ARTICLE AD BOX
ମଣିଷ ହୁଅନ୍ତୁ କି ଅନ୍ୟ କୌଣସି ଜୀବ, ସେମାନଙ୍କ ଜୀବନଧାରଣ ପାଇଁ ପାଣି ନିତାନ୍ତ ଆବଶ୍ୟକ। ତେବେ ଏମିତି ଏକ ଜୀବ ଅଛି, ଯିଏ ନିଜ ଜୀବନ କାଳରେ କେବେ ବି ପାଣି ପିଏ ନାହିଁ! ପ୍ରକୃତିର ଏହି ବିଚିତ୍ର ଜୀବ ହେଉଛି ‘କଙ୍ଗାରୁ ରୢାଟ୍’। ମରୁଭୂମିର ଅତ୍ୟନ୍ତ ଶୁଷ୍କ ପରିବେଶରେ ରହି ମଧ୍ୟ ସିଧାସଳଖ ପାଣି ନପିଇ ବଞ୍ଚିପାରେ।
Horoscope 2026 September 29: ଜାଣନ୍ତୁ ଆଜିର ରାଶିଫଳ...
କଙ୍ଗାରୁ ରୢାଟ୍ ମୁଖ୍ୟତଃ ଉତ୍ତର ଆମେରିକାର ଶୁଷ୍କ ମରୁଭୂମି ଅଞ୍ଚଳରେ ଦେଖାଯାଏ। ଆକାରରେ ଛୋଟ ହେଲେ ମଧ୍ୟ ଏହାର ପଛ ଗୋଡ଼ ଲମ୍ବା ଓ ଶକ୍ତିଶାଳୀ। ଲମ୍ବା ଲାଞ୍ଜ ଏବଂ କଙ୍ଗାରୁ ଭଳି ଡେଇଁ ଡେଇଁ ଚାଲିବା ଯୋଗୁଁ ଏହାର ନାମ ‘କଙ୍ଗାରୁ ରୢାଟ୍’ ହୋଇଛି। ଏହାର ଗାଲର ବାହାର ପଟେ ଖାଦ୍ୟ ସଞ୍ଚୟ କରି ରଖିବା ପାଇଁ ବିଶେଷ ଥଳି ମଧ୍ୟ ରହିଥାଏ। ତେବେ ପାଣି ନପିଇ ଏହା କିପରି ବଞ୍ଚିଥାଏ? ଏହାର ରହସ୍ୟ ରହିଛି କଙ୍ଗାରୁ ରୢାଟ୍ର ଖାଦ୍ୟ ଓ ଶରୀରର ବିଶେଷ ସଂରଚନାରେ। କଙ୍ଗାରୁ ରୢାଟ୍ ମୁଖ୍ୟତଃ ଶୁଖିଲା ମଞ୍ଜି ଓ ମଞ୍ଜିଜାତୀୟ ଖାଦ୍ୟ ଖାଏ। ଏହି ଖାଦ୍ୟ ଶରୀରରେ ଭାଙ୍ଗି ଶକ୍ତି ଉତ୍ପାଦନ କରିବା ସମୟରେ କିଛି ପରିମାଣର ଜଳ ମଧ୍ୟ ତିଆରି ହୁଏ। ଏହାକୁ ‘ମେଟାବଲିକ୍ ଜଳ’ କୁହାଯାଏ। ଏହି ଜଳ ତାହାର ଶରୀରର ଜଳ ଆବଶ୍ୟକତା ପୂରଣରେ ସାହାଯ୍ୟ କରେ।
କଙ୍ଗାରୁ ରୢାଟ୍ର ବୃକ୍କ ମଧ୍ୟ ଜଳ ସଞ୍ଚୟ କରିବାରେ ବହୁତ ଦକ୍ଷ। ଏହା ଶରୀରରୁ ଖୁବ୍ କମ୍ ଜଳ ବାହାର କରେ। କଙ୍ଗାରୁ ରୢାଟ୍ର ଶରୀର ମୂତ୍ର ତିଆରି କରିବା ସମୟରେ ଅତି କମ୍ ପାଣି ବାହାର କରେ। ଫଳରେ ଶରୀରରେ ଅଧିକ ପାଣି ସଞ୍ଚିତ ରହିଥାଏ। ଦିନରେ ଅତ୍ୟଧିକ ଗରମ ଥିବାରୁ କଙ୍ଗାରୁ ରୢାଟ୍ ଗାତ ଭିତରେ ରହିଥାଏ ଏବଂ ସାଧାରଣତଃ ରାତିରେ ବାହାରକୁ ଆସିଥାଏ। ଏହାଦ୍ୱାରା ଶରୀରରୁ ଜଳ ହ୍ରାସ ମଧ୍ୟ କମ୍ ହୁଏ। ଏହିପରି ଭାବେ ଖାଦ୍ୟରୁ ମିଳୁଥିବା ମେଟାବଲିକ୍ ଜଳ, ଜଳ ସଞ୍ଚୟ କରିବାରେ ଦକ୍ଷ ବୃକ୍କ ଏବଂ ମରୁଭୂମିର ପରିବେଶ ସହ ଖାପ ଖୁଆଇଥିବା ଜୀବନଶୈଳୀ ଯୋଗୁଁ କଙ୍ଗାରୁ ରୢାଟ୍ ସିଧାସଳଖ ପାଣି ନପିଇ ମଧ୍ୟ ବଞ୍ଚିପାରେ।

34 minutes ago
2


