ARTICLE AD BOX
କଟକ: ଚୌଦ୍ବାର ସର୍କଲ ଜେଲର ପୂର୍ବତନ ମହିଳା ଜେଲରଙ୍କ ଅଭିଯୋଗ ଆଧାରରେ ଚୌଦ୍ବାର ଥାନାରେ ରୁଜୁ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ କୁଲଦୀପ ରଥ ଦାୟର କରିଥିବା ଆଗୁଆ ଜାମିନ ଆବେଦନର ହାଇକୋର୍ଟ ଶୁଣାଣି କରି କେସ ଡାଏରି ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀ ରଥଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିଛନ୍ତି।
ଆଜି ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀ ରଥଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ବେଳେ କେସ ଡାଏରି ଦାଖଲ ପାଇଁ ସରକାରଙ୍କ ତରଫରୁ ସମୟ ଲୋଡ଼ା ଯାଇଥିଲା। ହାଇକୋର୍ଟ ଏଥି ପାଇଁ ଅନୁମତି ଦେବା ସହିତ ନଭେମ୍ବର ୨୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ ପାଇଁ ଆବେଦନକାରୀଙ୍କ ତରଫରୁ ନିବେଦନ କରାଯାଇଥିଲା। ଆବେଦନକାରୀଙ୍କ ବିରୋଧରେ ଯେଉଁ ଦଫାରେ ଅଭିଯୋଗ ରହିଛି ସେଥିରେ ସର୍ବାଧିକ ୭ ବର୍ଷ କାରାଦଣ୍ଡ ବ୍ୟବସ୍ଥା ରହିଛି। ସୁପ୍ରିମକୋର୍ଟ ଅର୍ଣ୍ଣେସ କୁମାର ଓ ସତେନ୍ଦ୍ର କୁମାର ଅନ୍ତିଲ ରାୟ ଅନୁସାରେ ମଧ୍ୟବର୍ତ୍ତିକାଳୀନ ସମୟରେ ଆବେଦନକାରୀଙ୍କୁ ଜେଲ ପଠାଇଦିଆଯିବାର ଆଶଙ୍କା ନିରାଧାର ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ କୌଣସି ପ୍ରକାର ଅନ୍ତରୀଣ ସୁରକ୍ଷା ଆବେଦନକାରୀଙ୍କୁ ହାଇକୋର୍ଟ ଆଜି ପ୍ରଦାନ କରି ନାହାନ୍ତି।
Judgement: ଅଡୁଆରେ ଚୌଦ୍ବାର ସର୍କଲ ଜେଲ୍ ବରିଷ୍ଠ ଅଧୀକ୍ଷକ; ଜାମିନ ଦେଲେନି ହାଇକୋର୍ଟ
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବତନ ଜେଲ ଡିଜି ସୁଶାନ୍ତ କୁମାର ନାଥ ଓ ତାଙ୍କ ସହଯୋଗୀ କୁହାଯାଉଥିବା ଶ୍ରୀ ରଥଙ୍କ ତରଫରୁ ଚୌଦ୍ବାର ଥାନାରେ ରୁଜୁ ଏତଲା ରଦ୍ଦ ପାଇଁ ଦାୟର କରାଯାଇଥିବା ଦୁଇ ପୃଥକ ଆବେଦନର ହାଇକୋର୍ଟ ଗତ ୬ ତାରିଖରେ ଶୁଣାଣି କରି ଅପ୍-ଟୁ-ଡେଟ୍ କେସ ଡାଏରି ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏତଲା ରଦ୍ଦ ପ୍ରସଂଗରେ ନଭେମ୍ବର ୧୧ରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ।

48 minutes ago
1


