ARTICLE AD BOX
ନୂଆଦିଲ୍ଲୀ: ଲୋକସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ସଂଶୋଧନ ବିଲ୍ (ଏଫ୍ସିଆର୍ଏ) ୨୦୨୬କୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯାଇଛି। ବୁଧବାର ବିରୋଧୀ ସାଂସଦଙ୍କ ତୀବ୍ର ବିରୋଧ ଓ ପ୍ରବଳ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ସରକାର ଲୋକସଭାରେ ଏକ ପ୍ରସ୍ତାବ ଆଗତ କରିଥିଲା। ଆଗତ ପ୍ରସ୍ତାବକୁ ବାଚନିକ ଭୋଟ ମାଧ୍ୟମରେ ଗୃହୀତ କରାଯାଇଥିଲା। ଏଫସିଆର୍ଏ ବିଲ୍କୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟଅଖିଳେଶ ଯାଦବ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀକିରେନ୍ ରିଜିଜୁଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ସରକାର ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରି ଏହି ବିଲ୍ ଆଣିଥିବା ଅଖିଳେଶ ଯୁକ୍ତି ରଖିଥିଲେ। ଅଖିଳେଶ କହିଥିଲେ, ସମଗ୍ର ବିରୋଧୀ ଦଳ ଏହି ବିଲ୍କୁ ବିରୋଧ କରୁଛି। ଏହି ସରକାର ଏପର୍ଯ୍ୟନ୍ତ କେଉଁ ବିଲ୍ ଆଣିଛି ଯାହା ସଂଖ୍ୟାଲଘୁଙ୍କ ବିରୋଧରେ ନୁହେଁ ବୋଲି ପ୍ରଶ୍ନ କରିଥିଲେ।
ରିଜିଜୁ ଜବାବରେ କହିଥିଲେ ଯେ, ବିରୋଧୀ ଦଳ ଗୃହକୁ ଭ୍ରମିତ କରୁଛନ୍ତି। ମୁଁ ଅଖିଳେଶ ଯାଦବଙ୍କୁ ଚ୍ୟାଲେଞ୍ଜ କରୁଛି ଯେ, ସେ ଆମକୁ ସଂଖ୍ୟାଲଘୁଙ୍କ ବିରୋଧରେ ଥିବା ଗୋଟିଏ ବିନ୍ଦୁ କୁହନ୍ତୁ। ସେ ଏହା ମଧ୍ୟ କହିଥିଲେ ଯେ, ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବାର କୌଣସି ପ୍ରଶ୍ନ ଉଠୁନାହିଁ ଓ ଦେଶ ଏକ ଆଇନଗତ ଢାଞ୍ଚା ବିନା ବିଦେଶୀ ପାଣ୍ଠିକୁ ଦେଶକୁ ଆସିବାକୁ ଦେଇପାରିବ ନାହିଁ। ପୂର୍ବରୁ ଲୋକସଭା ମୁଲତବୀ ହେବା ପରେ କାର୍ଯ୍ୟ ଆରମ୍ଭ ହେବା ପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏଫସିଆର୍ଏ ବିଲ୍କୁ ଜେପିସିକୁ ପଠାଇବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। କଂଗ୍ରେସ ସାଂସଦ କେସି ବେଣୁଗୋପାଳ ସରକାର ଏହି ବିଲ୍ ପ୍ରତ୍ୟାହାର କରିବାକୁ ଦାବି କରି ଅଭିଯୋଗ କରିଛନ୍ତି ଯେ, ଏହା ସଂଖ୍ୟାଲଘୁ ଓ ଏନଜିଓମାନଙ୍କୁ ଟାର୍ଗେଟ କରିବା ପାଇଁ ଉଦ୍ଦିଷ୍ଟ। ସରକାର ଏହି ବିଲ୍ ପ୍ରତ୍ୟାହାର କରିବା ଉଚିତ। ରିଜିଜୁ କହିଛନ୍ତି ଯେ, କଂଗ୍ରେସ ନିଜେ ଦାବି କରିଛି ଯେ, ବିଲ୍କୁ ଜେପିସି ନିକଟକୁ ପଠାଯାଉ ଓ ବିରୋଧୀ ଦଳକୁ କମିଟି ପ୍ରକ୍ରିୟା ବ୍ୟବହାର କରି ନିଜର ଚିନ୍ତା ପ୍ରକାଶ କରିବାକୁ ଅନୁରୋଧ କରିଛି। ସେ କହିଛନ୍ତି ଯେ, ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବାର କୌଣସି ପ୍ରଶ୍ନ ଉଠୁନାହିଁ ଓ ବେଣୁଗୋପାଳ ଗୃହକୁ ଭ୍ରମିତ କରନାହିଁ ବୋଲି କହିଥିଲେ।
ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓ ଓ ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଡୁହୋମା ପୂର୍ବରୁ ବିଲ୍ଟିକୁ ବିସ୍ତୃତ ତର୍ଜମା ପାଇଁ ଏକ ମିଳିତ କମିଟିକୁ ପଠାଇବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍ କେ ସାଙ୍ଗମା ମଧ୍ୟ କେନ୍ଦ୍ର ନିକଟରେ ଏହାର ବ୍ୟବସ୍ଥା ଉପରେ ଚିନ୍ତା ପ୍ରକାଶ କରିଥିଲେ। ପ୍ରସ୍ତାବିତ ଯୁଗ୍ମ କମିଟିରେ ୩୧ ଜଣ ସଦସ୍ୟ ରହିବେ, ଯେଉଁଥିରେ ଲୋକସଭାରୁ ୨୧ ଜଣ ଏବଂ ରାଜ୍ୟସଭାରୁ ୧୦ ଜଣ ସଦସ୍ୟ ରହିବେ। ଲୋକସଭା ସଦସ୍ୟମାନଙ୍କୁ ବାଚସ୍ପତିଙ୍କ ଦ୍ୱାରା ମନୋନୀତ କରାଯିବ, ରାଜ୍ୟସଭା ସଦସ୍ୟମାନଙ୍କୁ ରାଜ୍ୟସଭାର ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ କରାଯିବ।

1 hour ago
1


