ARTICLE AD BOX
ସି. ପି. ରାଧାକୃଷ୍ଣନ
ଉପରାଷ୍ଟ୍ରପତି
ଭାରତ ସରକାର
ଭାରତର ୮୦ତମ ସ୍ୱାଧୀନତା ଦିବସ ପାଳନର ଏହି ମହତ୍ତ୍ୱପୂର୍ଣ୍ଣ ଅବସରରେ, ମୁଁ ପ୍ରତ୍ୟେକ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଏଥିସହିତ, ମୁଁ ଭାରତର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ଉତ୍ସର୍ଗ କରିଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଗତ ସପ୍ତାହରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଗସ୍ତ ସମୟରେ ‘ହର ଘର ତ୍ରିରଙ୍ଗା’ ଅଭିଯାନର ଅଂଶବିଶେଷ ସ୍ୱରୂପ ଆମର ଜାତୀୟ ପତାକା ଉତ୍ତୋଳନ କରିବା ଏବଂ ମହାନ ଦେଶପ୍ରେମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ତ୍ରିରଙ୍ଗା ଉତ୍ତୋଳନର ଐତିହାସିକ ସ୍ମୃତିକୁ ଶ୍ରଦ୍ଧାଞ୍ଜଳି ଦେବାର ସୌଭାଗ୍ୟ ମୋତେ ମିଳିଥିଲା। ଏହା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣତାପୂର୍ଣ୍ଣ ଏବଂ ଗୌରବମୟ ଅନୁଭବ ଥିଲା। ଏହି ଅବସରରେ ମୁଁ ସେପ୍ଟେମ୍ବର ୧୯୩୯ରେ ଆଣ୍ଡାମାନସ୍ଥିତ ଜାତୀୟ ସ୍ମାରକୀ- ସେଲ୍ୟୁଲାର ଜେଲକୁ ମୋର ପରିଦର୍ଶନ ଆଉ ଏକ ଗଭୀର ପ୍ରେରଣାଦାୟକ ମୁହୂର୍ତ୍ତ ଥିଲା। ଏହି ଜେଲରେ ହିଁ ଭାରତମାତାଙ୍କ ମହାନ ସୁପୁତ୍ର ଶ୍ରୀ ବୀର ସାଭରକର, ଶ୍ରୀ ଯୋଗେନ୍ଦ୍ର ଶୁକ୍ଳ, ଶ୍ରୀ ବଟୁକେଶ୍ୱର ଦତ୍ତ, ଶ୍ରୀ ସଚିନ୍ଦ୍ର ନାଥ ସାନ୍ୟାଲଙ୍କ ସମେତ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉପନିବେଶବାଦୀ ଶକ୍ତି ବନ୍ଦୀ କରି ଏକାନ୍ତ କାରାବାସରେ ରଖିଥିଲେ। ଆଜି ମଧ୍ୟ, ଏହି ଜାତୀୟ ସ୍ମାରକୀର କାନ୍ଥସବୁ ଭାରତର ସ୍ୱାଧୀନତା ଓ ସମ୍ମାନ ପାଇଁ ନିଜ ଜୀବନ ସମର୍ପି ଦେଇଥିବା ବୀରମାନଙ୍କ ସାହସ, ସେମାନଙ୍କୁ ଦିଆଯାଇଥିବା ନିର୍ଯାତନା ଏବଂ ସର୍ବୋଚ୍ଚ ବଳିଦାନର କାହାଣୀ ବର୍ଣ୍ଣନା କରୁଥିବା ପରି ମନେହୁଏ।
BSNL's big decision: ବିଏସ୍ଏନ୍ଏଲ୍ର ବଡ଼ ନିଷ୍ପତ୍ତି: ୩୫୦ ଜମି ଲିଜ୍ ଦେବ, ନ ହେଲେ ବିକିବ
ଆମ ସ୍ୱାଧୀନତା ସଂଗ୍ରାମୀମାନେ ନିଜର ଜୀବନକାଳରେ ଉପନିବେଶବାଦୀ ଶକ୍ତି ବିରୋଧରେ ଦୁର୍ବାର ସଂଘର୍ଷ କରିଥିଲେ। ସେହି ସ୍ୱାଧୀନତା ସଂଗ୍ରାମୀ ପିଢ଼ିଙ୍କ କାରଣରୁ ଆଜି ଆମକୁ ସ୍ୱାଧୀନ ଭାବେ ଜୀବନ ନିର୍ବାହ କରିବା ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଅଧୀନରେ ସାମ୍ବିଧାନିକ ଅଧିକାର ସହିତ ବଞ୍ଚିବାର ସୌଭାଗ୍ୟ ମିଳିଛି। ସେ ସମୟରେ ଦେଶର କୋଣଅନୁକୋଣରେ କୋଟି କୋଟି ବୀର ସ୍ୱାଧୀନତା ସଂଗ୍ରାମୀ ଅତୁଟ ସମର୍ପଣ ଓ ତ୍ୟାଗ ସହିତ ଏହି ସଂଘର୍ଷରେ ସାମିଲ ହୋଇଥିଲେ। ଅନେକ ବୀର ଭାରତମାତାଙ୍କ ସ୍ୱାଧୀନତା ପାଇଁ ନିଜ ଜୀବନକୁ ସମର୍ପି ଦେଇଥିଲେ।
ଉତ୍ତରରେ କାଶ୍ମୀରରୁ ହେଉ କିମ୍ବା ଦକ୍ଷିଣରେ ତାମିଲନାଡୁ, ପଶ୍ଚିମରେ ଗୁଜରାଟ ଅଥବା ପୂର୍ବରେ ଆସାମ ହେଉ, ଦେଶର ସବୁ ଅଞ୍ଚଳ, ବର୍ଗ, ବୟସ, ଗୋଷ୍ଠୀ ଓ ଲିଙ୍ଗର ସ୍ୱାଧୀନତା ସଂଗ୍ରାମୀମାନେ ଏକତ୍ରିତ ହୋଇ ଭାରତମାତାଙ୍କ ସ୍ୱାଧୀନତା ପାଇଁ ଗୋଟିଏ ଲକ୍ଷ୍ୟ ନେଇ ସଂଘର୍ଷ କରିଥିଲେ। ପ୍ରଥମ ସ୍ୱାଧୀନତା ସଂଗ୍ରାମ ସମୟରେ ରାଣୀ ଲକ୍ଷ୍ମୀବାଈ ପ୍ରତିରୋଧର ଅମର ପ୍ରତୀକ ସାଜିଥିଲେ। ମଙ୍ଗଲ ପାଣ୍ଡେଙ୍କ ସାହସ ଏବଂ ବାଲ ଗଙ୍ଗାଧର ତିଲକଙ୍କ ନିର୍ଭୀକ ଉଦ୍ଘୋଷ- ‘‘ସ୍ୱରାଜ ମୋର ଜନ୍ମସିଦ୍ଧ ଅଧିକାର ଏବଂ ମୁଁ ଏହାକୁ ନିଶ୍ଚେ ହାସଲ କରିବି’’- ସ୍ୱାଧୀନତା ଦିଗରେ ଆଗକୁ ବଢ଼ୁଥିବା ରାଷ୍ଟ୍ରର ପ୍ରତ୍ୟେକ ପଦକ୍ଷେପକୁ ଶକ୍ତି ପ୍ରଦାନ କରିଥିଲା।
Plantation: ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଇତିହାସ ପୃଷ୍ଠାରେ ସାହସ, ସଂଘର୍ଷ, ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପରେ ପରିପୂର୍ଣ୍ଣ ଏପରି ଅଗଣିତ କାହାଣୀ ରହିଛି। ଏ କାହାଣୀଗୁଡ଼ିକ ଏକାଠି ବୀରତ୍ୱ ଓ ତ୍ୟାଗର ଏକ ସମୃଦ୍ଧ ଐତିହ୍ୟ ସୃଷ୍ଟି କରିଥାନ୍ତି। ଏସବୁ ଗାଥା ଆମକୁ ମନେ ପକାଇ ଦିଅନ୍ତି ଯେ ଭାରତର ସ୍ୱାଧୀନତା ଅଗଣିତ ବୀରଙ୍କ ସାମୂହିକ ସଂକଳ୍ପ ମାଧ୍ୟମରେ ହାସଲ କରାଯାଇଥିଲା ଏବଂ ସେମାନଙ୍କର ଜୀବନାଦର୍ଶ ଆଜି ମଧ୍ୟ ଅନେକ ପିଢ଼ିକୁ ପ୍ରେରଣା ଦେଇ ଆସୁଛି। ଏହି ସ୍ୱାଧୀନତା ଦିବସରେ, ମୁଁ ତିରୁପ୍ପୁର କୁମାରନ୍ଜୀଙ୍କୁ ସମ୍ମାନର ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେ ‘କୋଡି କାଥା କୁମାରନ୍’, ଅର୍ଥାତ୍ ‘ପତାକାକୁ ସୁରକ୍ଷା ଦେଇଥିବା କୁମାରନ୍’ ନାମରେ ଲୋକପ୍ରିୟ। ସ୍ୱାଧୀନତା ସଂଗ୍ରାମ ସମୟରେ ସେ ମୋର ଜନ୍ମସ୍ଥାନ ତିରୁପ୍ପୁରରେ ସ୍ୱାଧୀନତା ପାଇଁ ନିଜ ଜୀବନ ବଳି ଦେଇଥିଲେ। ଆସନ୍ନ ମୃତ୍ୟୁର ସମ୍ମୁଖୀନ ହେବା ସତ୍ତ୍ୱେ, ସେ ଜାତୀୟ ପତାକାକୁ ତଳେ ପଡ଼ିବାକୁ ଦେଇ ନଥିଲେ; ଏହି କାରଣରୁ ତାଙ୍କୁ ଏହି ସମ୍ମାନଜନକ ଉପାଧି ମିଳିଛି।
ଖୁବ୍ କମ୍ ବୟସରେ କୁମାରନଙ୍କ ହୃଦୟରେ ଦେଶପ୍ରେମର ଭାବନା ଜାଗି ଉଠିଥିଲା। ‘‘ସ୍ୱରାଜ ଆମର ଜନ୍ମସିଦ୍ଧ ଅଧିକାର’’ ଆହ୍ୱାନ ଦ୍ୱାରା ଅନୁପ୍ରାଣିତ ହୋଇ ସେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ବିଶେଷ ଭାବେ ପ୍ରଭାବିତ ହୋଇ କୁମାରନ୍ଜୀ ସାଧାରଣ ଲୋକ, ବିଶେଷକରି ଯୁବପିଢ଼ି ମଧ୍ୟରେ ରାଷ୍ଟ୍ରବାଦର ଭାବନା ଜାଗ୍ରତ କରିବା ଲାଗି ଦେଶବନ୍ଧୁ ଯୁବ ସଂଘ ପ୍ରତିଷ୍ଠା କରିଥିଲେ। କୁମାରନ୍ଜୀଙ୍କର ଦୃଢ଼ ବିଶ୍ୱାସ ରହିଥିଲା ଯେ, ପ୍ରକୃତ ସ୍ୱାଧୀନତା ସେତିକି ବେଳେ ମିଳିପାରିବ ଯେତେବେଳେ ଲୋକମାନେ ଉପନିବେଶବାଦୀ ଶାସନର ଅନ୍ୟାୟ ବିରୋଧରେ ସଚେତନ ହେବେ ଏବଂ ଏହା ବିରୁଦ୍ଧରେ ସଂଘର୍ଷ କରିବାର ସାହସ ତଥା ସ୍ପଷ୍ଟ ଦୃଷ୍ଟିକୋଣ ବିକଶିତ କରିପାରିବେ।
ଗାନ୍ଧୀବାଦୀ ସାମାଜିକ ସଂସ୍କାର ନୀତି ପ୍ରତି ସମର୍ପିତ କୁମାରନ୍ଜୀ ସକ୍ରିୟ ଭାବରେ ମଦ ନିଷେଧ ଆନ୍ଦୋଳନକୁ ସମର୍ଥନ କରିଥିଲେ। ସେ ଏହାକୁ ସାମାଜିକ ଓ ଜାତୀୟ ପୁନର୍ଜାଗରଣ ଦିଗରେ ଏକ ଜରୁରୀ ପଦକ୍ଷେପ ଭାବରେ ବିବେଚନା କରିଥିଲେ। ଏହି ଉଦ୍ଦେଶ୍ୟ ନେଇ ସେ ତାଡ଼ି ଦୋକାନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଲୋକମାନଙ୍କୁ ମଦ୍ୟପାନରୁ ଦୂରେଇ ରହିବା ତଥା ଶୃଙ୍ଖଳିତ ଜୀବନଶୈଳୀ ଗ୍ରହଣ କରିବାକୁ ଅନୁପ୍ରାଣିତ କରିଥିଲେ।
୧୦ ଜାନୁଆରି ୧୯୩୨ରେ, ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ, କୁମାରନ୍ ଏକ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ଜାତୀୟ ପତାକା ଧରି ସେ କିଛି ସାହସୀ ସାଥୀଙ୍କ ସହିତ ଆଗକୁ ବଢ଼ିଥିଲେ ଏବଂ ତିରୁପ୍ପୁରର ବିଭିନ୍ନ ରାସ୍ତାରେ ‘‘ବନ୍ଦେ ମାତରମ୍’’ର ପ୍ରେରଣାଦାୟୀ ସ୍ୱର ପ୍ରତିଧ୍ୱନିତ ହୋଇଥିଲା। ଉପନିବେବାଦୀ ଶକ୍ତି ଏହି ଶୋଭାଯାତ୍ରା ଉପରେ ଆକ୍ରମଣ କରିଥିଲେ। ‘‘ବନ୍ଦେ ମାତରମ୍’’ ଗାଇବା ଏବଂ ଜାତୀୟ ପତାକାକୁ ନିଜ ଛାତିରେ ଜାବୁଡ଼ି ଧରିବା ସମୟରେ କୁମାରନ୍ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହି ସମୟରେ ସେ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିଲେ। ମୃତ୍ୟୁ ସମୟରେ ତାଙ୍କର ବୟସ ମାତ୍ର ୨୭ ବର୍ଷ ଥିଲା।
ତିରୁପ୍ପୁର କୁମାରନ୍ଙ୍କ ବୟସ ବିଷୟରେ ଉଲ୍ଲେଖ କରିବା ସମୟରେ ମୋର ସେହି ଯୁବକଯୁବତୀମାନଙ୍କ କଥା ମନେ ପଡ଼ିଥାଏ ଯେଉଁମାନେ ଭାରତ ମାତା ପାଇଁ ନିଜର ପ୍ରାଣ ବଳି ଦେଇଥିଲେ। ଏମାନଙ୍କ ମଧ୍ୟରେ ଭଗତ ସିଂହ (୨୩ ବର୍ଷ), ସୁଖଦେବ (୨୩ ବର୍ଷ), ରାଜଗୁରୁ (୨୨ ବର୍ଷ), ଖୁଦିରାମ ବୋଷ (୧୮ ବର୍ଷ), କନକଲତା ବରୁଆ (୧୮ ବର୍ଷ), ଅନନ୍ତ ଲକ୍ଷ୍ମଣ କାହ୍ନେରେ (୧୯ ବର୍ଷ), ବଞ୍ଚିନାଥନ (୨୫ ବର୍ଷ) ଏବଂ ଏପରି ଅନେକ ସାମିଲ ଅଛନ୍ତି। ନିଜ ନଶ୍ୱର ଜୀବନକୁ ବଳିଦାନ ଦେଇ ସେମାନେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ଏକ ଅମର ସ୍ଥାନ ପ୍ରାପ୍ତ କରିଛନ୍ତି। ଇତିହାସ ପୃଷ୍ଠାରେ ଯେଉଁମାନଙ୍କର ଅବଦାନ ଦୀର୍ଘ ଦିନ ଧରି ଅଣଦେଖା ହୋଇ ରହିଥିଲା, ଜାତୀୟ ଆନ୍ଦୋଳନର ସେହି ଅଜ୍ଞାତ ନାୟକମାନଙ୍କୁ ସାମ୍ନାକୁ ଆଣିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ପଦକ୍ଷେପ ନେଇଛନ୍ତି, ତାହାକୁ ମୁଁ ପ୍ରଶଂସା କରୁଛି। ସମସ୍ତ ଜ୍ଞାତ ଓ ଅଜ୍ଞାତ ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁଁ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି।
ଏହି ଐତିହାସିକ ଅବସରରେ, ଆସନ୍ତୁ ଆମେ ଆମ ମାତୃଭୂମି ପ୍ରତି ଆମର କର୍ତ୍ତବ୍ୟ ବିଷୟରେ ଚିନ୍ତନ କରିବା ଏବଂ ଆମର ପ୍ରତିବଦ୍ଧତାକୁ ଦୋହରାଇବା। ଏହି ଅମୃତ କାଳରେ, ଆସନ୍ତୁ ଆମେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ନିର୍ମାଣ ପାଇଁ ନିଜକୁ ଉତ୍ସର୍ଗ କରିବା ଏବଂ ଦେଶର ପ୍ରଗତି ଓ ସମୃଦ୍ଧି ପାଇଁ ଏକାଠି କାମ କରିବା। ଅଦମ୍ୟ ସାହସର ସହିତ ଲଢ଼ି ଆମ ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସେହି ସାହସୀ ସୁପୁତ୍ରଙ୍କ ପ୍ରତି ଏହା ହେବ ଆମର ପ୍ରକୃତ ତଥା ଉପଯୁକ୍ତ ଶ୍ରଦ୍ଧାଞ୍ଜଳି।
ଜୟ ହିନ୍ଦ! ଭାରତ ମାତା କୀ ଜୟ!

1 hour ago
2


