India-Nepal relation: ନେପାଳ ପାଇଁ ୧୫ ହଜାର କୋଟିର ପ୍ୟାକେଜ୍‌ ଘୋଷଣା; ହାଇଦ୍ରାବାଦ ହାଉସ୍‌ରେ ଦ୍ବିପାକ୍ଷିକ ଆଲୋଚନା

1 day ago 3
ARTICLE AD BOX

ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ଼ ହେବ। ମହାକାଶ ପ୍ରଯୁକ୍ତି, ସୁରକ୍ଷା, ସ୍ବାସ୍ଥ୍ୟସେବା, କୃଷି ଓ ସହରାଞ୍ଚଳ ବିକାଶ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ାଇବା ପାଇଁ ସୋମବାର ଦୁଇ ଦେଶ ମଧ୍ୟରେ ୮ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ ଶାହଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ଏଥିରେ ବାଣିଜ୍ୟ, ନିବେଶ, ପରିବହନ, ରେଳ ଓ ବିମାନ ସଂଯୋଗ, ଶକ୍ତି, ଜଳବିଦ୍ୟୁତ୍‌ ଓ ଭିତ୍ତିଭୂମି ବିକାଶ ଭଳି ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇଛି। ଏହି ଅବସରରେ ଦୁଇ ନେତା ଉତ୍ତରପ୍ରଦେଶର ଅଯୋଧ୍ୟା ଓ ନେପାଳର ଜନକପୁରକୁ ସଂଯୋଗ କରୁଥିବା ସରଯୁ-କମଳା ଏକ୍ସପ୍ରେସ୍‌ର ଭର୍ଚୁଆଲ୍‌ ଶୁଭାରମ୍ଭ କରିଛନ୍ତି। ବାଲେନ୍ ଶାହଙ୍କ ଦୁଇଦିନିଆ ଭାରତ ଗସ୍ତ ଅବସରରେ ଉଭୟ ନେତା ବିଭିନ୍ନ ବିକାଶ ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ କରିଛନ୍ତି।

ଦ୍ବିପାକ୍ଷିକ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ନେପାଳ ପ୍ରତିପକ୍ଷ ବାଲେନ୍ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ମୋଦୀ କହିଛନ୍ତି, ନେପାଳର ପ୍ରଧାନମନ୍ତ୍ରୀ ହେବା ପରେ ବାଲେନ୍ ଶାହଙ୍କ ପ୍ରଥମ ଭାରତ ଗସ୍ତରେ ତାଙ୍କୁ ସ୍ବାଗତ କରି ସେ ଖୁସି। କିଛି ମାସ ତଳେ ଜାତିସଂଘରେ ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ବାଲେନ୍ ଶାହଙ୍କ ଉଦ୍‌ବୋଧନରୁ ତାଙ୍କ ଦୂରଦୃଷ୍ଟି ସ୍ପଷ୍ଟ ହୋଇଥିଲା। ଏବେ ଆଲୋଚନା ସମୟରେ ମଧ୍ୟ ନେପାଳର ଭବିଷ୍ୟତ ଓ ଭାରତ ସହ ସମ୍ପର୍କ ସୁଦୃଢ଼ କରିବା ପାଇଁ ତାଙ୍କ ପ୍ରତିବଦ୍ଧତା ଦେଖିବାକୁ ମିଳିଛି। ଚଳିତ ବର୍ଷ ନେପାଳବାସୀ ତାଙ୍କୁ ଦେଇଥିବା ଐତିହାସିକ ଜନମତ ଦେଶର ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ ବୋଲି ମୋଦୀ କହିଛନ୍ତି। ଏକ ସୁଦୃଢ଼ ଓ ସମୃଦ୍ଧ ନେପାଳର ବିକାଶ ଯାତ୍ରାରେ ଭାରତ ସର୍ବଦା ସହଯୋଗୀ ହୋଇ ରହିବ ବୋଲି ସେ ଆଶ୍ବାସନା ଦେଇଛନ୍ତି।

୧୫ ହଜାର କୋଟି ପ୍ୟାକେଜ୍‌ ଘୋଷଣା

ଗତ ଅଗଷ୍ଟରେ ନେପାଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପରେ ପୁନଃନିର୍ମାଣ ଓ ବିକାଶ କାର୍ଯ୍ୟ ପାଇଁ ମୋଦୀ ୧୫ ହଜାର କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି। ନେପାଳୀ ମୁଦ୍ରାରେ ଏହାର ମୂଲ୍ୟ ୨୪ ହଜାର କୋଟି ଟଙ୍କା ହେବ। ଅନ୍ୟପକ୍ଷରେ ବାଲେନ ଶାହ କହିଛନ୍ତି, ଭାରତ-ନେପାଳ ସମ୍ପର୍କ ପାରସ୍ପରିକ ସମ୍ମାନ, ବିଶ୍ବାସ ଓ ସଦିଚ୍ଛା ଉପରେ ଆଧାରିତ। ଦୁଇ ଦେଶର ସମ୍ପର୍କ ହିମାଳୟ ପରି ଦୃଢ଼ ଏବଂ ସମୁଦ୍ର ପରି ବିଶାଳ। ଏହି ଗସ୍ତ ସମୟରେ ସ୍ବାକ୍ଷରିତ ଚୁକ୍ତିଗୁଡ଼ିକ ଦୁଇ ଦେଶର ସମ୍ପର୍କକୁ ନୂଆ ସ୍ତରକୁ ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ୨୦୨୬ ମାର୍ଚ୍ଚରେ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ବାଲେନ୍ ଶାହଙ୍କ ପ୍ରଥମ ଭାରତ ଗସ୍ତ। ସେ ମୋଦୀଙ୍କୁ ନେପାଳ ଗସ୍ତ ପାଇଁ ଆମନ୍ତ୍ରଣ କରିବା ସହ ଭାରତୀୟମାନଙ୍କୁ ପଶୁପତିନାଥ ମନ୍ଦିର ସମେତ ନେପାଳର ବିଭିନ୍ନ ଧାର୍ମିକ ଓ ପର୍ଯ୍ୟଟନସ୍ଥଳ ପରିଦର୍ଶନ କରିବାକୁ ଉତ୍ସାହିତ କରିଛନ୍ତି।

ସ୍ବାକ୍ଷରିତ ୮ଟି ବୁଝାମଣାପତ୍ର

ସ୍ବାକ୍ଷରିତ ୮ଟି ବୁଝାମଣାପତ୍ର ମଧ୍ୟରେ ଭାରତର ନ୍ୟାସନାଲ୍‌ ଫରେନସିକ୍‌ ସାଇନ୍ସ ୟୁନିଭର୍ସିଟି ଓ ନେପାଳ ପୁଲିସର ଅପରାଧ ତଦନ୍ତ ବିଭାଗ ମଧ୍ୟରେ ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ସହଯୋଗ ଅନ୍ୟତମ। ସେହିପରି ଭାରତର ଜାତୀୟ ରକ୍ଷା ବିଶ୍ବବିଦ୍ୟାଳୟ ଓ ନେପାଳର ଜାତୀୟ ପୁଲିସ ଏକାଡେମି ମଧ୍ୟରେ ସହଯୋଗ, ନେପାଳର ସରକାରୀ କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ, ଆୟୁର୍ବେଦ ସମେତ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଗବେଷଣା, ଇସ୍ରୋ ଏବଂ ନେପାଳର ସୂଚନା ଓ ଯୋଗାଯୋଗ ମନ୍ତ୍ରଣାଳୟ ମଧ୍ୟରେ ଦକ୍ଷିଣ ଏସିଆ ଉପଗ୍ରହର ବ୍ୟବହାର ପାଇଁ ଯୋଗାଯୋଗ ନେଟୱର୍କ ସ୍ଥାପନ, ସ୍ଥାୟୀ ସହରାଞ୍ଚଳ ବିକାଶ ଓ ନଗର ଯୋଜନାରେ ବୈଷୟିକ ସହଯୋଗ, ଚିକିତ୍ସା, ଔଷଧ ଓ ସ୍ବାସ୍ଥ୍ୟସେବା ସହଯୋଗ ଏବଂ ପଶୁସମ୍ପଦ ବିକାଶ ଓ ମତ୍ସ୍ୟଚାଷ କ୍ଷେତ୍ରରେ ମିଳିତ କାର୍ଯ୍ୟକ୍ରମ ସାମିଲ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.