ARTICLE AD BOX
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ବିଦେଶୀ ଋଣ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ଦୁଇଗୁଣା ହୋଇଛି। ୨୦୧୫ରେ ଏହାର ମୋଟ ବିଦେଶୀ ଋଣ ୬.୪୭ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୫ରେ ଏହା ବୃଦ୍ଧି ପାଇ ୧୨.୭୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଦଶନ୍ଧି ମଧ୍ୟରେ ପାକିସ୍ତାନର ବିଦେଶୀ ଋଣ ପ୍ରାୟ ୯୭% ବୃଦ୍ଧି ପାଇଛି। ବିଶ୍ୱବ୍ୟାଙ୍କର ଇଣ୍ଟରନ୍ୟାସନାଲ ଡେବ୍ଟ ରିପୋର୍ଟ ୨୦୨୬ ଅନୁଯାୟୀ ପାକିସ୍ତାନକୁ ସର୍ବାଧିକ ଋଣ ଚୀନ ଦେଇଛି। ଚୀନଠାରୁ ଏହା ୨.୧୧ ଲକ୍ଷ କୋଟି ଟଙ୍କାର ଋଣ ଆଣିଛି। ଚୀନ ବ୍ୟତୀତ ପାକିସ୍ତାନକୁ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ଆସୋସିଏସନ (ଆଇଡିଏ) ୧.୮୧ ଲକ୍ଷ କୋଟି ଟଙ୍କା ଓ ଏଡିବି ୧.୫୮ ଲକ୍ଷ କୋଟି ଟଙ୍କାର ଋଣ ଦେଇଛନ୍ତି।
ପାକିସ୍ତାନ ପାଇଁ ବଡ଼ ଚିନ୍ତାର କାରଣ ହେଉଛି ଋଣ ଉପରେ ସୁଧ ହାର। ସରକାରୀ ଓ ଅନ୍ତର୍ଜାତୀୟ ସଂସ୍ଥାଠାରୁ ନିଆଯାଉଥିବା ନୂଆ ଋଣ ଉପରେ ହାରାହାରି ସୁଧ ୩.୬% ରହିଛି। କିନ୍ତୁ ଘରୋଇ ସଂସ୍ଥାଠାରୁ ଅଣାଯାଉଥିବା ଋଣ ଉପରେ ସୁଧ ହାର ୮.୬% ରହିଛି। ସେହିପରି ସରକାରୀ ଋଣ ପରିଶୋଧ ପାଇଁ ହାରାହାରି ୧୬ ବର୍ଷ ସମୟ ମିଳୁଥିବାବେଳେ ଘରୋଇ ଋଣ ପାଇଁ ମାତ୍ର ୩ ବର୍ଷ ସମୟ ମିଳୁଛି। ସରକାରୀ ଋଣରେ ୪ ବର୍ଷର ଅବକାଶ ସମୟ (ମୋରାଟୋରିୟମ ପରିୟଡ୍) ଥିବାବେଳେ ଘରୋଇ ଋଣରେ ଏହା ମାତ୍ର ୧ ବର୍ଷ। ପାକିସ୍ତାନକୁ ଚୀନ ଋଣ ପରିଶୋଧ କରିବାକୁ ଅଧିକ ସମୟ ଦେଉଛି। ଏଥି ସହିତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମଧ୍ୟ ବିଭିନ୍ନ ସର୍ତ୍ତ ରଖି ଆର୍ଥିକ ସହାୟତା ପ୍ରଦାନ କରୁଛି।
ଆହୁରି ପଢନ୍ତୁ: Maharastra: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ: ଦୁଇ ଏନ୍ସିପି ଗୋଷ୍ଠୀର ମିଶ୍ରଣ ଚର୍ଚ୍ଚା ଜୋର୍ ଧରିଲା
ବିଶ୍ବବ୍ୟାଙ୍କ ରିପୋର୍ଟ ଅନୁଯାୟୀ, କେବଳ ପାକିସ୍ତାନ ନୁହେଁ, ବିଶ୍ୱର ଅନେକ ବିକାଶଶୀଳ ଦେଶ ମଧ୍ୟ ଋଣ ବୋଝରେ ଚାପି ହୋଇଛନ୍ତି। ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକର ମୋଟ ବିଦେଶୀ ଋଣ ୨୦୨୫ରେ ୮୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହି ଦେଶଗୁଡ଼ିକ ଋଣ ପରିଶୋଧ ଓ ସୁଧ ବାବଦରେ ୨୦୨୫ରେ ୧୩୧.୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

36 minutes ago
1


