ARTICLE AD BOX
ରାଞ୍ଚି: ଝାଡ଼ଖଣ୍ଡରେ ସରକାରୀ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଆନ୍ଦୋଳନରତ ଛାତ୍ର ଏବଂ ଚାକିରି ଆଶାୟୀଙ୍କ ଆନ୍ଦୋଳନ ମଙ୍ଗଳବାର ୧୮ଶ ଦିନରେ ପହଞ୍ଚିଛି। ଏହାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ସକାଳ ୮ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ‘ଏବିଭିପି’ ପୁରୁଣା ବିଧାନସଭାରୁ ନୂତନ ବିଧାନସଭା ପରିସର ପର୍ଯ୍ୟନ୍ତ ‘ବିଧାନସଭା ମାର୍ଚ୍ଚ’ ପାଇଁ ଯୋଜନା କରିଛି।
ଆହୁରି ପଢ଼ନ୍ତୁ- Mamata Banerjee: ମମତାଙ୍କ ଉପରେ ଆକ୍ରମଣ ଗଣତନ୍ତ୍ର ଉପରେ ଆଘାତ: କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କଲା ଶିବସେନା ୟୁବିଟି
ବିଜେପିର ରାଜ୍ୟବ୍ୟାପୀ ବନ୍ଦ ଡାକରା
ଗତ ଜୁଲାଇ ୨୫ ତାରିଖରୁ ନିଯୁକ୍ତି ପରୀକ୍ଷାରେ ସ୍ୱଚ୍ଛତା, ଝାଡ଼ଖଣ୍ଡ ଲୋକସେବା ଆୟୋଗ (ଜେପିଏସସି) ଏବଂ ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ (ଜେଏସଏସସି)ରେ ସଂସ୍କାର, କେତେକ ବିବାଦୀୟ ପରୀକ୍ଷାର ବାତିଲ ଏବଂ ସିବିଆଇ କିମ୍ବା ରାଜ୍ୟ ବାହାରର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ନିରପେକ୍ଷ ତଦନ୍ତ ଦାବିରେ ଛାତ୍ରମାନେ ଆନ୍ଦୋଳନ ଚଳାଇଛନ୍ତି। ୬ ଜଣ ଆନ୍ଦୋଳନକାରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରକାର ଏବଂ ଆନ୍ଦୋଳନରତ ‘ଜେପିଏସସି-ଜେଏସଏସସି ମଞ୍ଚ’ ମଧ୍ୟରେ ରବିବାର ହୋଇଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ବିନା କୌଣସି ନିଷ୍କର୍ଷରେ ଶେଷ ହୋଇଛି। ୯୮ ପ୍ରତିଶତ ଦାବି ଗ୍ରହଣ କରାଯାଇଥିବା ସତ୍ତ୍ୱେ ଛାତ୍ରମାନେ ଜିଦରେ ଅଟଳ ଥିବା ସରକାରୀ ପ୍ୟାନେଲ କହିଥିବା ବେଳେ ଆନ୍ଦୋଳନକାରୀମାନେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୋମବାର ପ୍ରତିବାଦକାରୀମାନେ ବିଧାନସଭା ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବା ପାଇଁ ଲାଠିଚାର୍ଜ, ୱାଟର କାନନ୍ ଏବଂ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଏହି ସଂଘର୍ଷରେ ଅନେକ ଆନ୍ଦୋଳନକାରୀ ଆହତ ହୋଇଥିବା ବେଳେ ୧୪ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ରାଞ୍ଚି ପୁଲିସ ଦାବି କରିଛି।
ଆହୁରି ପଢ଼ନ୍ତୁ- Truck Accident: ଓଭରବ୍ରିଜ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଲଙ୍କା ବୋଝେଇ ଟ୍ରକ, ଜଣେ ଆହତ
‘ବିଧାନସଭା ମାର୍ଚ୍ଚ’ ଯୋଜନା କରୁଛି ଏବିଭିପି
ଅନ୍ୟପଟେ, ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲା ରୁଜୁ କରିଥିବା ବେଳେ ଝାଡ଼ଖଣ୍ଡ ସିଆଇଡି ଜେପିଏସସିର ପୂର୍ବତନ ଅଧ୍ୟକ୍ଷ ଏଲ୍. ଖିଆଙ୍ଗତେଙ୍କୁ ଗିରଫ କରିଛି। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୨୦ରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ପ୍ରତିବାଦକାରୀ ଛାତ୍ରମାନଙ୍କୁ “ଆଲୋଚନା ଓ ବିଶ୍ୱାସ” ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଅପିଲ୍ କରିଛନ୍ତି ଏବଂ ବିଜେପି ରାଜନୈତିକ ଫାଇଦା ପାଇଁ ଯୁବକମାନଙ୍କୁ ବିଭ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଛନ୍ତି। ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିବା ବେଳେ ବିଜେପି ଓ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ତାଙ୍କୁ ସମାଲୋଚନା କରି କଂଗ୍ରେସ ଶାସକ ମେଣ୍ଟର ଅଂଶବିଶେଷ ବୋଲି କହିଛନ୍ତି। ସରକାରୀ ସୂଚନା ଅନୁଯାୟୀ, ୧୪ଶ ଜେପିଏସସି ପରୀକ୍ଷା ଏବଂ ୨୦୨୩ ଓ ୨୦୨୫ର ବ୍ୟାକଲଗ୍ ପରୀକ୍ଷା ବାତିଲ କରିବାକୁ ସରକାର ସମ୍ମତି ଜଣାଇଛନ୍ତି। ତେବେ ଜେଏସଏସସି-ସିଜିଏଲ୍ ପରୀକ୍ଷା କୋର୍ଟଙ୍କ ପ୍ରତ୍ୟକ୍ଷ ନଜରଦାରୀରେ ହୋଇଥିବାରୁ ଏହାକୁ ବାତିଲ କରାଯାଇପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସିଆଇଡି ତଦନ୍ତର ତଦାରଖ ପାଇଁ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ୱରେ କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ହେଁ ଆନ୍ଦୋଳନକାରୀମାନେ ଏପର୍ଯ୍ୟନ୍ତ ସିବିଆଇ ତଦନ୍ତ ଦାବିରେ ଅଡ଼ିବସିଛନ୍ତି।
ଅଧିକ ଦେଖନ୍ତୁ-

1 hour ago
1


