Wife of a freedom fighter: ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀ ରାସ୍ତାକଡ଼ରେ: ଭତ୍ତା ପାଇଁ ୧୨ ବର୍ଷ ହେଲା ଧାଉଁଛନ୍ତି

20 minutes ago 1
ARTICLE AD BOX

ନୀଳଗିରି (ଲୋକନାଥ ଦଳେଇ): ଦେଶର ସ୍ବାଧୀନତା ପାଇଁ ସଂଗ୍ରାମ କରିଥିଲେ ସ୍ୱାମୀ। ହେଲେ ତାଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ଭତ୍ତା ବନ୍ଦ କରିଦେଲେ ସରକାର। ଗତ ୧୨ ବର୍ଷ ହେଲା ସ୍ତ୍ରୀ ପାର୍ବତୀ ପରିଣତ ବୟସରେ ଭତ୍ତା ପାଇଁ ନାତିକୁ ଧରି ଏ ଅଫିସ୍‌ରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ତଥାପି ଭତ୍ତା ମିଳୁନି। ଆର୍ଥିକ ଅନଟନ ଯୋଗୁ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ତ୍ରୀ ଏବେ ପରିବାର ସହ ରାଜ୍ୟ ରାଜପଥ କଡ଼ରେ ପଲିଥିନ୍‌ ଟାଣି ରହୁଛନ୍ତି।

ନୀଳଗିରି ବ୍ଲକ୍‌ ସଜନାଗଡ଼ ପଞ୍ଚାୟତ ୪ ନମ୍ବର ୱାର୍ଡ ଭାଲୁକାଶୁଣି ଗାଁର ସାହୁ ସିଂ (୧୯୦୬ରେ ଜନ୍ମ) ନୀଳଗିରି ଗଡ଼ଜାତ ପ୍ରଜା ଆନ୍ଦୋଳନର ଅନ୍ୟତମ ପୁରୋଧା ଥିଲେ। ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ସ୍ୱାଧୀନତା ପାଇଁ ଲଢ଼େଇ କରିଥିଲେ। ଇଂରେଜମାନେ ତାଙ୍କୁ ବନ୍ଦୀ କରିବାକୁ ଖୋଜିବାରୁ ୩ ବର୍ଷ ଯା‌ଏଁ ଘର ଛାଡ଼ି ଲୁଚି ରହିଥିଲେ ବୋଲି କୁହନ୍ତି ତାଙ୍କ ପତ୍ନୀ ପାର୍ବତୀ (୯୨)। ଦେଶ ସ୍ୱାଧୀନ ପରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଭତ୍ତା ବଣ୍ଟନ ବ୍ୟବସ୍ଥା କରିଥିଲେ ସରକାର। ହେଲେ କାଗଜପତ୍ର ତ୍ରୁଟି ଯୋଗୁଁ ବହୁବର୍ଷ ଯାଏଁ ତାଙ୍କୁ ଭତ୍ତା ମିଳିନଥିଲା। ବହୁ ସଂଘର୍ଷ ପରେ ୨୦୦୨ ମସିହାରେ ପ୍ରଥମେ ତାଙ୍କୁ ୭୦୦ ଟଙ୍କା ଭତ୍ତା ମିଳିଥିଲା। ୨୦୧୪ ମସିହାରେ ମୃତ୍ୟୁ ବେଳକୁ ସାହୁ ସିଂଙ୍କୁ ୩ ହଜାର ଟଙ୍କା ଭତ୍ତା ମିଳୁଥିଲା। ୨୦୧୪ ମେ ୨ରେ ସେ ଶେଷଥର ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଣ କରିଥିଲେ ଏବଂଏହାର ୩ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ସରକାରୀ ନିୟମ ଅନୁଯାୟୀ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କୁ ସଂଗ୍ରାମୀ ଭତ୍ତା ମିଳିବା କଥା। ହେଲେ ୧୨ ବର୍ଷ ହେଲା ନିଜ ହକ୍‌ ପାଇଁ ଲଢ଼ୁଥିଲେ ବି ଭତ୍ତା ମିଳୁନି। ବୟସର ଅପରାହ୍ଣରେ ନାତିକୁ ଧରି ବାଲେଶ୍ବରରୁ ଭୁବନେଶ୍ବର ଯାଏଁ ସବୁ ଅଫିସ୍‌, ବିଧାୟକଙ୍କଠାରୁ ସାଂସଦ ଯାଏଁ ସମସ୍ତଙ୍କୁ ଭେଟି ଗୁହାରି କରିଥିଲେ ବି ଫଳ ଶୂନ। ତାଙ୍କ ନିଜର କେହି ସନ୍ତାନ ନଥିବା ବେଳେ ପୁତୁରାର ପୁଅ ଅର୍ଥାତ୍‌ ନାତି ନୀଳମାଧବ ଓ ନାତୁଣୀ ବୋହୂ ଜ୍ୟୋତିଙ୍କ ସହ ନୀଳଗିରି-ଉଦଳା ରାଜ୍ୟ ରାଜପଥର ଭାଲୁକାଶୁଣି ଛକ ନିକଟରେ ପଲିଥିନ୍‌ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ପାର୍ବତୀ। ନାତି ଚା’ ଦୋକାନ କରିଥିବା ବେଳେ ପାର୍ବତୀ ଏ ବୟସରେ ରାସ୍ତାକଡ଼ରେ ବସି ଧାନୁଆଲଙ୍କା ବିକ୍ରି କରୁଛନ୍ତି। ଏଯାଏଁ ତାଙ୍କୁ ଆବାସ ଯୋଜନାରେ ଘରଖଣ୍ଡେ ମଧ୍ୟ ମିଳିନି। ପେଟକୁ ଗଣ୍ଡେ ଦାନା ଯୋଗାଡ଼ ପାଇଁ ସଂଘର୍ଷ କରୁଥିବା ପାବର୍ତୀଙ୍କୁ ଜୀବିତ ଅବସ୍ଥାରେ ନ୍ୟାୟ ମିଳିବ କି’ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଧିବାସୀ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.