India-Nepal 8 MoUs: ଭାରତ-ନେପାଳ ୮ ଏମ୍‌ଓୟୁ: ୧୫ ହଜାର କୋଟିର ପ୍ୟାକେଜ୍‌

44 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ ହେବ। ମହାକାଶ ପ୍ରଯୁକ୍ତି, ସୁରକ୍ଷା, ସ୍ବାସ୍ଥ୍ୟସେବା, କୃଷି ଓ ସହରାଞ୍ଚଳ ବିକାଶ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ାଇବା ପାଇଁ ସୋମବାର ଦୁଇ ଦେଶ ମଧ୍ୟରେ ୮ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ନେପାଳ ପ୍ରତିପକ୍ଷ ବାଲେନ୍ ଶାହଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ଏଥିରେ ବାଣିଜ୍ୟ, ନିବେଶ, ପରିବହନ, ରେଳ ଓ ବିମାନ ସଂଯୋଗ, ଶକ୍ତି, ଜଳବିଦ୍ୟୁତ୍‌ ଓ ଭିତ୍ତିଭୂମି ବିକାଶ ଭଳି ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଇଛି। 

ଏହି ଅବସରରେ ଦୁଇ ନେତା ଉତ୍ତରପ୍ରଦେଶର ଅଯୋଧ୍ୟା ଓ ନେପାଳର ଜନକପୁରକୁ ସଂଯୋଗ କରୁଥିବା ସରଯୁ-କମଳା ଏକ୍ସପ୍ରେସ୍‌ର ଭର୍ଚୁଆଲ୍‌ ଶୁଭାରମ୍ଭ କରିଛନ୍ତି। ବାଲେନ୍ ଶାହଙ୍କ ଦୁଇଦିନିଆ ଭାରତ ଗସ୍ତ ଅବସରରେ ଉଭୟ ନେତା ବିଭିନ୍ନ ବିକାଶ ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ କରିଛନ୍ତି। 

ସମ୍ପର୍କ ହିମାଳୟ ପରି ଦୃଢ଼, ସମୁଦ୍ର ପରି ବିଶାଳ: ବାଲେନ୍
ଅଯୋଧ୍ୟା-ଜନକପୁର ରେଳ ଚଳାଚଳ ଶୁଭାରମ୍ଭ

ଉଭୟ ନେତା ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଦିଗରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ମୋଦୀ କହିଛନ୍ତି, ନେପାଳ ପ୍ରଧାନମନ୍ତ୍ରୀ ହେବା ପରେ ବାଲେନ୍ ଶାହଙ୍କ ପ୍ରଥମ ଭାରତ ଗସ୍ତରେ ତାଙ୍କୁ ସ୍ବାଗତ କରି ସେ ଖୁସି। କିଛି ମାସ ତଳେ ଜାତିସଂଘରେ ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ବାଲେନ୍ ଶାହଙ୍କ ଉଦ୍‌ବୋଧନରୁ ତାଙ୍କ ଦୂରଦୃଷ୍ଟି ସ୍ପଷ୍ଟ ହୋଇଥିଲା। ଗତ ଅଗଷ୍ଟରେ ନେପାଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ପରେ ପୁନଃନିର୍ମାଣ ଓ ବିକାଶ କାର୍ଯ୍ୟ ପାଇଁ ମୋଦୀ ୧୫ ହଜାର କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି। ନେପାଳୀ ମୁଦ୍ରାରେ ଏହାର ମୂଲ୍ୟ ୨୪ ହଜାର କୋଟି ଟଙ୍କା ହେବ।

ଅନ୍ୟପକ୍ଷରେ ବାଲେନ ଶାହ କହିଛନ୍ତି, ଭାରତ-ନେପାଳ ସମ୍ପର୍କ ପାରସ୍ପରିକ ସମ୍ମାନ, ବିଶ୍ବାସ ଓ ସଦିଚ୍ଛା ଉପରେ ଆଧାରିତ। ଦୁଇ ଦେଶର ସମ୍ପର୍କ ହିମାଳୟ ପରି ଦୃଢ଼ ଏବଂ ସମୁଦ୍ର ପରି ବିଶାଳ। ଏହି ଗସ୍ତ ସମୟରେ ସ୍ବାକ୍ଷରିତ ଚୁକ୍ତିଗୁଡ଼ିକ ଦୁଇ ଦେଶର ସମ୍ପର୍କକୁ ନୂଆ ସ୍ତରକୁ ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେ ମୋଦୀଙ୍କୁ ନେପାଳ ଗସ୍ତ ପାଇଁ ଆମନ୍ତ୍ରଣ କରିବା ସହ ଭାରତୀୟମାନଙ୍କୁ ପଶୁପତିନାଥ ମନ୍ଦିର ସମେତ ନେପାଳର ବିଭିନ୍ନ ଧାର୍ମିକ ଓ ପର୍ଯ୍ୟଟନସ୍ଥଳ ପରିଦର୍ଶନ କରିବାକୁ ଉତ୍ସାହିତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେପାଳ ପ୍ରଧାନମନ୍ତ୍ରୀ ଭେଟିବା ସହ ରାଜଘାଟ ଗସ୍ତ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.