ARTICLE AD BOX
ନାସିକ: ମହାରାଷ୍ଟ୍ରର ନାସିକସ୍ଥିତ ଏକ ସ୍ୱତନ୍ତ୍ର ଅଦାଲତ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍)ର ପୂର୍ବତନ କର୍ମଚାରୀ ନିଦା ଖାନଙ୍କୁ ଜାମିନ ପ୍ରଦାନ କରିବା ବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ପ୍ରସଙ୍ଗର ଉଲ୍ଲେଖ କରିଛନ୍ତି। ପାଞ୍ଚ ମାସର ଗର୍ଭବତୀ ଥିବା ନିଦାଙ୍କୁ ଜାମିନ ଦେଇ ଅଦାଲତ କହିଛନ୍ତି, କୌଣସି ଶିଶୁର ଜେଲ୍ ଭିତରେ ଜନ୍ମ ହେବା ଏବଂ ସେଥିପାଇଁ ସାମାଜିକ କଳଙ୍କ ବୋହିବା ପରିସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ। ନବଜାତ ଶିଶୁ ଏବଂ ମା’ର ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ଦୃଷ୍ଟିରେ ରଖି ଜାମିନ ଦେବା ନ୍ୟାୟସଙ୍ଗତ ବୋଲି ଅଦାଲତ ମତ ପ୍ରକାଶ କରିଛନ୍ତି।
ନିଦା ଖାନଙ୍କୁ ପ୍ରାୟ ଦୁଇ ମାସ ପୂର୍ବେ ନାସିକର ଟିସିଏସ୍ ଆଉଟସୋର୍ସିଂ ୟୁନିଟ୍ରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ସହ ଯୌନ ଶୋଷଣ ଓ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଯାଇଥିବା ଅଭିଯୋଗ ସମ୍ପର୍କିତ ଏକ ମାମଲାରେ ଗିରଫ କରାଯାଇଥିଲା। ସ୍ୱତନ୍ତ୍ର ବିଚାରପତି କେଜି ଯୋଶୀ କହିଛନ୍ତି ଯେ, ନିଦାଙ୍କ ଗର୍ଭାବସ୍ଥା ସହ ତଦନ୍ତ ଶେଷ ହୋଇ ଅଭିଯୋଗପତ୍ର ଦାଖଲ ହୋଇସାରିଥିବାରୁ ତାଙ୍କୁ ଆଉ ଜେଲ୍ରେ ରଖିବାର ଆବଶ୍ୟକତା ନାହିଁ। ତେବେ ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, ତଦନ୍ତରେ ସଂଗ୍ରହ କରାଯାଇଥିବା ପ୍ରାଥମିକ ପ୍ରମାଣରୁ ଜଣାପଡ଼ୁଛି, ନିଦା ଖାନ ଓ ଅନ୍ୟ ଅଭିଯୁକ୍ତମାନେ ଅଭିଯୋଗକାରିଣୀଙ୍କ ବିଚାରଧାରା ଓ ଧାର୍ମିକ ବିଶ୍ୱାସକୁ ପ୍ରଭାବିତ କରିବା ଏବଂ ତାଙ୍କର ‘ବ୍ରେନ୍ ୱାସ’ କରିବାକୁ ଚେଷ୍ଟା କରିଥିବା ନେଇ ପ୍ରାଥମିକ ଭାବେ ସୂଚନା ମିଳିଛି।
Bail Application Rejected: ଚନ୍ଦ୍ରିକା ମୃତ୍ୟୁ ମାମଲା, ଭୀମସେନ ଟୁଡୁଙ୍କ ଜାମିନ ଖାରଜ
ଅଭିଯୋଗ ଅନୁସାରେ, ନିଦା ଜଣେ ମହିଳା ସହକର୍ମୀଙ୍କୁ ବୁର୍ଖା ଓ ଇସଲାମ ଧର୍ମ ସମ୍ପର୍କିତ ପୁସ୍ତକ ଦେଇଥିଲେ। ଏହା ସହ ତାଙ୍କ ମୋବାଇଲରେ ଇସଲାମ ସମ୍ପର୍କିତ ଆପ୍ ଇନଷ୍ଟଲ କରିବା, ତାଙ୍କ ଘରକୁ ଯାଇ ନମାଜ ପଢ଼ିବା ପଦ୍ଧତି ଶିଖାଇବା ଏବଂ ହିଜାବ ପିନ୍ଧିବା ଉପାୟ ଦେଖାଇବା ଭଳି କାର୍ଯ୍ୟ କରିଥିଲେ। ଏହି ସବୁ ପଦକ୍ଷେପ ମାଧ୍ୟମରେ ଅଭିଯୋଗକାରିଣୀଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଇଥିବା ତଦନ୍ତକାରୀ ସଂସ୍ଥା ଦାବି କରିଛି। ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ, ଅଭିଯୁକ୍ତମାନେ ହିନ୍ଦୁ ଧର୍ମ ସମ୍ପର୍କରେ ଆପତ୍ତିଜନକ କାହାଣୀ କହି ତାଙ୍କ ମନୋଭାବ ବଦଳାଇବାକୁ ଚେଷ୍ଟା କରିଥିଲେ।
ଅନ୍ୟପକ୍ଷରେ ନିଦାଙ୍କ ଓକିଲ କହିଛନ୍ତି ଯେ, ତାଙ୍କ ମହକିଲଙ୍କୁ ମିଛ ମାମଲାରେ ଫସାଯାଇଛି। ସେ ଟିସିଏସ୍ରେ ଆସୋସିଏଟ୍ ଭାବେ କାମ କରୁଥିଲେ ଏବଂ ଏପ୍ରିଲ ୨୦୨୬ରେ ତାଙ୍କ ଚାକିରି ଚାଲିଯାଇଥିଲା। ତେବେ ଅଭିଯୋଗକାରୀ ଓ ପୀଡ଼ିତାଙ୍କ ଓକିଲ ଜାମିନକୁ ବିରୋଧ କରିଥିଲେ। ସମସ୍ତ ଦିଗକୁ ବିଚାର କରି ଅଦାଲତ ୭୫ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଏବଂ ସମପରିମାଣର ଜଣେ ଜାମିନଦାରଙ୍କ ବଦଳରେ ନିଦାଙ୍କୁ ଜାମିନ ଦେଇଛନ୍ତି।

1 hour ago
1


