ARTICLE AD BOX
ୱାସିଂଟନ: ଇରାନ ବିରୋଧରେ ଯୁଦ୍ଧରେ ଆମେରିକାର ପ୍ରାଥମିକତା ବଦଳିଛି। ଇରାନକୁ ପରମାଣୁ ଅସ୍ତ୍ର ହାସଲରୁ ରୋକିବାକୁ ଏପର୍ଯ୍ୟନ୍ତ ଯୁଦ୍ଧର ମୁଖ୍ୟ କାରଣ ବୋଲି କହୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଏବେ ଆମେରିକୀୟ ଲୋକଙ୍କ ପାଇଁ ତେଲ ଓ ପେଟ୍ରୋଲ ଦର କମ୍ ରଖିବାକୁ ସବୁଠାରୁ ଅଧିକ ଗୁରୁତ୍ବ ଦେଉଛି। ଗୁରୁବାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି କଥା କହିଥିବା ବେଳେ ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ ଇରାନ ଉପରେ ଆହୁରି କଠୋର ଆର୍ଥିକ ପଦକ୍ଷେପ ଆସିବ ବୋଲି କହିଛନ୍ତି।
ଆହୁରି ପଢନ୍ତୁ :Census 2027: ଜନଗଣନା ୨୦୨୭: ଜାତି ସମେତ ୪୦ଟି ପ୍ରଶ୍ନର ବିଜ୍ଞପ୍ତି ଜାରି
ଫକ୍ସ ନ୍ୟୁଜ୍କୁ ଭାନ୍ସ କହିଛନ୍ତି, ଆମେରିକୀୟମାନଙ୍କ ପାଇଁ ତେଲ ଓ ଗ୍ୟାସ୍କୁ ଶସ୍ତା ରଖିବା ହେଉଛି ‘ଲକ୍ଷ୍ୟ ନମ୍ବର ଏକ’। ଇରାନକୁ ପରମାଣୁ ଅସ୍ତ୍ର ହାସଲରୁ ରୋକିବା ଦ୍ବିତୀୟ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଏହା ଫଳରେ ଯୁଦ୍ଧର ପ୍ରାଥମିକ ଉଦ୍ଦେଶ୍ୟ ନେଇ ଟ୍ରମ୍ପ ପ୍ରଶାସନର ଆଭିମୁଖ୍ୟରେ ପରିବର୍ତ୍ତନ ସ୍ପଷ୍ଟ ହୋଇଛି। ଏହି ପରିବର୍ତ୍ତନର ମୁଖ୍ୟ କାରଣ ହେଉଛି ହର୍ମୁଜ୍ ପ୍ରଣାଳୀ। ଫେବ୍ରୁଆରି ଶେଷରେ ଆମେରିକା ଓ ଇସ୍ରାଏଲ୍ ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପୂର୍ବରୁ ଏହି ଗୁରୁତ୍ବପୂର୍ଣ୍ଣ ଜଳପଥ ଖୋଲା ଥିଲା। ଯୁଦ୍ଧ ପରେ ଇରାନ ଏହା ପ୍ରାୟ ବନ୍ଦ କରିଦେଇଥିବାରୁ ବିଶ୍ବ ତେଲ ଯୋଗାଣ ଓ ଦର ଉପରେ ଚାପ ବଢ଼ିଛି। ଏବେ ଯୁଦ୍ଧର ଏକ ପ୍ରମୁଖ ଅଂଶ ହର୍ମୁଜ୍ର ନିୟନ୍ତ୍ରଣ ହୋଇଛି। ଟ୍ରମ୍ପ ପ୍ରଶାସନ ଇରାନ ଉପରେ ଆର୍ଥିକ ଚାପ ବଢ଼ାଇବା ପାଇଁ ଏହାର ବନ୍ଦରଗୁଡ଼ିକ ଉପରେ ନୌସେନା ଅବରୋଧ ଜାରି ରଖିବା ଏବଂ ତେଲ ବିକ୍ରି ରୋକିବା ଦିଗରେ ଆଗକୁ ବଢ଼ୁଛି। ବେସେଣ୍ଟ କହିଛନ୍ତି, ଆଗାମୀ ସପ୍ତାହରେ ଇରାନକୁ ବିଶ୍ବ ଦେଖିନଥିବା ଭଳି ଆର୍ଥିକ ଭାବେ ଏକଘରିଆ କରିବା ଲାଗି ନୂଆ ପଦକ୍ଷେପ ନିଆଯିବ।
ଆହୁରି ପଢନ୍ତୁ :Supreme Court: ସମୟ ରାଇନାଙ୍କ ସମେତ ୫ ଜଣଙ୍କ ବିରୋଧରେ ମାମଲା ରଦ୍ଦ କଲେ ସୁପ୍ରିମ୍କୋର୍ଟ
ଏହାରି ମଧ୍ୟରେ ଟ୍ରମ୍ପପ୍ରଶାସନ ଉପରେ ଦେଶ ଭିତରେ ମଧ୍ୟ ଚାପ ବଢ଼ିଛି। ଯୁଦ୍ଧ ଯୋଗୁଁ ପେଟ୍ରୋଲ ଦର ବଢ଼ିଥିବା ବେଳେ ନଭେମ୍ବରରେ ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ହେବ। ଯୁଦ୍ଧ ଓ ମହଙ୍ଗା ଇନ୍ଧନ ଦର ଯୋଗୁଁ ରିପବ୍ଲିକାନ୍ ଦଳ ସଂସଦରେ ନିଜ ନିୟନ୍ତ୍ରଣ ହରାଇପାରେ ବୋଲି ଆଶଙ୍କା ରହିଛି। ଏହାଛଡ଼ା ଯୁଦ୍ଧରେ ଆମେରିକା ବହୁ ଦାମୀ କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ଅସ୍ତ୍ର ବ୍ୟବହାର କରିସାରିଥିବାରୁ ତାହାର ମହଜୁଦ ମଧ୍ୟ କମିଥିବା ଖବର ରହିଛି। ହର୍ମୁଜ୍ ଖୋଲିବା ପାଇଁ ଇରାନ ଯୁଦ୍ଧ ବନ୍ଦ, ଆମେରିକୀୟ ଅବରୋଧ ହଟାଇବା, କଟକଣା ପ୍ରତ୍ୟାହାର, ଜବତ ହୋଇଥିବା ସମ୍ପତ୍ତି ଫେରାଇବା ଓ ଯୁଦ୍ଧଜନିତ କ୍ଷତିର କ୍ଷତିପୂରଣ ଭଳି ସର୍ତ୍ତ ରଖିଛି। ଆମେରିକା ଏହି ସର୍ତ୍ତଗୁଡ଼ିକ ମାନିବା ସମ୍ଭାବନା କମ୍ ଥିବାରୁ ଯୁଦ୍ଧ ଓ କୂଟନୈତିକ ଆଲୋଚନା ନେଇ ଅନିଶ୍ଚିତତା ଜାରି ରହିଛି।

1 hour ago
1


