ARTICLE AD BOX
କାକାମିଗାହାରା: ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ଅପରାଜେୟ ଧାରା ଜାରି ରଖି ଫାଇନାଲ୍ରେ ପ୍ରବେଶ କରି ସ୍ବର୍ଣ୍ଣ ବଜାୟଠୁ ଗୋଟିଏ ବିଜୟ ଦୂରରେ ରହିଛି। ଗୁରୁବାର ସେମିଫାଇନାଲ୍ରେ ଗତ ସଂସ୍କରଣ ବିଜେତା ଭାରତ ୪-୩ ଗୋଲ୍ରେ ଚିରପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ମାତ୍ ଦେଇଛି। ମ୍ୟାଚ୍ର ପଞ୍ଚମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହରମନ୍ପ୍ରୀତ ସିଂହ ଗୋଲ୍ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ।
ତ୍ରୟୋଦଶ ମିନିଟ୍ରେ ମିଳିଥିବା ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ହରମନ୍ପ୍ରୀତ ମଧ୍ୟ ଗୋଲ୍ରେ ପରିଣତ କରିବାରୁ ଭାରତ ପ୍ରଥମ କ୍ବାର୍ଟରକୁ ୨-୦ରେ ନିଜ ପକ୍ଷରେ ରଖିଥିଲା। ଦ୍ବିତୀୟ କ୍ବାର୍ଟରର ସୁଖଜିତ ସିଂହ (୨୩ ମିନିଟ୍)ଙ୍କ ଫିଲ୍ଡ ଗୋଲ୍ରେ ଭାରତ ୩-୦ରେ ଆଗରେ ରହିଥଲା। ହେଲେ ଏହି କ୍ବାର୍ଟରରେ ଶେଷ ମିନିଟ୍ରେ ପାକିସ୍ତାନକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ଆବୁ ମହମ୍ମଦ (୩୦ ମିନିଟ୍) ଗୋଲ୍ ଦେଇ ପ୍ରଥମାର୍ଦ୍ଧରେ ସ୍ଥିତି ୧-୩ କରିଥିଲେ। ତୃତୀୟ କ୍ବାର୍ଟର ଶେଷ ମିନିଟ୍ରେ ହାନାନ୍ ସାହିଦ (୪୫ ମିନିଟ୍)ଙ୍କ ଫିଲ୍ଡ ଗୋଲ୍ରେ ପାକିସ୍ତାନ ସ୍ଥିତି ୨-୩ କରିଥିଲା। ଶେଷ କ୍ବାର୍ଟରରେ ୱାହିଦ ଅଶ୍ରଫ ରାଣା (୪୮ ମିନିଟ୍) ଫିଲ୍ଡ ଗୋଲ୍ ଦେଇ ମ୍ୟାଚ୍ ସମାନ ସ୍ଥିତିକୁ ଆଣିଥିଲେ। ହେଲେ ଶେଷ ମିନିଟ୍ରେ ଭାରତୀୟ ଷ୍ଟ୍ରାଇକର୍ ଅଭିଷେକ (୬୦ ମିନିଟ୍) ଫିଲ୍ଡ ଗୋଲ୍ କରି ଦଳକୁ ବିଜୟ ଭେଟି ଦେଇଥିଲେ। ସୂଚନାଯୋଗ୍ୟ ଯେ ଭାରତ ପୁଲ-ଏ’ରେ ୫ରୁ ୫ ଜିତି ଶୀର୍ଷରେ ଏବଂ ପାକିସ୍ତାନ ପୁଲ୍-ବି’ରେ ୫ରୁ ୪ ଜିତି ଦ୍ବିତୀୟରେ ରହି ସେମିଫାଇନାଲ୍ରେ ପହଞ୍ଚିଥିଲେ।
ମନଦୀପଙ୍କ ତ୍ରିଶତକ ମ୍ୟାଚ୍
ଭାରତୀୟ ହକି ଦଳର ଷ୍ଟ୍ରାଇକର୍ ମନଦୀପ ସିଂହ ଗୁରୁବାର ତ୍ରିଶତକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ଗୁରୁବାର ଚଳିତ ଏସୀୟ କ୍ରୀଡ଼ାରେ ପାକିସ୍ତାନ ବିପକ୍ଷ ସେମିଫାଇନାଲ୍ ମ୍ୟାଚ୍ ଖେଳି ସେ ଏହି ମାଇଲ୍ଖୁଣ୍ଟ ଛୁଇଁଥିଲେ। ୨୦୧୩ରେ ୧୮ ବର୍ଷ ବୟସର ପଦାର୍ପଣ କରିଥିବା ମନଦୀପ ୨୦୨୦ ଓ ୨୦୨୪ ଅଲିମ୍ପିକ୍ସରେ ଭାରତକୁ କାଂସ୍ୟ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ହାଙ୍ଗ୍ଝୌ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ଏବଂ ୨୦୧୮ ସଂସ୍କରଣ କାଂସ୍ୟ ବିଜେତା ଭାରତୀୟ ଦଳରେ ମଧ୍ୟ ୩୧ ବର୍ଷୀୟ ମନଦୀପ ସଦସ୍ୟ ଥିଲେ। ୨୦୨୧ରେ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା। ତାଙ୍କର ଏହି ସଫଳତା ଲାଗି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଓ ସମ୍ପାଦକ ଭୋଳାନାଥ ସିଂହ ଅଭିନନ୍ଦନ ଜଣାଇଛନ୍ତି।

1 day ago
2


