IIT Campus Placements: ଆଇଆଇଟିରେ କ୍ୟାମ୍ପସରୁ ଓରାକଲ୍‌ ସମେତ ୨୨ କମ୍ପାନି ବାଦ; ଦୁଇଟି ପ୍ଲେସ୍‌ମେଣ୍ଟ୍‌ ଋତୁରେ ସହଯୋଗ କରିବେନି

2 days ago 2
ARTICLE AD BOX

ନୂଆଦିଲ୍ଲୀ : ଆଇଆଇଟିରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରସ୍ତାବ ଦେଇ ପରେ ତାହାକୁ କାର୍ଯ୍ୟକାରୀ ନ କରିବା ଘଟଣାରେ ଓରାକଲ୍‌ ସମେତ ୨୨ଟି କମ୍ପାନି ବିରୋଧରେ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ଦୁଇଟି ପ୍ଲେସ୍‌ମେଣ୍ଟ୍‌ ଋତୁରେ ଏହି କମ୍ପାନିଗୁଡ଼ିକ ସହ ଆଇଆଇଟିଗୁଡ଼ିକ ସହଯୋଗ କରିବେନି । ୨୩ଟି ଆଇଆଇଟିରେ ୨୦୨୬ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ୧୫୦ରୁ ଅଧିକ ନିଯୁକ୍ତି ପ୍ରସ୍ତାବ ପାଳନ କରାଯାଇ ନଥିବାରୁ ଏହି ନିଷ୍ପତ୍ତି ହୋଇଛି ।

ଆଇଆଇଟିଗୁଡ଼ିକର ପ୍ଲେସ୍‌ମେଣ୍ଟ୍‌ ଓ ଇଣ୍ଟର୍ଣ୍ଣସିପ୍‌ ସମ୍ପର୍କିତ ନିର୍ଦ୍ଦେଶାବଳୀର ସମନ୍ୱୟ କରୁଥିବା ଅଲ୍‌ ଆଇଆଇଟି ପ୍ଲେସ୍‌ମେଣ୍ଟ୍‌ କମିଟି (ଏଆଇପିସି) ଚଳିତ ମାସ ଆରମ୍ଭରେ ଆଇଆଇଟି ଗୁଆହାଟୀରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନେଇଥିଲା । ସେପ୍ଟେମ୍ବର ୩୦ ସୁଦ୍ଧା ସମ୍ପୃକ୍ତ କମ୍ପାନିଗୁଡ଼ିକୁ ଏନେଇ ଜଣାଇବାକୁ ଯୋଜନା ରହିଛି । ଆଇଆଇଟିଗୁଡ଼ିକ ଏହାକୁ ‘ବ୍ଲାକ୍‌ଲିଷ୍ଟିଂ’ ନ କହି ‘ନନ୍‌-କୋଅପରେସନ୍‌’ ବୋଲି କହିବେ । ଅର୍ଥାତ୍‌ ଆସନ୍ତା ଦୁଇଟି ପ୍ଲେସ୍‌ମେଣ୍ଟ୍‌ ଋତୁରେ ଏହି କମ୍ପାନିଗୁଡ଼ିକୁ କ୍ୟାମ୍ପସ୍‌ ନିଯୁକ୍ତି ପାଇଁ ବିଚାର କରାଯିବନି । କେତେକ କମ୍ପାନି ୧୦ରୁ ୧୫ଟି ପର୍ଯ୍ୟନ୍ତ ନିଯୁକ୍ତି ପ୍ରସ୍ତାବ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି । ତେବେ ଏଆଇପିସି ପକ୍ଷରୁ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି ।

S Jaishankar: ‘ଆତଙ୍କବାଦୀ ଦେଶର ସାମ୍ବାଦିକ ମୋତେ ପ୍ରଶ୍ନ ପଚାରୁଛନ୍ତି’

ଓରାକଲ୍‌ ପ୍ରାୟ ୪୦ ଜଣ ଆଇଆଇଟି ଛାତ୍ରଛାତ୍ରୀଙ୍କୁ ଦେଇଥିବା ନିଯୁକ୍ତି ପ୍ରସ୍ତାବ ପାଳନ କରିନଥିବା ରିପୋର୍ଟରେ କୁହାଯାଇଛି । ଆଇଆଇଟି ଗୌହାଟୀର ଆସୋସିଏଟ୍‌ ପ୍ରଫେସର ଜନ୍‌ ଜୋସ୍‌ଙ୍କ ଅନୁଯାୟୀ, ଚଳିତ ବର୍ଷ ଏପର୍ଯ୍ୟନ୍ତ ଓରାକଲ୍‌ ଆଇଆଇଟିଗୁଡ଼ିକରେ ନିଯୁକ୍ତି ପାଇଁ ଯୋଗାଯୋଗ କରିନାହିଁ । ଆମେରିକାର ଏହି ସଫ୍ଟୱେର୍‌ କମ୍ପାନି ଚଳିତ ବର୍ଷ ଭାରତ ସମେତ ବିଶ୍ୱସ୍ତରରେ ହଜାର ହଜାର ଚାକିରି କମାଇଛି । ଏହି ତାଲିକାରେ ଅନେକ ଷ୍ଟାର୍ଟଅପ୍‌ ମଧ୍ୟ ଥିବା ଜଣାପଡ଼ିଛି ।

ନିଯୁକ୍ତି ପ୍ରସ୍ତାବ ହରାଇଥିବା ଛାତ୍ରଛାତ୍ରୀଙ୍କୁ ସହାୟତା ପାଇଁ ଆଇଆଇଟିଗୁଡ଼ିକ ପଦକ୍ଷେପ ନେଉଛନ୍ତି । ପ୍ଲେସ୍‌ମେଣ୍ଟ୍‌ କାର୍ଯ୍ୟାଳୟଗୁଡ଼ିକ ସେମାନଙ୍କ ବାୟୋଡାଟା ବର୍ତ୍ତମାନର ନିଯୁକ୍ତିଦାତାଙ୍କ ନିକଟକୁ ପଠାଇ ଖାଲି ଥିବା ପଦରେ ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି । ଜନ୍‌ ଜୋସ୍‌ଙ୍କ ଆକଳନ ଅନୁସାରେ, ପ୍ରଭାବିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ରୁ ୩୦ ପ୍ରତିଶତ ଏଭଳି ପ୍ରୟାସରେ ଚାକିରି ପାଇଛନ୍ତି ।

ଗତବର୍ଷ ପ୍ରାୟ ୧୦ରୁ ୧୧ଟି କମ୍ପାନି ନିଯୁକ୍ତି ପ୍ରସ୍ତାବ ପାଳନ ନକରିବା ନେଇ ଆଇଆଇଟିଗୁଡ଼ିକ ସେମାନଙ୍କୁ ଚିଠି ଲେଖିଥିଲେ । ଚଳିତ ବର୍ଷ ଏଭଳି କମ୍ପାନି ସଂଖ୍ୟା ୨୨ରେ ପହଞ୍ଚିଛି । ପ୍ରଯୁକ୍ତି କ୍ଷେତ୍ରରେ ନୂଆ ନିଯୁକ୍ତି ନେଇ ଅନିଶ୍ଚିତତା ମଧ୍ୟରେ ଏଆଇପିସିର ଏହି ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ହିତର ସୁରକ୍ଷା ସହ ଆଇଆଇଟି ପ୍ଲେସ୍‌ମେଣ୍ଟ୍‌ ବ୍ୟବସ୍ଥାରେ ଦିଆଯାଉଥିବା ନିଯୁକ୍ତି ପ୍ରସ୍ତାବର ବିଶ୍ୱସନୀୟତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.