ISKCON's unscheduled Rath Yatra: ଇସ୍କନ୍‌ର ଅ-ତିଥି ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ପୁଣି ଚିଠି: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ

2 hours ago 1
ARTICLE AD BOX

ପୁରୀ: ବାରମ୍ବାର ଶାସ୍ତ୍ରୀୟ ବିଧି ବିଧାନକୁ ଉଲ୍ଲଂଘନ କରି ଇସ୍କନ୍‌ ଆୟୋଜନ କରୁଥିବା ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ବନ୍ଦ କରିବାକୁ ପୁଣି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ନିର୍ଦ୍ଦିଷ୍ଟ ତିଥିରେ ମୂଳପୀଠ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଆୟୋଜନ ହେଉଛି। ଗଜପତି ମହାରାଜ, ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀଜଗନ୍ନାଥ ସଂସ୍କୃତି ବିଦ୍ବାନମାନଙ୍କ ବାରମ୍ବାର ହସ୍ତକ୍ଷେପ, ଚିଠି ଓ ଆକ୍ରୋଶ ପରେ ମଧ୍ୟ ଇସ୍କନ୍‌ ସେ ସବୁକୁ ବେଖାତିର କରିଚାଲିଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତ୍ବରିତ ଏହି ମାମଲାରେ ହସ୍ତକ୍ଷେପ ପୂର୍ବକ ଉପଯୁକ୍ତ ପଦକ୍ଷେପ ନେବାକୁ ଗଜପତି ମହାରାଜ ଚିଠିରେ ଉଲ୍ଲେଖ କରିଛନ୍ତି। 

ISKCON Rath Yatra: ଇସ୍କନ ଅ-ତିଥିରେ ରଥଯାତ୍ରା କରି ପରମ୍ପରା କ୍ଷୁଣ୍ଣ କରୁଛି: ମୁଖ୍ୟମନ୍ତ୍ରୀ

ଏହି ପ୍ରସଙ୍ଗରେ ଗଜପତି ଗତ ଏପ୍ରିଲ ୨୦ ତାରିଖରେ ମଧ୍ୟ ରାଷ୍ଟ୍ରପତିଙ୍କୁ ଅବଗତ କରିଥିଲେ। ଗତବର୍ଷ ଅକ୍ଟୋବର ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଉପଯୁକ୍ତ ପଦକ୍ଷେପ ପାଇଁ ସହାୟତା ଲୋଡ଼ିଥିଲେ। ଉଭୟ ନିରବ ରହିବାରୁ ବାଧ୍ୟ ହୋଇ ପୁନର୍ବାର ଚିଠି ଲେଖିଛନ୍ତି। ଗଜପତି ଚିଠି‌ରେ ଉଲ୍ଲେଖ କରିଛନ୍ତି ଯେ ମେ ୧ରୁ ଅଗଷ୍ଟ ୯ ତାରିଖ ମଧ୍ୟରେ ୨୮ ସ୍ଥାନରେ ସ୍ଥାନଯାତ୍ରା ଆୟୋଜନ ହୋଇଛି ଏବଂ ହେବାକୁ ଯାଉଛି। ସେହିଭଳି ମେ ୨ରୁ ଜୁଲାଇ ୫ ତାରିଖ ମଧ୍ୟରେ ୪୫ଟି ସ୍ଥାନରେ ଅ-ତିଥି ରଥଯାତ୍ରା ଆୟୋଜନ ହୋଇସାରିଛି। ପୁଣି ଜୁଲାଇ ୧୧ରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ଆହୁରି ୪୦ଟି ସ୍ଥାନରେ ବିଦେଶରେ ଅ-ତିଥିରେ ରଥଯାତ୍ରା ଆୟୋଜନ ହେବାକୁ ଯାଉଛି। 

ସମଗ୍ର ଦେଶ ଓ ବିଦେଶରେ ଜଗନ୍ନାଥ ପ୍ରେମୀ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ବିରୋଧରେ ସ୍ବର ଉଠାଉଛନ୍ତି। ବିରୋଧ ପ୍ରଦର୍ଶନ କରି ଶାସ୍ତ୍ରୀୟ ନିର୍ଦ୍ଦେଶ ମୁତାବକ ରଥଯାତ୍ରା ପାଳନ କରିବା ଲାଗି ସେଠାକାର ବିଦେଶୀ ଇସ୍କନ୍‌ ଶାଖା ମୁଖ୍ୟଙ୍କୁ ଲିଖିତ ଭାବେ ଅବଗତ କରାଉଛନ୍ତି। ପ୍ରାଚୀନ ଶାସ୍ତ୍ରରେ ଉଲ୍ଲେଖ ଥିବା ‘ତିଥି’ର ପ୍ରମାଣ ଦେଉଛନ୍ତି। ତଥାପି ଇସ୍କନ୍‌ ନିଜ ସୁବିଧା ଅନୁସା‌ରେ ଅଦିନିଆ ରଥଯାତ୍ରା ଆୟୋଜନ କରି ବିଶ୍ବର ଅଗଣିତ ଜଗନ୍ନାଥପ୍ରେମୀ ଭକ୍ତମାନଙ୍କ ଭାବାବେଗକୁ କୁଠାରାଘାତ କରିଚାଲିଛନ୍ତି। ସନାତନ ବୈଦିକ ଧର୍ମ ଗୁରୁ ଶଙ୍କରାଚାର୍ଯ୍ୟ ଓ ବୈଷ୍ଣବାଚାର୍ଯ୍ୟ ଏଥିରେ ହସ୍ତକ୍ଷେପ ପୂର୍ବକ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ବେଳେ ଶାସ୍ତ୍ରର ନିର୍ଦ୍ଦେଶକୁ ଅନୁସରଣ କରିବାକୁ ପରାମର୍ଶ ଦେଲେ। ତଥାପି ଇସ୍କନ୍‌ ଏହାକୁ ମାନିଲା ନାହିଁ। ଏ ସଂକ୍ରାନ୍ତରେ ଗଜପତି ପଶ୍ଚିମବଙ୍ଗ ମାୟାପୁରସ୍ଥିତ ଇସ୍କନ୍‌ ମୁଖ୍ୟାଳୟର ଗଭର୍ଣ୍ଣିଂ ବଡି କମିସନ ଅଧ୍ୟକ୍ଷଙ୍କୁ ମଧ୍ୟ ପୁନର୍ବାର ଚିଠି ଲେଖି ଅ-ତିଥି ରଥଯାତ୍ରା ଆୟୋଜନ ବାରଣ କରିବାକୁ ବିଦେଶ ଇସ୍କନ୍‌ ଶାଖାକୁ ନିର୍ଦ୍ଦେଶ ଦେବାକୁ ଉଲ୍ଲେଖ କରିଛନ୍ତି। 

ISKCON Rath Yatra: ଇସ୍କନ୍‌ ଅଦିନିଆ ରଥଯାତ୍ରା କଲେ ଆଇନର ଆଶ୍ରୟ ନିଆଯିବ: ଗଜପତି

ଅନ୍ତତଃ ଆଗକୁ ହେବାକୁ ଯାଉଥିବା ୪୦ ଅ-ତିଥି ରଥଯାତ୍ରା ଓ ୪ ସ୍ନାନଯାତ୍ରା ବନ୍ଦ କରିବାକୁ ନିବେଦନ କରିଛନ୍ତି। ସେ ଏକଥା ମଧ୍ୟ ଉଲ୍ଲେଖ କରିଛନ୍ତି, ଦୁଇ ଦଶନ୍ଧି ହେଲା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ରାଜ୍ୟ ସରକାର ଓ ଜନ ଆକ୍ରୋଶ ସତ୍ତ୍ବେ ବିଦେଶରେ ଇସ୍କନ୍‌ ଅ-ତିଥି ରଥଯାତ୍ରା ବନ୍ଦ କରିବାରେ ବିଫଳ ହୋଇଛି। ତେଣୁ ମହାପ୍ରଭୁଙ୍କ ଐତିହ୍ୟର ସୁରକ୍ଷା, ଗୌରବମୟ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ଏବଂ ଅଗଣିତ ଭକ୍ତଙ୍କ ଭାବାବେଗକୁ ଗୁରୁତ୍ବ ଦେଇ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ ପୂର୍ବକ ଇସ୍କନ୍‌ର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନରେ ରୋକ୍‌ ଲଗାଇବାକୁ ଗଜପତି ଚିଠିରେ ନିବେଦନ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.