IDBI Bank: ସରଳ ବିଚାର: ଆଇଡିବିଆଇ ବ୍ୟାଙ୍କର ବିଦେଶୀ ମାଲିକାନା

2 hours ago 2
ARTICLE AD BOX

ସରଳ କୁମାର ଦାସ

୨୦୨୬ ମସିହା, ଅକ୍‌ଟୋବର ୧୪ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟିରେ ଆଇଡିବିଆଇ ବ୍ୟାଙ୍କର ୬୦.୭୨% ଅଂଶଧନକୁ କାନାଡାର ‘ଫେୟାରଫାକ୍‌ସ ଫାଇନାନ୍‌ସିଆଲ ହୋଲଡିଂସ’କୁ ଦିଆଯିବାର ପ୍ରସ୍ତାବ ମଞ୍ଜୁର ହୋଇଛି। ଏଥିରୁ ୩୦.୪୮% ସରକାରୀ ଅଂଶଧନ ହୋଇଥିବା ବେଳେ ୩୦.୨୪% ଏଲଆଇସିର ଅଟେ। କମ୍ପାନି ପ୍ରତିଟି ସେୟାର ବା ଅଂଶଧନର ମୂଲ୍ୟ ଭାବେ ୮୧ ଟଙ୍କା ପାଇବ। ପ୍ରସ୍ତାବିତ ପୁଞ୍ଜି ପ୍ରତ୍ୟାହାର ପରେ ଭାରତ ସରକାରଙ୍କ ନିକଟରେ ବ୍ୟାଙ୍କ ଅଂଶଧନର ଆଉ ୧୫% ରହୁଥିବା ବେଳେ ଏଲଆଇସି ନିକଟରେ ୧୯.୨୦% ରହିବ। ବ୍ୟାଙ୍କ ବୋର୍ଡରେ ଏଲଆଇସି ଓ ଭାରତ ସରକାରଙ୍କ ଆଉ ପ୍ରତିନିଧିତ୍ୱ ରହିବ ନାହିଁ। ତେଣୁ, ବ୍ୟାଙ୍କର ନିୟନ୍ତ୍ରଣ ସମ୍ପୂର୍ଣ୍ଣ ରୂପେ ବିଦେଶୀ ଘରୋଇ କମ୍ପାନି ନିକଟକୁ ଚାଲିଯିବ। 
ରିଜର୍ଭ ବ୍ୟାଙ୍କର ଏକ ସହାୟକ ବ୍ୟାଙ୍କ ଭାବେ ୧୯୬୪ ମସିହାରେ ପ୍ରତିଷ୍ଠିତ ଇଣ୍ଡଷ୍ଟ୍ରିଆଲ ଡେଭଲପମ୍ୟାଣ୍ଟ ବ୍ୟାଙ୍କ (ଆଇ.ଡି.ବି.ଆଇ.) ୧୯୭୬ ମସିହାରେ ରିଜର୍ଭ ବ୍ୟାଙ୍କରୁ ଅଲଗା ହୋଇ ଭାରତ ସରକାରଙ୍କ ଅଧୀନସ୍ଥ ହେଲା। ଏହାର ନାମରୁ ସ୍ପଷ୍ଟ ଯେ ଶିଳ୍ପ ଓ ଭିତ୍ତିଭୂମିର ବିକାଶ ଲାଗି ଏହି ବ୍ୟାଙ୍କ ଅଭିପ୍ରେତ ଥିଲା। ୧୯୯୪ ମସିହାରେ ମୂଳ ଆଇ.ଡି.ବି.ଆଇ.ର ଏକ ସହାୟକ ଅନୁଷ୍ଠାନ ରୂପେ ‘ଆଇଡିବିଆଇ’ ନାମ ନେଇ ଏକ ବାଣିଜ୍ୟିକ ବ୍ୟାଙ୍କ କାର୍ଯ୍ୟ ଆରମ୍ଭ କଲା। ଉଭୟ ବ୍ୟାଙ୍କର ସମ୍ମିଶ୍ରଣ ପରେ ୨୦୦୫ ମସିହାରେ ଏହାର ନାମ ପରିଶେଷରେ ରହିଲା ‘ଆଇଡିବିଆଇ’ ବ୍ୟାଙ୍କ। ଇସ୍ପାତ, ଶକ୍ତି, ଟେକ୍ସଟାଇଲ, ଭିତ୍ତିଭୂମି, ନିର୍ମାଣ ଆଦି କ୍ଷେତ୍ରରେ ବ୍ୟାଙ୍କ ବୃହତ୍ କମ୍ପାନିଙ୍କୁ ଅବିଚାରିତ ଭାବେ ଋଣ ପ୍ରଦାନ କରିବାକୁ ଲାଗିଲା। ତେବେ, ସାରା ବିଶ୍ୱରେ ଏହି କ୍ଷେତ୍ରଗୁଡ଼ିକ ଚାପଗ୍ରସ୍ତ ହୋଇସାରିଥିବାରୁ ବ୍ୟଙ୍କର ଖିଲାପି ଋଣ ଓ କ୍ଷତିର ପରିମାଣ ବଢ଼ିବାକୁ ଲାଗିଲା ଓ ବ୍ୟାଙ୍କ କ୍ରମେ ଦୁର୍ବଳ ହେଲା। ୨୦୧୮ ମସିହା ବେଳକୁ ଏହାର ମୋଟ ଆନାଦାୟ ଋଣ (ଏନ.ପି.ଏ.) ୨୮% ହୋଇସାରିଥିଲା। ତେଣୁ ୨୦୧୬ ମସିହାର କେନ୍ଦ୍ର ବଜେଟରେ ଆଇଡିବିଆଇ ବ୍ୟାଙ୍କରୁ ସରକାରୀ ଅଂଶଧନ ହଟାଇ ନେଇ ଏହାକୁ ସରକାରୀ ନିୟନ୍ତ୍ରଣମୁକ୍ତ କରିବାର ଘୋଷଣା କରାଗଲା। ୨୦୧୮ ମସିହା ଜୁନ ୩୦ ତାରିଖରେ ଆଇଡିବିଆଇ ବ୍ୟାଙ୍କର ଅଂଶଧନର ୮୬% ଭାରତ ସରକାରଙ୍କ ନିକଟରେ ଥିଲା ଏବଂ ଏଲଆଇସି ଓ ସାଧାରଣ ନିବେଶକଙ୍କ ସହ ଅନ୍ୟମାନଙ୍କ ନିକଟରେ ଯଥାକ୍ରମେ ୮ ଓ ୬ ପ୍ରତିଶତ ଥିଲା। ୨୦୧୮ ମସିହା ଅଗଷ୍ଟ ୧ ତାରିଖରେ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହେଲା ଯେ ବ୍ୟାଙ୍କର ନିୟନ୍ତ୍ରଣ ଏଲଆଇସିକୁ ଦିଆଯିବ। ତା’ ପରେ ଏଲଆଇସି ଦ୍ବାରା ୨୧,୬୨୪ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେଲା। ଭାରତ ସରକାରଙ୍କ ଅଂଶଧନ ୪୬.୪୫%କୁ ଖସି ଆସିଲା ଓ ଏଲଆଇସିର ଅଂଶଧନ ୪୯.୪୪%କୁ ବୃଦ୍ଧି ପାଇଲା। ୨୦୧୮ ଓ ୨୦୧୯ ଆର୍ଥିକ ବର୍ଷରେ ବ୍ୟାଙ୍କର ବାର୍ଷିକ କ୍ଷତିର ପରିମାଣ ଯଥାକ୍ରମେ ୮,୨୩୭ ଓ ୧୫,୧୧୬ କୋଟି ଟଙ୍କା ଥିଲା। ତେବେ ୨୦୨୧ ଆର୍ଥିକ ବର୍ଷରୁ ବ୍ୟାଙ୍କ ନିରନ୍ତର ଲାଭ କରି ଆସୁଛି। ୨୦୨୧ ଆର୍ଥିକ ବର୍ଷରେ ବ୍ୟାଙ୍କର ନିଟ୍ ଲାଭ ୧,୪୪୯ କୋଟି ଟଙ୍କା ଥିଲାବେଳେ ତାହା ୨୦୨୬ ଆର୍ଥିକ ବର୍ଷରେ ୬ ଗୁଣରୁ ଅଧିକ ହୋଇ ୯,୫୧୩ କୋଟି ଟଙ୍କା ହେଲାଣି। ଅନାଦେୟ ଋଣ (ଏନ.ପି.ଏ.) ହ୍ରାସ ପାଇ ପ୍ରାୟ ମାତ୍ର ୨%ରେ ପହଞ୍ଚିଲାଣି। ଅଧିକନ୍ତୁ, ବ୍ୟାଙ୍କ ଉପରେ ଲଗାଯାଇଥିବା ‘ତ୍ୱରିତ ସୁଧାରମୂଳକ କାର୍ଯ୍ୟ’ (ପି.ସି.ଏ.)କୁ ରିଜର୍ଭ ବ୍ୟାଙ୍କ ଇତିମଧ୍ୟରେ ହଟାଇ ନେଇଥିବା ବିଷୟ ଦର୍ଶାଏ ଯେ ଏହା ଆର୍ଥିକ ଭାବେ ସ୍ୱଚ୍ଛଳ। 
ତେଣୁ, ଏହି କ୍ରମରେ ଆଇଡିବିଆଇ ବ୍ୟାଙ୍କର ପୁଞ୍ଜି ହସ୍ତାନ୍ତରଣ ବିସ୍ମୟର କାରଣ ହୋଇଥାଏ। ତେବେ ସେ ଯାହା ହେଉ, ଏହି ପ୍ରକ୍ରିୟା ପାଇଁ ନିଲାମ ଡାକ ପୂର୍ବରୁ ମୂଲ୍ୟାୟନ ପ୍ରକ୍ରିୟାରେ ବ୍ୟାଙ୍କର ପ୍ରତିଟି ସେୟାରର ସର୍ବନିମ୍ନ ମୂଲ୍ୟ ୯୪.୪୨ ଟଙ୍କା ଧାର୍ଯ୍ୟ ହୋଇ ୨୦୨୬ ମସିହା ଜାନୁଆରିରେ ନିଲାମ ଡାକ ଆରମ୍ଭ ହେଲା। ମାର୍ଚ୍ଚ ୧୨ ତାରିଖରେ ନିଲାମ କାଗଜ ଖୋଲା ହେବା ପରେ ଜଣାପଡ଼ିଲା ଯେ ଭାଗ ନେଇଥିବା ଦୁଇଟିଯାକ କମ୍ପାନି ବିଦେଶୀ ଓ ଉଭୟେ ଧାର୍ଯ୍ୟ ଦରଠାରୁ କମ୍‌ ଦର ଉଲ୍ଲେଖ କରିଛନ୍ତି। ଧାର୍ଯ୍ୟ ସର୍ବନିମ୍ନ ମୂଲ୍ୟ ଦେବାକୁ କଂପାନି ଦ୍ବୟ ପ୍ରସ୍ତୁତ ନଥିବାରୁ ସରକାର ଯୋଗ୍ୟ ନିଲାମ ଆବେଦନକାରୀଙ୍କ ନିକଟରୁ ଆଉ ଥରେ ସଂଶୋଧିତ ଡାକ ଆହ୍ୱାନ କଲେ। ସେହି କ୍ରମରେ ଫେୟାରଫାକ୍‌ସ କମ୍ପାନି ଜୁନ୍‌ ୧ ତାରିଖ ଦିନ ନିଲାମ କାଗଜ ଦାଖଲ କଲେ। ଜୁଲାଇ ୧୩ ତାରିଖରେ ନିଲାମ କାଗଜ ଖୋଲା ହେଲା ପରେ ଫେୟାରଫାକ୍‌ସଠାରୁ ମିଳିଥିବା ସେୟାର ପିଛା ୮୧ ଟଙ୍କା ହିଁ ସର୍ବୋଚ୍ଚ ଥିବାର ଜଣାପଡ଼ିଲା। ସେହି ଦିନ ‘ପୁଞ୍ଜି ପ୍ରତ୍ୟାହାର ସମ୍ପର୍କିତ ସଚିବମାନଙ୍କ ମୁଖ୍ୟ ଗୋଷ୍ଠୀ’ (ସି.ଜି.ଡି.) ଦ୍ୱାରା ବ୍ୟାଙ୍କ ସେୟାରର ପୁନଃମୂଲ୍ୟାୟନ କରିବାକୁ ନିଷ୍ପତ୍ତି ନିଆଗଲା। ପୁନଃମୂଲ୍ୟାୟନ ପରେ ସର୍ବନିମ୍ନ ମୂଲ୍ୟ ୭୫.୯୯ ଟଙ୍କା ଧାର୍ଯ୍ୟ ହେଲା (ପୂର୍ବ ଧାର୍ଯ୍ୟ ସର୍ବନିମ୍ନ ମୂଲ୍ୟ ଠାରୁ ପ୍ରାୟ ୧୯.୫୨% କମ୍‌)। ଉଲ୍ଲେଖଯୋଗ୍ୟ ଯେ ଏହି ନୂତନ ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ ହେବା ପୂର୍ବରୁ ଜଣା ଥିଲା ଯେ ଫେୟାରଫାକ୍‌ସ ୮୧ ଟଙ୍କା ଦେବାକୁ ପ୍ରସ୍ତୁତ ଅଛି। ତେଣୁ ମୂଲ୍ୟାୟନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଛି। ଅଭିଯୋଗ କରାଯାଉଛି ଯେ ପୁନଃମୂଲ୍ୟାୟନ ବେଳେ ଆଇଡିବିଆଇ ବ୍ୟାଙ୍କର ତୁଳନାତ୍ମକ ବିଚାର ସରକାରୀ ବ୍ୟାଙ୍କଗୁଡ଼ିକ ସହିତ କରାଯାଇଛି, ଯେତେବେଳେକି ଏଲଆଇସି ନିୟନ୍ତ୍ରଣକୁ ଯିବା ପରଠାରୁ ଏହା ଏକ ଘରୋଇ ବ୍ୟାଙ୍କ ରୂପେ ପରିଗଣିତ। ତେଣୁ ମୂଲ୍ୟାୟନ ସମୟରେ ଏହାକୁ ଅନ୍ୟ ଘରୋଇ ବ୍ୟାଙ୍କ ସହ ତୁଳନା କରିବା ଅଧିକ ଯୁକ୍ତିଯୁକ୍ତ ହୋଇଥାନ୍ତା ବୋଲି କୁହାଯାଉଛି। ସର୍ବନିମ୍ନ ମୂଲ୍ୟକୁ କୌଣସି ପ୍ରକାରେ ଫେୟାରଫାକ୍‌ସକୁ ସୁହାଇବା ଲାଗି ସେ ଦେଉଥିବା ୮୧ ଟଙ୍କାରୁ କମ୍‌ ରଖାଯାଇଛି ବୋଲି ଆପତ୍ତି ଶୁଣିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ପୂର୍ବ ନିଲାମକୁ ବାତିଲ କରି ନୂଆ ନିଲାମ ଡାକର ବ୍ୟବସ୍ଥା ଅଧିକ ଯୁକ୍ତିଯୁକ୍ତ ହୋଇଥାଆନ୍ତା ବୋଲି କୁହାଯାଉଛି। ସୁତରାଂ, ଫେୟାରଫାକ୍‌ସ କମ୍ପାନି ପ୍ରତି ଏହା ଅହେତୁକ ଅନୁକମ୍ପା ବୋଲି ସନ୍ଦେହର ଅଙ୍ଗୁଳି ଉଠିଥାଏ।
୧୯୮୫ ମସିହାରେ ପ୍ରତିଷ୍ଠିତ ଫେୟାରଫାକ୍‌ସ କମ୍ପାନିର ମାଲିକ ହେଉଛନ୍ତି ହାଇଦ୍ରାବାଦରେ ଜନ୍ମିତ ଭାରତୀୟ ମୂଳର ପ୍ରେମ ବତ୍ସା, ଯିଏ ଏବେ କାନାଡାର ନାଗରିକ। କାନାଡାର ସବୁଠାରୁ ଧନୀ ୨୫ ଜଣଙ୍କ ଭିତରେ ସେ ଜଣେ। ବୀମା ପ୍ରମୁଖ ବ୍ୟବସାୟ ହୋଇଥିଲେ ହେଁ ସେ କାନାଡା, ଆମେରିକା, ଇଉରୋପ ଓ ଏସିଆର ଅନେକ କମ୍ପାନିକୁ ଅଧିଗ୍ରହଣ କରି ନିଜ ଅକ୍ତିଆରକୁ ଆଣିଛନ୍ତି। ୨୦୦୧ ମସିହାରେ ସେ ଆଇସିଆଇସିଆଇ ବ୍ୟାଙ୍କ ସହ ମିଶି ‘ଆଇସିଆଇସିଆଇ ଲୋମ୍ୱାର୍ଡ’ ବୀମା କମ୍ପାନିର ପ୍ରତିଷ୍ଠା କରିଥିଲେ। ଗତ ୧୦-୧୨ ବର୍ଷ ଭିତରେ ସେ ଭାରତରେ ନିଜ ବ୍ୟାବସାୟିକ ସାମ୍ରାଜ୍ୟ ବିସ୍ତାର କରିବାରେ ସମର୍ଥ ହୋଇଛନ୍ତି। ଇତିମଧ୍ୟରେ ଥମାସ କୁକ ଇଣ୍ଡିଆ, ବାଙ୍ଗାଲୋର ଅନ୍ତର୍ଜାତୀୟ ବିମାନ ବନ୍ଦର, ସିଏସବି ବ୍ୟାଙ୍କ, ଆଇଆଇଏଫଏଲ ସମେତ ଅନେକ କମ୍ପାନିରେ ପୁଞ୍ଜି ନିବେଶ ସହ କେତେକ କମ୍ପାନିର ନିୟନ୍ତ୍ରଣ ତାଙ୍କ ହାତକୁ ଆଣିପାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ନିକଟତାକୁ ସେ ଅକୁଣ୍ଠ ଭାବେ ପ୍ରକାଶ କରନ୍ତି। ୨୦୨୦ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଅର୍ପଣ କରାଯାଇଛି। 
୨୦୦୩ ମସିହାର ଅର୍ଥ ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ ସମିତିର ୪୬ତମ ରିପୋର୍ଟରେ ଆଇଡିବିଆଇକୁ ଏକ ବ୍ୟାଙ୍କିଂ କମ୍ପାନିରେ ପରିଣତ କଲାବେଳେ ଏଥିରେ ଜନସାଧାରଣଙ୍କ ପ୍ରାୟ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ଲାଗି ସାରିଥିଲା। ତେଣୁ, ଏହାର ସରକାରୀ ଅଂଶଧନକୁ କୌଣସି ପ୍ରକାରେ ୫୧%ରୁ କମ୍ ନ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହାକୁ ଭିତ୍ତି କରି ସଂସଦରେ ପୁଣି ଥରେ ଅଂଶଧନ ବିକ୍ରିର ପୁନର୍ବିଚାର କରାଯାଉ ବୋଲି ବ୍ୟାଙ୍କର କର୍ମଚାରୀ ସଂଘ ଦାବି ଉଠାଇଲେଣି। କେବଳ ସେତିକି ନୁହେଁ, ହାଇଦ୍ରାବାଦ ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ବ୍ୟାଙ୍କର ବିପୁଳ ଭୂସମ୍ପତ୍ତିର ମୂଲ୍ୟ ଫେୟାରଫାକ୍‌ସ ଠାରୁ ମିଳିବାକୁ ଥିବା ୫୨,୮୭୮ କୋଟି ଟଙ୍କାଠାରୁ ଯଥେଷ୍ଟ ଅଧିକ ହୋଇଥିବାରୁ ମୂଲ୍ୟାୟନ ତ୍ରୁଟିପୂର୍ଣ୍ଣ ଏବଂ ଖୁବ୍‌ କମ୍‌ ବୋଲି ଅଭିଯୋଗ କରାଯାଉଛି। ତା’ ଛଡ଼ା ଗତ ୫ ବର୍ଷ ମଧ୍ୟରେ ବ୍ୟାଙ୍କର ମୋଟ କାର୍ଯ୍ୟକାରୀ ଲାଭ ୪୮,୧୫୧ କୋଟି ଟଙ୍କା ହୋଇଛି, ଯାହା ଫେୟାରଫାକ୍‌ସ ଠାରୁ ମିଳିବାକୁ ଥିବା ରାଶିର ୯୦%ରୁ ଅଧିକ। ପୁଣି ବିଡ଼ମ୍ବନାର ବିଷୟ ହେଲା ପୁଞ୍ଜି ପ୍ରତ୍ୟାହାର ବେଳେ ବ୍ୟାଙ୍କର ସ୍ଥିତି ଆଦୌ ଦୁର୍ବଳ ନ ଥିଲା। 
ସରକାରୀ ବ୍ୟାଙ୍କ ଓ ବୀମା କମ୍ପାନିଗୁଡ଼ିକରୁ ସରକାର ଅଚିରେ ଶତ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର କରି ବିଦେଶୀ ପୁଞ୍ଜି ଲଗାଣକାରୀଙ୍କ ପ୍ରବେଶକୁ ସୁଗମ କରିବା ଉଚିତ ବୋଲି ପ୍ରେମ ବତ୍ସା ମତ ଦେଇଛନ୍ତି। ସରକାରୀ ବ୍ୟାବସାୟିକ ପ୍ରତିଷ୍ଠାନରୁ ପୁଞ୍ଜି ପ୍ରତ୍ୟାହାର କରିବା ସରକାରଙ୍କ ଘୋଷିତ ଲକ୍ଷ୍ୟ ହୋଇସାରିଥିବାରୁ ସେଗୁଡ଼ିକ ଘରୋଇ ପୁଞ୍ଜିପତିଙ୍କ ହାତକୁ ଯିବା ନିଶ୍ଚିତ ଭଳି ମଧ୍ୟ ମନେ ହେଉଛି। କିନ୍ତୁ ତାହା ବିଦେଶୀ ନିୟନ୍ତ୍ରଣକୁ ଚାଲିଯିବା ଗ୍ରହଣ‌େଯାଗ୍ୟ ହୋଇ ନ ଥାଏ। ଯଦିଓ, ଦେଶରେ ବିଦେଶୀ ପୁଞ୍ଜି ଲଗାଣ ଆବଶ୍ୟକ। କିନ୍ତୁ ସେହି ପୁଞ୍ଜି ନୂଆ ଉଦ୍ୟୋଗ ବା ଅନୁଷ୍ଠାନ ଗଢ଼ିବାରେ ବ୍ୟବହୃତ ହେବା ଦରକାର, ଯଦ୍ଦ୍ବାରା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କିନ୍ତୁ ଅଧିଗ୍ରହଣ କ୍ଷେତ୍ରରେ ନୂତନ ନିଯୁକ୍ତିର ତ ବିଶେଷ ସମ୍ଭାବନା ନ ଥାଏ, ବରଂ ତହିଁରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭବିଷ୍ୟତ୍ ଅସୁରକ୍ଷିତ ହୋଇପଡ଼େ। 
 ଘରୋଇକରଣ ପରେ ବ୍ୟାଙ୍କଗୁଡ଼ିକ ଅଧିକ ପୁଞ୍ଜି ଲଗାଣ କରି ପେସାଦାର ପରିଚାଳନା ମାଧ୍ୟମରେ ହୁଏତ ଅଧିକ ଲାଭ କରିପାରନ୍ତି, କିନ୍ତୁ ସେମାନଙ୍କ ନିକଟରୁ ସାମାଜିକ ଉତ୍ତରଦାୟିତ୍ୱ ଆଶା କରିବା ବୃଥା ହୋଇଥାଏ। ତେଣୁ ଏକ ଘରୋଇକରଣ ପରେ ଆଇଡିବିଆଇର ଦେଶବ୍ୟାପୀ ୨୧୨୨ଟି ଶାଖା ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବାଧାପ୍ରାପ୍ତ ହେବା ଅବଶ୍ୟମ୍ଭାବୀ। ବଜାରୀକରଣର ନିର୍ଦୟ ଆଭିମୁଖ୍ୟରେ ଜନସାଧାରଣଙ୍କ କଲ୍ୟାଣ ପ୍ରତି ଅଙ୍ଗୀକାର ନ ଥାଏ ଏବଂ ସେଭଳି ସ୍ଥିତିରେ ଜନ କଲ୍ୟାଣକାରୀ ରାଷ୍ଟ୍ରର ସରକାରମାନେ କେବଳ ଅସହାୟ ଦିଶନ୍ତି। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୩୮୦୧୫

Read Entire Article
LEFT SIDEBAR AD

Hidden in mobile, Best for skyscrapers.