ARTICLE AD BOX
ଗୌରାଙ୍ଗ ଚରଣ ପରିଡ଼ା
୧୯୨୫ ମସିହା ନଭେମ୍ବର ମାସରେ ଗୁଜୁରାଟ ଅନ୍ତର୍ଗତ କଚ୍ଛର ମାଣ୍ଡବୀରେ ଅନୁଷ୍ଠିତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧୀଜୀ କହିଥିଲେ, “ଗଛ ଲଗାଅ, ବିଶ୍ବ ବଞ୍ଚାଅ।’’ ସେଇ ବର୍ଷ ଅକ୍ଟୋବରରୁ ନଭେମ୍ବର, ପ୍ରାୟ ଦୁଇ ମାସ ଧରି ଗାନ୍ଧୀଜୀ କାଥିଆୱାଡ଼ା ଓ କଚ୍ଛ ଅଞ୍ଚଳରେ ଥିଲେ। ବୃକ୍ଷରୋପଣ ଓ ବୃକ୍ଷ ସୁରକ୍ଷା ଏଇ କାଯ୍ୟକ୍ରମରେ ଏକ ମୁଖ୍ୟ ଅଭିଯାନ ଭାବେ ସାମିଲ ଥିଲା।
ନଭେମ୍ବର ୨୨ ତାରିଖ ‘ନବଜୀବନ’ ପତ୍ରିକାରେ ଗାନ୍ଧୀ ତାଙ୍କର କଚ୍ଛ ଭ୍ରମଣ ନେଇ ଏକ ପ୍ରବନ୍ଧ ଲେଖିଥିଲେ। ପ୍ରବନ୍ଧର ଶିରୋନାମା ଥିଲା ‘କଚ୍ଛର ସ୍ମୃତି’ (ରେମିନିସେନସେସ ଅଫ କଚ୍ଛ)। ଗାନ୍ଧୀ ଲେଖିଥିଲେ, “ଜୟକୃଷ୍ଣ ଇନ୍ଦ୍ରଜିତ ନାମକ ଜଣେ ବନ ଅଧିକାରୀଙ୍କ ଆମନ୍ତ୍ରଣକ୍ରମେ ମୁଁ କଚ୍ଛ ଯାଇଥିଲି। ଗଛ ଲଗାଇ ଓ ବଢ଼ାଇ କଚ୍ଛରେ ଏକ ସୁନ୍ଦର ପରିବେଶ ସୃଷ୍ଟିର ପ୍ରୟାସରେ ଏଠି ଇନ୍ଦ୍ରଜିତ ଅଛନ୍ତି।
“ମୁଁ ନିଜେ ମାଣ୍ଡବୀରେ ଗଛ ଲଗେଇଥିଲି। ଗଛରେ ପାଣି ଦେଇ ସୁରକ୍ଷା ଦେବାକୁ ଏଠି ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ଥାପନ କରିଥିଲି। ଗଛ ଲଗେଇବା ଅନୁଭୂତି ଥିଲା ମୋ ପାଇଁ ମୋ ଜୀବନର ଏକ ଉତ୍ତମ ଆନନ୍ଦଦାୟକ ଅନୁଭୂତି।
“କଚ୍ଛରେ ପ୍ରାୟ ଗଛ ନାହିଁ। ଚାଷ ଜମି ନାହିଁ। ବର୍ଷା କମ୍। ବର୍ଷାର ଅନିୟମିତତା ଯୋଗୁଁ ଏଠି ପ୍ରତି ବର୍ଷ ମରୁଡ଼ି ପଡୁଛି। ଜଳାଭାବ କଚ୍ଛର ଏକ ସ୍ଥାୟୀ ସମସ୍ୟା। ଗଛ ଥିଲେ ଏ ସମସ୍ୟା ନ ଥାନ୍ତା; ଜଳ କଷ୍ଟ ନଥାନ୍ତା।’’
ଗାନ୍ଧୀଜୀ ତାଙ୍କ ପ୍ରବନ୍ଧରେ ଦକ୍ଷିଣଆଫ୍ରିକାର ଜୋହନ୍ସବର୍ଗର ଉଦାହରଣ ଦେଇ ଲେଖିଥିଲେ, “ଠିକ୍ କଚ୍ଛ ପରି ଏମିତି ଏକ ଅଞ୍ଚଳ ବି ଥିଲା ଜୋହନ୍ସବର୍ଗ। ଦିନ ଥିଲା, ଏଠି ଘାସଟିଏ ବି କଅଁଳୁ ନଥିଲା। ବାଲଟିଏ ପାଣିକୁ ଲୋକେ ବାର ଆଉନ୍ସ ଦେଇ କିଣୁଥିଲେ। ସୁନା ଖଣିର ମାଲିକମାନେ ସେଠି ପ୍ରଚୁର ଗଛ ଲଗେଇଲେ। ସହର ଚାରିପଟେ ସବୁଜ ଗଛର କ୍ଷେତ୍ରଟିଏ ତିଆରି କରିଦେଲେ। ଚାଳିଶ ବର୍ଷରେ ଜୋହାନ୍ସବର୍ଗର ରୂପ ଓ ପରିବେଶ ବଦଳି ଯାଇଥିଲା। ସେଠି ଏବେ ପାଣିର ଅଭାବ ନାହିଁ। ବର୍ଷା ହେଉଛି। ଭାରତରେ ଏବେ ମଧ୍ୟ ଏମିତି ଅନେକ ଜାଗା ଅଛି ଯେଉଁଠି ଜଙ୍ଗଲ ହାନି ଯୋଗୁଁ ବର୍ଷାଭାବ ଦେଖା ଦେଇଛି, ଉତ୍ତାପ ବଢ଼ିଛି, ପରିବେଶ ପ୍ରଦୂଷିତ ହୋଇଛି।’’
ଗାନ୍ଧୀ ତାଙ୍କ ଲେଖା ଶେଷରେ ଉଲ୍ଲେଖ କରିଥିଲେ, “ବୃକ୍ଷ ରୋପଣ ଓ ସଂରକ୍ଷଣ ଏକ ଧର୍ମ ହେଉ, ଯେମିତି ଗାଈ ପାଳିବା ଓ ତା’ର ସୁରକ୍ଷାକୁ ଆମେ ଏକ ଧର୍ମ ଭାବେ ଗ୍ରହଣ କରି ନେଇଛୁ, ଏବଂ ଜଳକଷ୍ଟ ଅଞ୍ଚଳରେ କୂଅ ଖୋଲିବାକୁ ଆମର ଏକ ଧର୍ମ ବୋଲି କହୁଛୁ। ଗଛ କାଟିବା ବି ଏକ ଗୁରୁତର ଅପରାଧ ହେଉ ଏବଂ ବୃକ୍ଷ ରୋପଣକୁ ପୁରସ୍କୃତ କରାଯାଉ। ଗଛ ବିନା ଏଠି ଅନେକ ଜାଗା ଦିନେ ଟାଙ୍ଗରା, ମରୁଭୂମି ହୋଇଯିବ।’’
ମାଣ୍ଡବୀ ବୃକ୍ଷ ରୋପଣ ଉତ୍ସବର ଚାରି ବର୍ଷ ପରେ ଗାନ୍ଧୀଜୀ ଚିଠିଟିଏ ପାଇଲେ। ଚିଠିରେ ପତ୍ରପ୍ରେରକ ପଚାରିଥିଲେ, “ବାପୁ, ଅନେକ ମହିଳା ଏଠି ଗଛକୁ ନାଲିକନାରେ ବାନ୍ଧି, ଧୂପ ଦେଇ ପୂଜା କରୁଛନ୍ତି। ସେମାନେ ସବୁ ଅଶିକ୍ଷିତ ନୁହନ୍ତି। ଅନେକ ସାମାଜିକ କର୍ମୀଙ୍କ ପରିବାରର ମହିଳା ଅଛନ୍ତି। ପଚାରିଲେ କହୁଛନ୍ତି, ସେମାନେ ପ୍ରକୃତିର ପୂଜା କରୁଛନ୍ତି। ସତ୍ୟବାନ ସାବିତ୍ରୀ ବୃକ୍ଷ ପୂଜା କରୁଥିଲେ। ବୃକ୍ଷକୁ ଦେବତା କହି ଏମିତି ଧାର୍ମିକ ପରିପାଟିରେ ପୂଜା କରିବା କ’ଣ ଅନ୍ଧବିଶ୍ୱାସ ନୁହେଁ? ଆପଣ କିଛି ମନ୍ତବ୍ୟ ଦେବେ।”
ପତ୍ରପ୍ରେରକଙ୍କ ପ୍ରଶ୍ନର ଉତ୍ତରରେ ଗାନ୍ଧୀଜୀ ‘ବୃକ୍ଷ ପୂଜା’ (ଟ୍ରି ଓରସିପ) ଶିରୋନାମାରେ ‘ୟଙ୍ଗ ଇଣ୍ଡିଆ’ରେ ଏକ ପ୍ରବନ୍ଧ ଲେଖିଥିଲେ। ପ୍ରବନ୍ଧରେ ଗାନ୍ଧୀଜୀଙ୍କ ଉକ୍ତି ଥିଲା, “ମୁଁ ଏଇ ବୃକ୍ଷ ପୂଜାରେ ସେମିତି କିଛି ଖରାପ କଥା ଦେଖିପାରୁନି। ପୂଜା କରୁଥିବା ମହିଳାଙ୍କର ଏଥିରେ ପ୍ରକୃତି ସେବା, ସମର୍ପଣ ଏବଂ ଏକ କାବ୍ୟିକ ସୌନ୍ଦର୍ଯ୍ୟବୋଧର ମାନସିକତା ମୁଁ ଦେଖିପାରୁଛି। ବିଶ୍ୱକୁ ବଞ୍ଚାଇ ରଖିବାର ଏହା ଏକ ଭଲ ଅହିଂସ ପ୍ରତୀକ। ଈଶ୍ୱରଙ୍କ ଅନେକ ରୂପ ଅଛି। ବୃକ୍ଷ ବି ଈଶ୍ୱରଙ୍କ ଏକ ରୂପ। ଉଦ୍ଭିଦ ଜଗତ ବିନା ଏ ଧରିତ୍ରୀ ମୁହୂର୍ତ୍ତକ ପାଇଁ ବି ବଞ୍ଚି ରହିବା ଅସମ୍ଭବ। ଏବଂ ବଡ଼ କଥା ହେଲା, ଯେଉଁ ଦେଶରେ ବେଶୀ ଗଛ ନାହିଁ, ସେ ଦେଶରେ ଆର୍ଥିକ ସଙ୍କଟ ବେଶୀ।’’
ପ୍ରବନ୍ଧର ଉପସଂହାରରେ ଗାନ୍ଧୀ ଏକ ଘଟଣାର ଉଦାହରଣ ଦେଇ ଲେଖିଥିଲେ, “ମୁଁ ଥରେ ରାତିରେ ଶୋଇବା ପୂର୍ବରୁ ମୋ ଅରଟର ସୂତାକୁ ଟାଣ କରିବାକୁ ବାହାରୁ କୌଣସି ଗଛର ମାତ୍ର ଗୋଟିଏ ଦିଇଟା ପତ୍ର ଆଣିବାକୁ ମୀରା ବେନଙ୍କୁ କହିଥିଲି। ମୋ ପାଇଁ ସେ ଡାଳ ଭାଙ୍ଗି ଗୋଛାଏ ପତ୍ର ଆଣିଥିଲେ। ମୋତେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘ବାପୁ, ଛୋଟ ଛୋଟ କଅଁଳ ପତ୍ର ଏମିତି ମୁଦ୍ରିତ ଅବସ୍ଥାରେ କାହିଁକି ଅଛନ୍ତି? ସେମାନେ କ’ଣ ରାତିରେ ଶୋଇଯାଆନ୍ତି?’ ମୁଁ ଉତ୍ତର ଦେଇଥିଲି, ‘ଗଛମାନଙ୍କର ବି ଆମମାନଙ୍କ ପରି ପ୍ରାଣ ଅଛି। ସେମାନେ ଶ୍ବାସକ୍ରିୟା କରନ୍ତି। ଆମ ପରି ଖାଆନ୍ତି, ପିଅନ୍ତି, ରାତିରେ ମଧ୍ୟ ଶୁଅନ୍ତି। ତେଣୁ ରାତିରେ ଗଛରୁ ପତ୍ର ଛିଣ୍ଡାଇବା ଅନୁଚିତ। ଫୁଲ ତୋଳି କାହାକୁ ଉପହାର ଦେବା ବି ଠିକ୍ ନୁହେଁ।’’
ମିରାଙ୍କୁ ଏକ ପରାମର୍ଶ ଦେଇ ସେଥିରେ ଗାନ୍ଧୀ ଲେଖିଥିଲେ, “ମୀରା, ତମେ କେବେ କୌଣସି ପୁରୁଣା ଗଛର ଗଣ୍ଡିକୁ ଜାବୁଡ଼ି ଧରି ତା’ର ସ୍ୱର ଶୁଣିବାକୁ ଚେଷ୍ଟା କରିଛ? ଥରେ ଶୁଣ। ସେ ଗଛ ତା’ର ଦଦରା ସ୍ୱରରେ କିପରି ବିଜ୍ଞତା ଓ ଶାନ୍ତିର କଥା କହୁଛି। ମୋ କଥା ଆବେଗିକ ଲାଗୁଥିଲେ ବି ସତ। ଜୀବ ପ୍ରତି ତେଣୁ ଦୟାଭାବ ଦେଖାଇବା ଉଚିତ, ସେ ବୃକ୍ଷଜଗତ ହେଉ ବା ପ୍ରାଣୀ ଜଗତ।’’
ଏକ ସୁନ୍ଦର, ସନ୍ତୁଳିତ ବିଶ୍ୱ ପାଇଁ ଗାନ୍ଧୀଙ୍କ ବୃକ୍ଷ ସୁରକ୍ଷା ଚିନ୍ତାକୁ ତାଙ୍କ ଅବର୍ତ୍ତମାନର ଅନେକ ବର୍ଷ ପରେ ଗାନ୍ଧୀବାଦୀ ସୁନ୍ଦରଲାଲ ବହୁଗୁଣା ହିମାଳୟରେ ‘ଚିପ୍କୋ ଆନ୍ଦୋଳନ’ରେ ପ୍ରୟୋଗ କରିଥିଲେ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୮୬୧୪୬୯୩୨୮

56 minutes ago
1


