ARTICLE AD BOX
କଟକ: ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ତିନି ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସେପ୍ଟମ୍ବର ୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଜନସ୍ବାର୍ଥ ଆବେଦନରେ ଉଲ୍ଲେଖ କରାଯାଇଛି ଯେ ନିକଟ ଅତୀତରେ ରାଜ୍ୟର ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ ସରକାରୀ ସ୍କୁଲରେ ପାଚେରି, କଂକ୍ରିଟ ଫଳକ ପଡ଼ି ଏକାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସ୍କୁଲରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ। କିନ୍ତୁ ବାରମ୍ବାର ଏପରି ଦୁଃଖଦ ଘଟଣା ଘଟିବା ପରିପ୍ରେକ୍ଷୀରେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ମାର୍ଗଦର୍ଶିକା ପ୍ରସ୍ତୁତ ପାଇଁ ଏକ ଟାସ୍କଫୋର୍ସ କିମ୍ବା ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରାଯିବା ଉଚିତ। ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହିତ ଘଟୁଥିବା ଏପରି ଅଘଟଣର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ କ୍ଷତିଗ୍ରସ୍ତ ଅଭିଭାବକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।
୭୫ଫୁଟର ତ୍ରିରଙ୍ଗା ଧରି ବୁଲିଲେ ଛାତ୍ରଛାତ୍ରୀ
ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଚଳିତ ଅଗଷ୍ଟ ମାସରେ ରାଜ୍ୟର ସ୍କୁଲ ଗୁଡିକରେ ସୁରକ୍ଷା ସପ୍ତାହ ପାଳନ ପାଇଁ ପଦକ୍ଷେପ ନିଆଯାଇଛି। ଘଟିଥିବା ଦୁର୍ଘଟଣାଗୁଡିକର ତଦନ୍ତ ସମାପ୍ତ ହୋଇଥିବା ବେଳେ କ୍ଷତିଗ୍ରସ୍ତ ପରିବାରକୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବାକୁ ପଦକ୍ଷେପ ନିଆଯାଇଛି। ଏ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରାଯିବ ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା। କିନ୍ତୁ ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ସ୍କୁଲ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରସଂଗରେ କଣ ପଦକ୍ଷେପ ନିଆଯାଇଛି ସେ ନେଇ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ସଚିବ, ଗଜପତି, ମୟୂରଭଞ୍ଜ, କୋରାପୁଟର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।

5 hours ago
2


