ଗନ୍ଧରେ ନାକ ଫାଟି ପଡ଼ିଥିଲା। ପରିସ୍ଥିତି ଏପରି ହେଲା ଯେ ଜଳସଂପଦ ବିଭାଗକୁ ହସ୍ତକ୍ଷେପ କରିବାକୁ ପଡ଼ିଲା। ପ୍ରଦୂଷଣ ବିଭାଗକୁ ଚିଠି ଲେଖି ତଦନ୍ତ କରିବାକୁ କହିଲା ଜଳସଂପଦ ବିଭାଗର ‘ୱାଟ୍କୋ’ ସଂସ୍ଥା। ଶୁକ୍ରବାର ସକାଳେ ନଦୀର ଜଳ ଏଭଳି ହୋଇଥିବା ଦେଖି ଯିଏ ଯେଉଁଠି ଗାଧୋଉଥିଲେ, ତୁରନ୍ତ ପାଣିରୁ ଉଠି ଯାଇଥିଲେ। ଖବର ପାଇ ୱାଟ୍କୋର ବଡ଼ବିଲ ସେକ୍ସନ ସହକାରୀ ପରିଚାଳକ ଗୌରବ ଦାସ ସାନ୍ତାବାହାଲ ନିକଟ କାରୋବାକି ସଂରକ୍ଷିତ ଜଙ୍ଗଲ ପାଖରେ ଥିବା ଇନ୍ଟେକ୍ ୱେଲ୍ରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ କେନ୍ଦୁଝରସ୍ଥିତ ୱାଟ୍କୋ ଲ୍ୟାବ୍କୁ ପଠାଇଛନ୍ତି। ୱାଟ୍କୋ ଯୋଡ଼ା ପକ୍ଷରୁ ଏ ନେଇ ଚିଠି ସଂଖ୍ୟା ୪୩୧୬, ୧୬ ଅକ୍ଟୋବର ୨୦୨୬ରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟକୁ ଅବଗତ କରାଯାଇଛି।
Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍କୋର୍ଟ
କାରୋ ନଦୀ ପାଇଁ ଏହା ପ୍ରଥମ ନୁହେଁ। ଗତ ସେପ୍ଟେମ୍ବର ୩୦ରେ କାରଖାନାର ବର୍ଜ୍ୟଜଳ ନଦୀରେ ମିଶିବା ଏବଂ ଜଳର ରଙ୍ଗ କଳା ହୋଇଯିବା ଘଟଣା ସାମନାକୁ ଆସିଥିଲା। ସେତେବେଳେ ୱାଟ୍କୋ ଉପଖଣ୍ଡ ମ୍ୟାନେଜର କାଜଲ କୁମାରୀ ପତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଥିଲେ। ଅକ୍ଟୋବର ୧ ତାରିଖରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟର ଏକ ଟିମ୍ କେନ୍ଦୁଡିହି, ଲର୍ସଦା ଓ ମାଟକାମବେଡ଼ା ତିନୋଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଟିଆସ୍ଥିତ କେନ୍ଦ୍ରୀୟ ଲାବୋରଟୋରିକୁ ପଠାଇଥିଲେ। ଏହି ନଦୀରୁ ବଡ଼ବିଲ ସହରର ୧୫ଟି ୱାର୍ଡର ପ୍ରାୟ ୮,୫୦୦ ଘରକୁ ୱାଟ୍କୋ ଜରିଆରେ ଜଳଯୋଗାଣ ହେଉଛି। ବଲାଣି ଟାଉନସିପ୍କୁ ମଧ୍ୟ ପାଣି ଯାଉଛି। ସୁନ୍ଦରଗଡ଼ଜିଲ୍ଲା କୋଇଡ଼ା ଅଞ୍ଚଳର କେତେକ କାରଖାନାରୁ ବର୍ଜ୍ୟଜଳ ସିଧାସଳଖ କାରୋ ନଦୀରେ ମିଶୁଛି। କେତେକ କାରଖାନାର ଡିସ୍ଚାର୍ଜ ଆଉଟ୍ଲେଟ୍ ନଦୀକୂଳରେ ଥିବାରୁ ବର୍ଜ୍ୟ ପଦାର୍ଥ ପାଣିରେ ମିଶୁଛି। କେନ୍ଦୁଝର ଆଞ୍ଚଳିକ ଅଧିକାରୀ ଇଂ.ପ୍ରଶାନ୍ତ କରଙ୍କୁ ଏ ସଂପର୍କରେ ପଚରାଯିବାରୁ ଘଟଣାର ତଦନ୍ତ କରାଯାଇ ବୋର୍ଡ ସଦସ୍ୟ ସଚିବଙ୍କୁ ରିପୋର୍ଟ ଦିଆଯାଇଥିବା କହିଛନ୍ତି। କାରୋନଦୀ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡରୁ ବାହାରି କେନ୍ଦୁଝର ଜିଲ୍ଲାର ଉତ୍ତର-ପଶ୍ଚିମ ଅଞ୍ଚଳ ଦେଇ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ କୋଏଲ ନଦୀ ସହ ମିଶିଛି।

1 hour ago
1


