Inderjit Khurana Award: ଇନ୍ଦର୍ଜିତ୍ ଖୁରାନା ଜାତୀୟ ପୁରସ୍କାର ପ୍ରଦାନ

36 minutes ago 1
ARTICLE AD BOX

ଭୁବନେଶ୍ବର: ସ୍ଥାନୀୟ  ସ୍ଥିତ ବୁଦ୍ଧ ମନ୍ଦିର ଠାରେ ଓଡ଼ିଶାର ଅଗ୍ରଣୀ ଶିଶୁ ଅଧିକାର କ୍ଷେତ୍ରରେ କାର୍ଯ୍ୟକରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ରୁଚିକା ସମାଜ ମଙ୍ଗଳ ସଂଗଠନ ଦ୍ଵାରା ଆୟୋଜିତ ଏକ  ବର୍ଣ୍ଣାଡ୍ୟ କାର୍ଯ୍ୟକ୍ରମରେ ସପ୍ତମ ଇନ୍ଦରଜିତ୍ ଖୁରାନା ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଭୁଵନେଶ୍ୱରର ଶିଶୁ ଅଧିକାର ସଂଗଠନ ପିକକ୍ ଅନୁଷ୍ଠାନକୁ ଏହି ପୁରସ୍କାର ମିଳିଛି। ପୁରସ୍କାର ବାବଦକୁ ଏକ ଲକ୍ଷ ଟଙ୍କା, ମାନପତ୍ର, ଉପଢୌକନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ବରିଷ୍ଠ ଗାନ୍ଧୀବାଦୀ ତଥା ସର୍ବୋଦୟ ନେତା ଶ୍ରୀ ପ୍ରହଲ୍ଲାଦ କୁମାର ସିଂହ କହିଲେ ସ୍ୱର୍ଗତ ଇନ୍ଦରଜିତ୍ ଖୁରାନା ଥିଲେ ଶତାବ୍ଦୀର କର୍ମକାର। ତାଙ୍କ ହୃଦୟ ଥିଲା ପିଲାଙ୍କ ପାଇଁ। ତାଙ୍କ ସମଗ୍ର ଜୀବନ ସେ ଦୁସ୍ଥ ଅବହେଳିତ  ପିଲାଙ୍କ ସେବା ପାଇଁ ଉତ୍ସର୍ଗ କରି ଦେଇଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜୟ କିରଣ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ପୂର୍ବତନ ମହିଳା ଓ ଶିଶୁ ବିକାଶ ବିଭାଗର ପରାମର୍ଶଦାତା ଶ୍ରୀମତୀ ସୁମିତ୍ରା ଜେନା କହିଲେ ଇନ୍ଦରଜିତ୍ ଖୁରାନଙ୍କୁ ସବୁ ପିଲା ମାମା ବୋଲି ଡାକୁଥିଲେ। କାରଣ ସେ ଥିଲେ ସବୁ ଅବହେଳିତ ପିଲାଙ୍କ ମା। ପିଲାଙ୍କ ସେବା ଥିଲା ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ।  

ରେଲୱେ ଷ୍ଟେସନରେ ରହୁଥିବା ପିଲାଙ୍କ ପାଇଁ ବିଶ୍ୱର ପ୍ରଥମ ପ୍ଲାଟଫର୍ମ ବିଦ୍ୟାଳୟ ପ୍ରତିଷ୍ଠା କରି ସେ ବହୁ ବିଶ୍ୱସ୍ତରୀୟ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇପାରି ଥିଲେ ବୋଲି ସେ ଉଲ୍ଲେଖ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାଇଲ୍ଡ ଫଣ୍ଡ ଇଣ୍ଡିଆର ରିଜିଓନାଲ ମୁଖ୍ୟ ଶ୍ରୀ ସଂଜୀବ କୁମାର ବେହେରା ସମାଜର ଅବହେଳିତ ପିଲାମାନଙ୍କ ମଙ୍ଗଳ ପାଇଁ ଇନ୍ଦରଜିତ୍ ଦେବଦୂତ ସାଜି ଆସିଥିଲେ ବୋଲି ବର୍ଣ୍ଣନା କରିଥିଲେ। ତାଙ୍କ  ଆବର୍ତ୍ତମାନ ଓଡ଼ିଶାର ପିଲାମାନଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି।

ଅତିଥି ମାନଙ୍କୁ ସ୍ୱାଗତ କରି ରୁଚିକା ଅନୁଷ୍ଠାନର ସମ୍ପାଦକ ଉମା ଶଙ୍କର ଷଡ଼ଙ୍ଗୀ କହିଲେ ଇନ୍ଦରଜିତ୍ ଖୁରାନାଙ୍କ ଭଳି ଜଣେ ବିଶ୍ୱ ସ୍ତରୀୟ ସମାଜ କର୍ମୀଙ୍କ ଅବଦାନ କୁ ସ୍ମରଣୀୟ କରି ରଖିବା ପାଇଁ ରୁଚିକା ସଂଗଠନ ଏହି ଜାତୀୟ ପୁରସ୍କାର ସ୍ଥାପନ କରିଛି। ଏକ ଉଚ୍ଚ ସ୍ତରୀୟ ଜୁରି କମିଟି ଗଠନ କରାଯାଇ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦରଖାସ୍ତ ଗୁଡ଼ିକୁ ବିଚାର କରାଯାଇ ଏହି ପୁରସ୍କାର ପିକକ୍ ଅନୁଷ୍ଠାନ କୁ ପ୍ରଦାନ କରାଯିବ ବୋଲି ମନୋନୀତ କରାଯାଇଛି।ଏତଦବ୍ୟତୀତ ପିଲା ଓ ମହିଳା ମାନଙ୍କ ସୁରକ୍ଷା ଓ ବିକାଶ କ୍ଷେତ୍ରରେ  ବିଶେଷ ଅବଦାନ ଥିବା  ଅନ୍ୟ ଦୁଇଟି ସଂଗଠନ ଯଥା ରାୟଗଡ଼ା ଜିଲ୍ଲାର ଶକ୍ତି ଅନୁଷ୍ଠାନ ଓ ଭୁବନେଶ୍ୱରର ଭିୟୁଜ ଅନୁଷ୍ଠାନ ଓ ଅନୁଗୁଳ ଜିଲ୍ଲାର ସମାଜ କର୍ମୀ କ୍ଷୀରୋଦ ସାହୁଙ୍କୁ ମନୋନୀତ କରାଯାଇଛି। 

ଏହି ଉତ୍ସବରେ ପୌରୋହିତ୍ୟ କରି ରୁଚିକାର ଉପସଭାପତି ଗୌରାଙ୍ଗ ଚରଣ ତ୍ରିପାଠୀ କହିଲେ ଇନ୍ଦରଜିତ୍ ଖୁରାନା ଥିଲେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ସମାଜ କର୍ମୀ। ଶିଶୁ ଶିକ୍ଷା ଓ ଶିଶୁ ସୁରକ୍ଷା କ୍ଷେତ୍ରରେ ତାଙ୍କର ବଳିଷ୍ଠ ପଦକ୍ଷେପ ଓ ନୂତନ ପ୍ରୟୋଗ ତାଙ୍କୁ ଚିରଦିନ ପାଇଁ ଆମର କରି ରଖିବ। ପିକକ୍ ପକ୍ଷରୁ ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଏହି ପୁରସ୍କାର ଗ୍ରହଣ କରି କହିଲେ ଇନ୍ଦର୍ ଜିତ୍ ଖୁରାନାଙ୍କ ସହିତ କାମ କରିବାର ସୁଯୋଗ ସେ ପାଇଛନ୍ତି। ପିଲାମାନଙ୍କ ପ୍ରତି ତାଙ୍କର ଅନାବିଳ ସ୍ନେହ ବିଶେଷ ଭାବେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଶହ ଶହ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେ ସାରା ଜୀବନ ଉତ୍ସର୍ଗ କରି ଦେଇଥିଲେ। ଇନ୍ଦରଜିତ୍ ଖୁରାନା ସୋସିଆଲ ଇମ୍ପାକ୍ଟ ଅୱାର୍ଡ କୁ ଶକ୍ତି ଅନୁଷ୍ଠାନ ପକ୍ଷରୁ ସମ୍ପାଦକ ଅଖିଳ ରଞ୍ଜନ ପଣ୍ଡା ଓ ଭିଉଜ ପକ୍ଷରୁ ଶ୍ରୀ ଏସ. ଭୀମା ରାଓ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ରୁଚିକା ଅନୁଷ୍ଠାନର ସହ ସମ୍ପାଦକ ତଥା ଶିଶୁ ଅଧିକାର କର୍ମୀ ଘାସିରାମ ପଣ୍ଡା। ଶେଷରେ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରୁଚିକାର ହେମନ୍ତ କୁମାର ସାହୁ, ରାମେଶ୍ୱରୀ ପ୍ରସାଦ ଦ୍ଵିବେଦୀ, ଡ. ବେଣୁଧର ସେନାପତି, ପ୍ରିୟମ୍ବଦା ତ୍ରିପାଠୀ, ଶିବାନୀ ନାୟକ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.