ARTICLE AD BOX
ଯାଜପୁର: ଲଘୁଚାପ ପ୍ରଭାବରେ ଯାଜପୁର ଜିଲ୍ଲାରେ ଗତ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ବିଶେଷକରି ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ତଳିଆ ଅଞ୍ଚଳରେ ଜଳବନ୍ଦି ସ୍ଥିତି ସୃଷ୍ଟି ହୋଇଥିବାବେଳେ ଜନଜୀବନ ଓ ବ୍ୟବସାୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।
Jajpur: ସରକାରୀ ବସ୍ରୁ ଓହ୍ଲାଇଗଲେ ସମସ୍ତ ୬୦ ଯାତ୍ରୀ, ଜାଣନ୍ତୁ କାରଣ
୨୪ ଘଣ୍ଟାରେ ହାରାହାରି ୧୨୨.୫୧ ମିଲିମିଟର ବର୍ଷା
ସହରତଳି ଅଞ୍ଚଳରେ କୃତ୍ରିମ ବନ୍ୟା, ଜନଜୀବନ ପ୍ରଭାବିତ
ଜିଲ୍ଲା ଜରୁରିକାଳୀନ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଜିଲ୍ଲାରେ ମୋଟ ୧୨୨୫.୧ ମିଲିମିଟର ବର୍ଷା ହୋଇଛି। ହାରାହାରି ବର୍ଷା ପରିମାଣ ୧୨୨.୫୧ ମିଲିମିଟର ରହିଛି। ଦଶରଥପୁରରେ ସର୍ବାଧିକ ୧୯୩ ମିମି, ବିଞ୍ଝାରପୁରରେ ୧୯୦ ମିମି, କୋରେଇରେ ୧୮୩ ମିମି, ଯାଜପୁରରେ ୧୩୦ ମିମି, ରସୁଲପୁରରେ ୧୨୬.୧ ମିମି, ବଡ଼ଚଣାରେ ୧୧୪ ମିମି, ଦାନଗଦୀରେ ୧୦୮ ମିମି, ସୁକିନ୍ଦାରେ ୭୧ ମିମି, ବରୀରେ ୭୦ ମିମି ଏବଂ ଧର୍ମଶାଳାରେ ସର୍ବନିମ୍ନ ୪୦.୦୩ ମିମି ବର୍ଷା ହୋଇଛି। ରସୁଲପୁର, ଯାଜପୁର, କୋରେଇ ଓ ବରୀ ବ୍ଲକ୍ର ପନିପରିବା କ୍ଷେତରେ ବର୍ଷାପାଣି ଲହଡ଼ି ମାରୁଥିବାରୁ ବାଇଗଣ, ଭେଣ୍ଡି, ଲଙ୍କା, ପୋଟଳ, କଲରା ଓ ଅନ୍ୟାନ୍ୟ ପନିପରିବା ଚାଷ ବୁଡ଼ି ରହିଛି। ବହୁ ଚାଷୀ ଲକ୍ଷାଧିକ ଟଙ୍କାର କ୍ଷତି ସହିବା ନେଇ ଆଶଙ୍କା କରିବା ସହ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ଓ ସହାୟତା ଦାବି କରିଛନ୍ତି।
Jajpur: ଶିଶୁକୁ ବଦଳି କରାଯାଇଥିବା ଅଭିଯୋଗ କଲେ ମୃତ ନବଜାତଙ୍କ ପରିବାର
କଳିଙ୍ଗନଗର ଶିଳ୍ପାଞ୍ଚଳ ବ୍ୟାସନଗର ସହରର ସ୍ଥିତି ମଧ୍ୟ ବେଶ୍ ସଙ୍ଗିନ ହୋଇପଡ଼ିଛି। ନହକା, ଉମାପଦା, କହ୍ନେଇପୁର, ଦଳା, ଚୋରଦା, ହସ୍ପିଟାଲ ରୋଡ୍ ସମେତ ବିଭିନ୍ନ ସାହି ଓ ସହର ତଳି ଅଞ୍ଚଳ ଜଳମଗ୍ନ ହୋଇ କୃତ୍ରିମ ବନ୍ୟାର ରୂପ ନେଇଛି। ପୌରପାଳିକା ପକ୍ଷରୁ ଡ୍ରେନ୍ ସଫା ହୋଇନଥିବାରୁ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ରାସ୍ତାଘାଟରେ ପ୍ରବାହିତ ହୋଇଛି। ଚୋରଦାରୁ ନହକା ଗୋଲେଇ ଓ ଡାକବଙ୍ଗଳା ଛକରୁ ଯାଜପୁରରୋଡ୍ ହସ୍ପିଟାଲ ଆଡ଼କୁ ଯାଇଥିବା ମୁଖ୍ୟ ସଡ଼କରେ ଦିନତମାମ ଆଣ୍ଠୁଏ ପାଣି ଜମି ରହିଥିଲା। ଯାନବାହନ ଚଳାଚଳ ବ୍ୟାହତ ହେବା ସହ ପଥଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହିପରି ଚୋରଦା, କହ୍ନେଇପୁର ଓ ନହକା ଅଞ୍ଚଳର ଅନେକ ଘର ଓ ଦୋକାନରେ ପାଣି ପଶିଯାଇଛି। ଲଗାଣ ବର୍ଷା ଯୋଗୁଁ ଦିନସାରା ବଜାର ଫାଙ୍କା ଥିଲାବେଳେ ବ୍ୟବସାୟ ମଧ୍ୟ ମାନ୍ଦା ପଡ଼ିଥିବା ବ୍ୟବସାୟୀମାନେ କହିଛନ୍ତି। ରବିବାର ଅପରାହ୍ଣ ୩ଟା ସୁଦ୍ଧା ଆଖୁଆପଦାଠାରେ ବୈତରଣୀର ଜଳସ୍ତର ୧୬.୬୨ ଥିଲା। ଏହାପରେ ଜଳପତନ ହ୍ରାସ ପାଉଛି। ଏଠାରେ ବିପଦ ସଙ୍କେତ ୧୮.୩୩ ରହିଛି।

2 hours ago
1


