ARTICLE AD BOX
ଭୁବନେଶ୍ବର: ସରକାରୀ ମାନ୍ୟତା, ପାରିଶ୍ରମିକ ବୃଦ୍ଧି ଓ ଅବସରକାଳୀନ ସୁବିଧା ସମେତ ୭ ଦଫା ଦାବିରେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। ଭାରତୀୟ ମଜଦୁର ସଂଘ ସହବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ର ଆହ୍ୱାନକ୍ରମେ ଗାନ୍ଧୀମାର୍ଗରେ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କର୍ମୀମାନେ ଚେତାବନୀ ଦେଇଛନ୍ତି।
ସଂଘର ଅଭିଯୋଗ ଅନୁଯାୟୀ, ୨୦୨୪ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକ ପୂରଣ କରିବାରେ ସରକାର ବିଳମ୍ବ କରୁଛନ୍ତି। ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଗାଁ ଗହଳିରେ ଶିଶୁଙ୍କ ପୁଷ୍ଟିସାଧନ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଯତ୍ନ, ସ୍ୱାସ୍ଥ୍ୟ ସଚେତନତା ଏବଂ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କାମ କରୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ ସରକାରୀ କର୍ମଚାରୀଙ୍କ ଭଳି ମାନ୍ୟତା ଓ ସୁବିଧା ମିଳୁନାହିଁ। ସଂଘର ପ୍ରମୁଖ ଦାବି ହେଉଛି, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ତୁରନ୍ତ ସରକାରୀ କର୍ମଚାରୀର ମାନ୍ୟତା ଦିଆଯାଉ। ଏହି ମାନ୍ୟତା ମିଳିବା ପର୍ଯ୍ୟନ୍ତ କର୍ମୀଙ୍କୁ ମାସିକ ୩୦ ହଜାର ଟଙ୍କା ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉ।
ସରକାରୀ କର୍ମଚାରୀ ମାନ୍ୟତା ଦାବି କଲେ / ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ: ସଂଘ
ଏଥିସହ ୨୦୨୪ ନିର୍ବାଚନ ଇସ୍ତାହାରରେ ଘୋଷିତ ପାରିଶ୍ରମିକ ବୃଦ୍ଧିକୁ ତୁରନ୍ତ ଲାଗୁ କରାଯାଉ। ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ସମସ୍ତ କର୍ମୀ ଓ ସହାୟିକାଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ କରିବା ସହ ଅବସର ସମୟରେ କର୍ମୀଙ୍କୁ ଏକକାଳୀନ ୧୦ ଲକ୍ଷ ଟଙ୍କା ଏବଂ ସହାୟିକାଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା, କାର୍ଯ୍ୟରତ ଅବସ୍ଥାରେ କୌଣସି କର୍ମୀ କିମ୍ବା ସହାୟିକାଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଏବଂ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ସରକାରୀ ଚାକିରି, ୫୫ ବର୍ଷରୁ ଊର୍ଦ୍ଧ୍ୱ କର୍ମୀଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ଏବଂ ୬୦ ବର୍ଷ ପରେ ଦୁଇବର୍ଷିଆ କାର୍ଯ୍ୟକାଳ ସମ୍ପ୍ରସାରଣ ପାଇଁ ରହିଥିବା ବାର୍ଷିକ ସମୀକ୍ଷା ପ୍ରକ୍ରିୟାକୁ ବନ୍ଦ କରିବାକୁ ଦାବି ହୋଇଛି। ସମଗ୍ର ରାଜ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଏକ ସମାନ ନୀତି ପ୍ରଣୟନ, ନିୟମିତ ପଦୋନ୍ନତି ବ୍ୟବସ୍ଥା ଏବଂ ସହାୟିକାଙ୍କ ପଦୋନ୍ନତି କ୍ଷେତ୍ରରେ ଥିବା ବୟସ ସୀମା ଉଚ୍ଛେଦ କରିବାକୁ ମଧ୍ୟ ସଂଘ ଦାବି ଜଣାଇଛି। ଅନ୍ୟପକ୍ଷରେ, ପୋଷଣ ଟ୍ରାକର୍ ପୋର୍ଟାଲ୍ରେ ତଥ୍ୟ ଅପ୍ଲୋଡ୍ କରିବାକୁ ନେଇ କର୍ମୀମାନେ ଅତିରିକ୍ତ କାର୍ଯ୍ୟଭାରର ସମ୍ମୁଖୀନ ହେଉଥିବା ଅଭିଯୋଗ ମଧ୍ୟ ଉଠିଛି। ନେଟ୍ୱର୍କ ସମସ୍ୟା ଯୋଗୁ ତଥ୍ୟ ଅପ୍ଲୋଡ୍ ହୋଇ ନ ପାରିଲେ ରାତି ପର୍ଯ୍ୟନ୍ତ ଅପେକ୍ଷା କରି କାମ କରିବାକୁ ପଡ଼ୁଥିବା ଆନ୍ଦୋଳନକାରୀ କହିଛନ୍ତି।
ସଂଗଠନର ସଭାନେତ୍ରୀ ସୁମିତ୍ରା ମହାପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବିଏମ୍ଏସ୍ର ପୂର୍ବକ୍ଷେତ୍ର ସହ ସଂଗଠନ ସମ୍ପାଦକ ପୃଥ୍ବୀରାଜ ପଣ୍ଡା, ଅଞ୍ଜଳି ପଟେଲ, ବାଦଲ ମହାରଣା, ସଚ୍ଚିଦାନନ୍ଦ ଗଡ଼ନାୟକ, ସଞ୍ଜୟ ଦେହୁରୀ, କୁଞ୍ଜଲତା ଦାସ, ବିମଳା ଲାକ୍ରା, ମନ୍ଦାକିନୀ ପ୍ରଧାନ, ପ୍ରତିମା ଦତ୍ତଙ୍କ ସମେତ ବହୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଆନ୍ଦୋଳନରେ ଭାଗ ନେଇଥିଲେ।

17 minutes ago
1


