ARTICLE AD BOX
ନୂଆଦିଲ୍ଲୀ: ୧୯୯୦ ମସିହାରେ ଅଯୋଧ୍ୟାରେ ରାମ ଜନ୍ମଭୂମି ଆନ୍ଦୋଳନ ସମୟରେ କରସେବକଙ୍କ ଉପରେ ଆଖିବୁଜା ଗୁଳି ଚଳାଯାଇଥିଲା। ତତ୍କାଳୀନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ଦଳର ସାଂସଦ ସନାତନ ପାଣ୍ଡେ ସମର୍ଥନ କରିବା ପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ସୋମବାର ବିଜେପି ସାଂସଦ ତରୁଣ ଚୁଘ୍ ଏହାକୁ ନେଇ ଏସ୍ପିକୁ ତୀବ୍ର ସମାଲୋଚନା କରିଛନ୍ତି। ଦଳର ହିନ୍ଦୁ, ସନାତନ ଧର୍ମ ଓ ଭଗବାନ ରାମ ବିରୋଧୀ ଚେହେରାକୁ ଭୁଲି ହେବ ନାହିଁ ବୋଲି ସେ କହିଛନ୍ତି।
ପାଣ୍ଡେଙ୍କ ମନ୍ତବ୍ୟ ପରେ ଏସ୍ପି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ପାଣ୍ଡେ କହିଥିଲେ, ୧୯୯୦ରେ କରସେବକଙ୍କ ଉପରେ ଗୁଳି ଚଳାଇବାକୁ ମୁଲାୟମ ସିଂହ ଯାଦବ ଦେଇଥିବା ନିର୍ଦ୍ଦେଶ ସମ୍ବିଧାନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା। ଏହା ଠିକ୍ ପଦକ୍ଷେପ ଥିଲା ବୋଲି ସେ ମତ ଦେଇଥିଲେ। ବିଜେପି ଦୀର୍ଘ ୩୫ ବର୍ଷ ଧରି ଏହି ଘଟଣାକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରି ଲୋକଙ୍କୁ ଭ୍ରମିତ କରୁଛି ବୋଲି ସେ ଅଭିଯୋଗ କରିଥିଲେ। ସାମ୍ବାଦିକମାନଙ୍କୁ ସେ କହିଥିଲେ, ସେତେବେଳେ ବିବାଦୀୟ ସ୍ଥଳର ସୁରକ୍ଷା ଦାୟିତ୍ୱ କେନ୍ଦ୍ର ଓ ରାଜ୍ୟ ପ୍ରଶାସନର ଥିଲା। ସେଠାରେ ଭାରତୀୟ ସେନା ମଧ୍ୟ ମୁତୟନ ଥିଲା। ଅଦାଲତଙ୍କ ସ୍ଥଗିତାଦେଶ ସତ୍ତ୍ୱେ କରସେବକମାନେ କିପରି ସେଠାରେ ପହଞ୍ଚିଲେ ବୋଲି ସେ ପ୍ରଶ୍ନ କରିଥିଲେ। ଯଦି ଗୁଳି ଚଳାଇବା ନିର୍ଦ୍ଦେଶ ଦିଆଯାଇ ନ ଥାନ୍ତା, ତେବେ ମସ୍ଜିଦ୍ ଧ୍ୱଂସ ହୋଇ ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ବୋଲି ପାଣ୍ଡେ ଯୁକ୍ତି ରଖିଥିଲେ।
ଆହୁରି ପଢନ୍ତୁ: Tourists Drown at Puri Beach ପୁରୀ ସମୁଦ୍ରରେ ବୁଡ଼ି ରାଜସ୍ଥାନର ୨ ଯୁବକଙ୍କ ମୃତ
ଏହାର ଜବାବରେ ବିଜେପି ସାଂସଦ ତରୁଣ ଚୁଘ୍ କହିଥିଲେ, ୧୯୯୦ ଅକ୍ଟୋବର ୩୦ରେ ଅଯୋଧ୍ୟାର ସଂକୀର୍ଣ୍ଣ ଗଳିରେ କରସେବକଙ୍କ ରକ୍ତପାତ ଘଟାଇଥିବା ଘଟଣାକୁ ଦେଶ ଭୁଲିନାହିଁ। ସରଯୂ ନଦୀ କରସେବକଙ୍କ ମୃତଦେହରେ ଭରିଯାଇଥିଲା। ଏସ୍ପିର ଏଭଳି କାର୍ଯ୍ୟକୁ ସେ ଦଳର ହିନ୍ଦୁ, ସନାତନ, ରାମ ଓ ଅଯୋଧ୍ୟା ବିରୋଧୀ ମନୋଭାବର ପ୍ରମାଣ ବୋଲି ଅଭିହିତ କରିଥିଲେ। ବିଜେପି ସାଂସଦ ରବି କିଶନ ମଧ୍ୟ ଗୋରଖପୁରରେ ଏହି ପ୍ରସଙ୍ଗରେ ଏସ୍ପିକୁ ସମାଲୋଚନା କରିଥିଲେ। ଦଳର ଶାସନ ସମୟରେ ହତ୍ୟା, ଅପରାଧ ଓ ହିଂସା ସାଧାରଣ ଘଟଣା ଥିଲା ବୋଲି ସେ ଅଭିଯୋଗ କରିଥିଲେ। ଅନ୍ୟ ବିଜେପି ନେତା ରାମ କଦମ ମଧ୍ୟ ପାଣ୍ଡେଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ଏସ୍ପି ସଭାପତି ଅଖିଳେଶ ଯାଦବ ଏ ପ୍ରସଙ୍ଗରେ ନିରବ କାହିଁକି ବୋଲି ପ୍ରଶ୍ନ କରିଥିଲେ।
ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିକଟରେ ଅଖିଳେଶ ଯାଦବଙ୍କୁ ଅଯୋଧ୍ୟାର ରାମମନ୍ଦିର ଦର୍ଶନ ପୂର୍ବରୁ ୧୯୯୦ରେ ଗୁଳିମାଡ଼ର ଶିକାର ହୋଇଥିବା କରସେବକଙ୍କୁ କ୍ଷମା ମାଗିବାକୁ କହିଥିଲେ। ଅଖିଳେଶ ଡିସେମ୍ବର ୧୨ରେ ପରିବାର ସହ ରାମମନ୍ଦିର ଯିବେ ବୋଲି ଘୋଷଣା କରିବା ପରେ ଯୋଗୀ ଏହି ଆହ୍ୱାନ ଦେଇଥିଲେ। ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପୁରୁଣା ଘଟଣାକୁ ନେଇ ରାଜନୈତିକ ବିବାଦ ପୁଣି ଜୋର ଧରିଛି।

41 minutes ago
1


