ARTICLE AD BOX
ନୂଆଦିଲ୍ଲୀ: କ୍ୟାନ୍ସର ଔଷଧର ଦାମ୍ରେ ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଣ ମୂଲ୍ୟ ଓ ରୋଗୀଙ୍କଠାରୁ ନିଆଯାଉଥିବା ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍ଆର୍ପି) ମଧ୍ୟରେ ବିପୁଳ ଫରକ ନେଇ ମଙ୍ଗଳବାର ସୁପ୍ରିମ୍କୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଜଣେ ରୋଗୀଙ୍କ ପାଇଁ ଆବଶ୍ୟକ କ୍ୟାନ୍ସର ଔଷଧ ଖୁଚୁରା ବ୍ୟବସାୟୀଙ୍କୁ ପ୍ରାୟ ୨,୭୦୦ ଟଙ୍କାରେ ଯୋଗାଇ ଦିଆଯାଉଥିବା ବେଳେ ତାହାର ଏମ୍ଆର୍ପି ୨୭,୦୦୦ ଟଙ୍କା ରଖାଯାଇଥିବା ଉଦାହରଣ ଦେଇ କୋର୍ଟ ପ୍ରଶ୍ନ ଉଠାଇଛନ୍ତି।
ବିଚାରପତି ବିକ୍ରମ ନାଥ ଓ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଔଷଧ ଦାମ୍ ନିୟନ୍ତ୍ରଣ, ଜେନେରିକ୍ ଔଷଧ ଲେଖିବା ଏବଂ ମେଡିକାଲ୍ ଡିଭାଇସ୍ର ମୂଲ୍ୟ ନିୟନ୍ତ୍ରଣ ସମ୍ପର୍କିତ ଆବେଦନର ଶୁଣାଣି କରୁଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ମାମଲାରେ ପକ୍ଷ ରଖିଥିଲେ।
ଖଣ୍ଡପୀଠ ପ୍ରଶ୍ନ କରିଥିଲେ, ଆବଶ୍ୟକ ଓ ଅନାବଶ୍ୟକ ଔଷଧ ମଧ୍ୟରେ ଏପରି ଫରକ କାହିଁକି ରହିବ ଏବଂ ସବୁ ଔଷଧରେ ୧୬ ପ୍ରତିଶତ ମାର୍ଜିନ୍ ଲାଗୁ କରାଯାଇପାରିବ ନାହିଁ କି? ବର୍ତ୍ତମାନ ଡ୍ରଗ୍ସ ପ୍ରାଇସେସ୍ କଣ୍ଟ୍ରୋଲ୍ ଅର୍ଡର୍ (ଡିପିସିଓ), ୨୦୧୩ ଅନୁଯାୟୀ ତାଲିକାଭୁକ୍ତ ଔଷଧର ଦାମ୍ ନିର୍ଦ୍ଧାରଣ ସମୟରେ ୧୬ ପ୍ରତିଶତ ଖୁଚୁରା ବ୍ୟବସାୟୀ ମାର୍ଜିନ୍ ଯୋଗ କରାଯାଏ। କିନ୍ତୁ ଏହି ନିୟମ ସବୁ ଔଷଧ ପାଇଁ ସମାନ ଭାବେ ଲାଗୁ ହୁଏନାହିଁ। ଏହି ମାମଲାରେ ଆବେଦନକାରୀ କିଶନ ଚନ୍ଦ ଜୈନ ଔଷଧର ଦାମ୍ ନିୟନ୍ତ୍ରଣ କଡ଼ାକଡ଼ି କରିବା, ଜେନେରିକ୍ ଔଷଧ ଲେଖିବା ବାଧ୍ୟତାମୂଳକ କରିବା ଏବଂ ମେଡିକାଲ୍ ଡିଭାଇସ୍ର ମୂଲ୍ୟ ନିୟନ୍ତ୍ରଣ ଭଳି ଦାବି କରିଛନ୍ତି।
UPI Transaction Fee ୟୁପିଆଇ କାରବାର ଉପରେ ପ୍ରସ୍ତାବିତ ଫି’କୁ ବିରୋଧ: ଘୁମୁସର ଉଦୟଗିରି ବ୍ୟବସାୟୀ ସଂଘର ଦାବିପତ୍ର
କର୍ପୋରେଟ୍ ହସ୍ପିଟାଲ୍ଗୁଡ଼ିକ ନିଜସ୍ୱ ଫାର୍ମାସିରୁ ହିଁ ରୋଗୀଙ୍କୁ ଔଷଧ କିଣିବାକୁ ବାଧ୍ୟ କରୁଥିବା ଅଭିଯୋଗ ଉପରେ ମଧ୍ୟ ଖଣ୍ଡପୀଠ ପ୍ରଶ୍ନ ଉଠାଇଛନ୍ତି। ବାହାର ଦୋକାନରୁ ଔଷଧ କିଣିଲେ ଚିକିତ୍ସା ନିଶ୍ଚିତ କରାଯିବ ନାହିଁ ବୋଲି କୁହାଯାଉଥିବା ଘଟଣାକୁ ନେଇ କୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ତୁଷାର ମେହେଟ୍ଟା ଏହି ପ୍ରସଙ୍ଗରେ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ବୋଲି କହିବା ସହ ସମସ୍ତ ପକ୍ଷର ସ୍ୱାର୍ଥ ମଧ୍ୟରେ ସନ୍ତୁଳନ ରଖି ସମାଧାନ ଖୋଜିବାକୁ ପଡ଼ିବ ବୋଲି କହିଥିଲେ। ଏହାପରେ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୨ରେ କରିବାକୁ ଧାର୍ଯ୍ୟ କରିଛନ୍ତି।

34 minutes ago
1


