Kapilendra Deba: ଲାଗିଲା ଲୀଳାମୟଙ୍କ ଲୀଳା: କପିଳେନ୍ଦ୍ର ଦେବଙ୍କ ବେଳରୁ ଛେରା ପହଁରା

1 hour ago 2
ARTICLE AD BOX

ପୁରୀ: ସ୍ବୟଂ ଗଜପତି ମହାରାଜ ମଧ୍ୟ ଝାଡ଼ୁ ଧରନ୍ତି। ମହାପ୍ରଭୁଙ୍କ ରଥ ଉପରେ ପହଁରା ମାରି ସେବାର ବଳିଷ୍ଠ ବାର୍ତ୍ତା ଦିଅନ୍ତି। ଗଜପତିଙ୍କ ଛେରା ପହଁରା ସେବା ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାର ଅନ୍ୟତମ ପ୍ରମୁଖ ଆକର୍ଷଣ। ଗବେଷକଙ୍କ ମତରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ମାତ୍ର ଇତିହାସ ପୃଷ୍ଠାକୁ ଅବଲୋକନ କଲେ, ଏହି ଛେରା ପହଁରା ନୀତି ପୂର୍ବ କାଳରେ ରଥ ଉପରେ ସୀମିତ ନଥିଲା। ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବେଳେ ଶ୍ରୀମନ୍ଦିର ଆଗରେ ପାହାଚ ଓ ରାସ୍ତାକୁ ସୁନା ଖଡ଼ିକାରେ ଓଳାଇବାର ବିଧି ବଳବତ୍ତର ଥିଲା।

Rathakhala: ରଥଖଳା: ଦୁଆର ବେଢ଼ା ରଙ୍ଗ କାର୍ଯ୍ୟ ଶେଷ

ଲାଗିଲା ଲୀଳାମୟଙ୍କ ଲୀଳା
ଶ୍ରୀମନ୍ଦିର ପାହାଚରେ ହେଉଥିଲା ଛେରା ପହଁରା

ପ୍ରାୟ ୫ଶହ ବର୍ଷ ପୂର୍ବେ ଗଜପତି ମହାରାଜ ପ୍ରତାପରୁଦ୍ର ଦେବଙ୍କ ରାଜତ୍ବ କାଳରେ ପୁରୀ ଗଣାମଲ୍ଲ ସାହି ନିବାସୀ ଗୋବିନ୍ଦ ଦାସ ବାବାଜୀଙ୍କ ‘ଶ୍ରୀଚୈତନ୍ୟ ଚକଡ଼ା’ ଏବଂ କୃଷ୍ଣ ଦାସ କବିରାଜ ଗୋସ୍ବାମୀଙ୍କ ପ୍ରଣୀତ ଶ୍ରୀଚୈତନ୍ୟ ଚରିତାମୃତର ଗ୍ରନ୍ଥରେ ଛେରା ପହଁରା ସମ୍ପର୍କରେ ଉଲ୍ଲେଖ ରହିଛି। ଏଥିରୁ ପ୍ରତିତ ହେଉଛିଯେ ଏହି ଛେରା ପହଁରା ସେବା ବହୁ ପ୍ରାଚୀନ। ତେବେ ଇଂରେଜ ପ୍ରଶାସକ ଜନ ବିମ୍ସ(୧୮୬୯-୧୮୭୭)ଙ୍କ ଦ୍ବାରା ରଚିତ ‘ମେମୋରିଜ ଅଫ୍‌ ଏ ବେଙ୍ଗଲ ସିଭିଲିଆନ୍‌’ ପୁସ୍ତକର ୩୨୩ ପୃଷ୍ଠାରେ ଉଲ୍ଲେଖ ଅଛି ଯେ ‘ଜଗନ୍ନାଥ ରଥରେ ବସିଯିବାର ବଡ଼ ଉତ୍ସବ ଦିନ ରାଜା ମନ୍ଦିର ଆଗରେ ଥିବା ପାହାଚକୁ ସୁନାର ପହଁରାରେ ଓଳାନ୍ତି’। ତେଣୁ ଗଜପତି ଦିବ୍ୟସିଂହ ଦେବଙ୍କ ପର୍ଯ୍ୟନ୍ତ ଶ୍ରୀବିଗ୍ରହଙ୍କ ପହଣ୍ଡି ବେଳେ ଶ୍ରୀମନ୍ଦିର ପାହାଚ ଓ ରାସ୍ତାକୁ ସୁନା ଖଡ଼ିକାରେ ଓଳାଯାଉଥିଲା। ମାତ୍ର ତାଙ୍କର ପୁତ୍ର ରାଜା ମୁକୁନ୍ଦ ଦେବଙ୍କ ସମୟରୁ ରଥ ଉପରେ ଛେରା ପହଁରାର ନୂତନ ବିଧାନ ହୋଇଥିଲା ବୋଲି ଗବେଷକ ଡ. ଭାସ୍କର ଚନ୍ଦ୍ର ମିଶ୍ରଙ୍କ ‘ଶ୍ରୀଗୁଣ୍ଡିଚା ଯାତ୍ରା’ ପୁସ୍ତକରେ ଉଲ୍ଲେଖ ରହିଛି।

Ratha yatra: ରଥଖଳା: ଲାଗିଲା ଦଣ୍ଡା କଣ୍ଟା

‘ଛେରା’ର ଅର୍ଥ ବହଳିଆ ଘୋରା ଚନ୍ଦନକୁ ବୁଝାଉଥିବା ବେଳେ ‘ପହଁରା’ର ଅର୍ଥ ଓଳାଇବା। ଅର୍ଥାତ୍‌ ଛେରା ପହଁରାରେ ଗଜପତି ମହାରାଜା ରଥରେ ପହଁରା ମାରିବା ସହ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ସମ୍ପାଦନ କରିଥାଆନ୍ତି। ମୁଖ୍ୟ ବିଗ୍ରହଙ୍କ ମଇଲମ ଓ ମାଳଫୁଲ ଲାଗି ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର କମାଣ୍ଡର, ମନ୍ଦିର ପୁଲିସ ତଥା ବରକନ୍ଦାଜ ଶ୍ରୀନଅର ନିକଟକୁ ଯାଇ ଗଜପତି ମହାରାଜାଙ୍କୁ ଛେରା ପହଁରା ସେବା କରିବା ପାଇଁ ଖବର ପଠାଇଥାଆନ୍ତି। ଖବର ପାଇ ଗଜପତି ଧଳା ରଙ୍ଗର ଚୁଡ଼ିଦାର, କୁର୍ତା, ପଗଡ଼ି ଓ ଖଣ୍ଡା ପରିଧାନ କରି ରାଜବେଶରେ ଆସନ୍ତି। ପହଁରା ନୀତି ସରିବା ଯାଏଁ ଗଜପତି ମହାରାଜ ଉପବାସ ରୁହନ୍ତି। ଶ୍ରୀନଅରର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗାଙ୍କୁ ପ୍ରଣାମ କରି ଶ୍ରୀନଅର ଅଗଣାରେ ରଖାଯାଇଥିବା ହାତୀଦାନ୍ତ ଓ ରୁପାରେ ନିର୍ମିତ ତାମଯାନ ତଥା ମେହେନାରେ ପଟୁଆରରେ ବିଜେ କରି ରଥ ନିକଟକୁ ଆସନ୍ତି। ରାଜାଙ୍କ ସହ ରାଜ ପରିବାର ସଦସ୍ୟ, ରାଜଗୁରୁ, ଲେଙ୍କା, ବେହେରା ଖୁଣ୍ଟିଆ, ମେକାପ, ଗରାବଡ଼ୁ, ଦେଉଳକରଣ ଓ ଶ୍ରୀମନ୍ଦିର ପଦାଧିକାରୀ ରଥ ଉପରକୁ ଉଠିଥାଆନ୍ତି। ରାଜା ସୁନା କର୍ପୂର ଆଳତିରେ ଆରତି କରି ସୁନା ଚାମର ଆଲଟ ସେବା ଦିଅନ୍ତି। ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡ଼ିକା ଆଣି ସଂସ୍କାର କରି ଗଜପତିଙ୍କୁ ଦିଅନ୍ତି। ଭଣ୍ଡାର ମେକାପ ରଥ ଚାରିପାଖରେ ଫୁଲ ପକାନ୍ତି, ଗଜପତି ମହାରାଜା ସୁନା ଖଡ଼ିକାରେ ରଥ ଚାରି ପାଖ ପହଁରା ମାରନ୍ତି। ପରେ ଚନ୍ଦନପାଣି ରଥ ଚାରିପଟେ ଛିଞ୍ଚିଥାଆନ୍ତି। ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ପରେ ଦେବୀ ସୁଭଦ୍ରାଙ୍କ ରଥରେ ଛେରାପହଁରା ନୀତି ହୁଏ। ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ସେବକ ଛେରା ପହଁରା ସେବା କରିଥାଆନ୍ତି। ଗତ କୋଭିଡ୍‌ ସମୟରେ ମୁଦିରସ୍ତଙ୍କ ଦ୍ବାରା ଛେରା ପହଁରା କରାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.