Judgement: ଅବସରପ୍ରାପ୍ତଙ୍କୁ ୬୩୮୭ ଅତିଥି ଶିକ୍ଷକ ପଦରେ ନିଯୁକ୍ତି ସଂପର୍କିତ ନିଷ୍ପତ୍ତି ଉପରେ ରହିତାଦେଶ

36 minutes ago 1
ARTICLE AD BOX

କଟକ: ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସହିତ ଓଟିଇଟି ପାସ କରିଥିବା ଯୋଗ୍ୟ ଉଚ୍ଚଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ସୁଯୋଗ ନ ଦେଇ ରାଜ୍ୟ ସରକାର ବିଭିନ୍ନ ସ୍କୁଲରେ ୬୩୮୭ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ ନେଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି। ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ, ବ୍ଲକ ଗ୍ରାଣ୍ଟ ସ୍କୁଲ, ସଂସ୍କୃତ ଟୋଲରେ ୬୩୮୭ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ ସଂକ୍ରାନ୍ତୀୟ ସରକାରଙ୍କ ୨୦୨୫, ଅଗଷ୍ଟ ୧ର ନିଷ୍ପତ୍ତିର କାର୍ଯ୍ୟକାରିତା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଅକ୍ଟୋବର ୧୨କୁ ଏ ସଂପର୍କିତ ମାମଲା ଗୁଡ଼ିକର ଏକତ୍ର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୫ରୁ ବିଚାରାଧୀନ ଥିବା ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ସୁପ୍ରିମକୋର୍ଟ ନିକଟରେ ପ୍ରଦାନ କରିଥିବା ରାୟ ଅନୁସାରେ ସ୍କୁଲରେ ଆଡ-ହକ୍‌ ନିଯୁକ୍ତି ବ୍ୟବସ୍ଥାକୁ ଅନୁମତି ଦିଆଯାଇ ପାରିବ ନାହିଁ। ଟିଇଟି (ଶିକ୍ଷକ ଯୋଗ୍ୟତା ପରୀକ୍ଷା) ଯୋଗ୍ୟତା ନଥିବା ତଥା ଉପଯୁକ୍ତ ଚୟନ ପ୍ରକ୍ରିୟା ବିନା ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦିଆଯିବା ଉଚିତ ନୁହେଁ। ୨୦୨୫ର ଏହି ନିଷ୍ପତ୍ତି ପରେ ସରକାର ନିୟମିତ ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ନେଇ ନାହାନ୍ତି। ବହୁ ଯୋଗ୍ୟ ବେକାର ଯୁବକ ଯୁବତୀ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି। ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥିବା ଶିକ୍ଷକଙ୍କୁ ନିଯୁକ୍ତି ନ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ବେଳେ ସରକାରଙ୍କ ୨୦୨୫, ଅଗଷ୍ଟ ୧ର ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ବିଭିନ୍ନ ସରକାରୀ, ଅନୁଦାନପ୍ରାପ୍ତ, ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ଓ ସଂସ୍କୃତ ଟୋଲ ଗୁଡ଼ିକରେ ୨୦୨୫-୨୬ ଶିକ୍ଷା ବର୍ଷରେ ୬୩୮୭ ଅତିଥି ଶିକ୍ଷକଙ୍କ ନିଯୁକ୍ତି ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ ୨୦୨୫, ଅଗଷ୍ଟ ୧ର ଗଣଶିକ୍ଷା ବିଭାଗ ଚିଠିରେ କୁହାଯାଇଥିଲା। ଏହି ଚିଠି ଆଧାରରେ କେତେକ ଜିଲ୍ଲାରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମଧ୍ୟ ନିଯୁକ୍ତି ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଶିକ୍ଷକ ନିଯୁକ୍ତି ନ କରି ଏପରି ଭାବେ ଅତିଥି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ବେଆଇନ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ମାମଲା ୨୦୨୫, ସେପ୍ଟେମ୍ବରରେ ଦାୟର ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଶିକ୍ଷା ଅଧିକାର ଆଇନ ଓ ଏନସିଟିଇ ନିୟମାବଳୀ ଉଲ୍ଲଂଘନ କରି ଅବସରପ୍ରାପ୍ତଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି। ଅବସରପ୍ରାପ୍ତ ଶିକ୍ଷକଙ୍କ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ନାହିଁ। 

Judgement: ଓଡ଼ିଶା ହାଇକୋର୍ଟରୁ ବିଦ୍ୟାଭାରତୀଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି

ବେକାର ଉଚ୍ଚଶିକ୍ଷିତ ଯୁବ ବର୍ଗ ପାଇଁ ଏପରି ସରକାରୀ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରୁଛି। ତେଣୁ ୬୩୮୭ ଅତିଥି ଶିକ୍ଷକ ନିଯୁକ୍ତି ସଂପର୍କିତ ନିଷ୍ପତ୍ତିକୁ ରଦ୍ଦ କରାଯାଉ। ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୬୩୮୭ ପଦ ପୂରଣ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ୨୦୨୫, ସେପ୍ଟେମ୍ବର ୨୩ରେ ହାଇକୋର୍ଟ ମାମଲାର ଶୁଣାଣି କରି ଖାଲି ପଦବି ପାଇଁ ନିୟମିତ ବ୍ୟବଧାନରେ କାହିଁକି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେଉ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏଥି ସହିତ ଶିକ୍ଷିତ ଯୁବକ ଯୁବତୀ କୁଆଡେ ଯିବେ ବୋଲି ହାଇକୋର୍ଟ ଶୁଣାଣି ବେଳେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସମୀର କୁମାର ଦାସ ମାମଲା ପରିଚାଳନା କରୁଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.