ARTICLE AD BOX
ଦୁବାଇ: ଭାରତୀୟ ମହିଳା କ୍ରିକେଟ୍ ଦଳ ଚଳିତ ଏସିଆ କପ୍ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ପ୍ରଥମ ଦୁଇ ମ୍ୟାଚ୍ ଜିତି ସେମିଫାଇନାଲ୍ରେ ପହଞ୍ଚି ସାରିଛି। ଶନିବାର ଗ୍ରୁପ୍-ଏ’ର ଶେଷ ତଥା ହାଇଭୋଲ୍ଟେଜ୍ ମ୍ୟାଚ୍ରେ ୭ ଥରର ଏସିଆ କପ୍ ବିଜେତା ଦଳ ଭାରତ ଭେଟିବ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ। ଦର୍ଶକଙ୍କ ଆଗ୍ରହକୁ ଦେଖି କିଛି ବର୍ଷ ହେବ ଆୟୋଜକମାନେ ବହୁଦଳୀୟ ପ୍ରତିଯୋଗିତାରେ ଭାରତ-ପାକିସ୍ତାନକୁ ଗୋଟିଏ ଗ୍ରୁପ୍ରେ ରଖୁଛନ୍ତି। ହେଲେ ଦୁବାଇ ଇଣ୍ଟରନ୍ୟାସ୍ନାଲ୍ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ପାକିସ୍ତାନ ଅପେକ୍ଷା ଭାରତ ପସନ୍ଦର ଦଳ ରହିଛି। ଏସିଆ ଭିତରେ ଭାରତ ଅନ୍ୟ ଦଳ ଅପେକ୍ଷା ବହୁତ ଦୃଢ଼ ଥିବାରୁ ଶନିବାର ମ୍ୟାଚ୍ ଜିତିବା ଭାରତ ପାଇଁ ସେପରି କଷ୍ଟକର ହେବନି।
ପାକିସ୍ତାନ ବିପକ୍ଷରେ ଭାରତର ରେକର୍ଡ ଭଲ
ଗତ ସଂସ୍କରଣରେ ଶ୍ରୀଲଙ୍କାଠୁ ହାରି ଭାରତ ଉପବିଜେତା ହୋଇଥିଲା। ଭାରତ ଚଳିତ ପ୍ରତିଯୋଗିତାରେ ପ୍ରଥମ ମ୍ୟାଚ୍ରେ ବ୍ୟାଟିଂରେ ଭଲ କରି ନଥିଲେ ମଧ୍ୟ ଶେଫାଳି ବର୍ମା (୬୪)ଙ୍କ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁଁ ଥାଇଲାଣ୍ଡ ବିପକ୍ଷରେ ବଡ଼ ବିଜୟ ପାଇଥିଲା। ସେହିପରି ଦ୍ବିତୀୟ ମ୍ୟାଚ୍ରେ ହଂକଂକୁ ଭେଟି ଥିଲା ବେଳେ ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ସହଜ ବିଜୟ ପାଇଥିଲା। ଗତ ଦୁଇ ମ୍ୟାଚ୍ରେ କେବଳ ୨ ଜଣ ବ୍ୟାଟର୍ ସ୍ମୃତି ଓ ଶେଫାଳି ହିଁ ସଫଳ ହୋଇଛନ୍ତି। ଏମାନଙ୍କ ବାଦ୍ ପାକିସ୍ତାନ ବିପକ୍ଷରେ ପ୍ରତୀକା ରାୱଲ, ରିଚା ଘୋଷ, ଅଧିନାୟିକା ହରମନ୍ପ୍ରୀତ କୌରଙ୍କଠୁ ଦଳ ବଡ଼ ସ୍କୋର୍ ଆଶା ରଖିଛି। ବୋଲିଂରେ ଓପନିଂରେ କ୍ରାନ୍ତି ଗୌଡ଼ଙ୍କୁ ନନ୍ଦନୀ ଶର୍ମା ଭଲ ସହଯୋଗ କରୁଛନ୍ତି। ଏମାନଙ୍କ ପରେ ସ୍ପିନର ସେମାନଙ୍କ କାର୍ଯ୍ୟ କରିବାରୁ ବିପକ୍ଷ ଦଳ ବଡ଼ ସ୍କୋର୍ କରିପାରୁନି। ପାକିସ୍ତାନ ବିପକ୍ଷରେ ଭାରତର ମଧ୍ୟ ରେକର୍ଡ ଭଲ ରହିଛି। ଉଭୟ ଦଳ ୧୭ ଥର ମୁହଁମୁହିଁ ହୋଇଥିଲା ବେଳେ ଭାରତ ୧୪ ଓ ପାକିସ୍ତାନ ୩ଟିରେ ଜିତିଛି।
ଅନ୍ୟପକ୍ଷରେ ପାକିସ୍ତାନ ପ୍ରଥମ ମ୍ୟାଚ୍ରେ ଥାଇଲାଣ୍ଡକୁ ପାକିସ୍ତାନ ହରାଇଥିଲା। ହେଲେ ଏହି ଦଳ ପାୱର ପ୍ଲେରେ ୩ ୱିକେଟ୍ ହରାଇ ଚାପରେ ରହିଥିଲା। ଶେଷରେ ୧୧୯/୯ରେ ଅଟକିଥିଲା। ହାରିଥିଲେ ମଧ୍ୟ ଥାଇଲାଣ୍ଡ ୮୪/୮ କରି କଡ଼ା ଜବାବ ଦେଇଥିଲା।
ସମ୍ଭାବ୍ୟ ଭାରତୀୟ ଏକାଦଶ: ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ପ୍ରତୀକା ରାୱଲ, ହର୍ମନ୍ପ୍ରୀତ୍ କୌର (ଅଧିନାୟିକା), ଭାରତୀ ଫୁଲମାଳି, ରିଚା ଘୋଷ (ୱିକେଟ୍କିପର), ଦୀପ୍ତି ଶର୍ମା, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ଼, ନନ୍ଦନୀ ଶର୍ମା, ଶ୍ରୀ ଚାରଣୀ।
ସମ୍ଭାବ୍ୟ ପାକିସ୍ତାନ ଏକାଦଶ: ମୁନୀବା ଅଲୀ (ୱିକେଟ୍କିପର), ଗୁଲ ଫିରୋଜା, ଆୟେଶା ଜାଫର, ଶୱାଲ ଜୁଲଫିକର, ଫତିମା ସାନା (ଅଧିନାୟିକା), ସଦାଫ ଶାମାସ, ତୁବା ହାସନ, ଉମ-ଇ-ହାନି, ନିଶ୍ରା ସାନ୍ଧୂ, ସାଦିଆ ଇକ୍ବାଲ, ୱାହିଦା ଅଖ୍ତର।

42 minutes ago
1


