ARTICLE AD BOX
ବଲାଙ୍ଗୀର (ଅଞ୍ଜନ କୁମାର ପ୍ରଧାନ): ବଲାଙ୍ଗୀର ଜିଲ୍ଲାରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ଯଥେଷ୍ଟ ଉନ୍ନତି ଘଟିଛି ବୋଲି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଉଲ୍ଲେଖ କରାଯାଉଛି। ଅଶି ଦଶକ ଓ ଚଳିତ ଦଶନ୍ଧିର ବଲାଙ୍ଗୀର ମଧ୍ୟରେ ଆକାଶ-ପାତାଳ ତଫାତ୍ ଥିବା ସ୍ବାସ୍ଥ୍ୟ ବିଭାଗ କହୁଛି। ଏହି ଅବଧି ଭିତରେ ଚକଚକିଆ ଏବଂ ବହୁତଳ ଡାକ୍ତରଖାନା ମୁଣ୍ଡ ଟେକିଛି। ବଲାଙ୍ଗୀରରେ ଭୀମ ଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହୋଇସାରିଛି। କିନ୍ତୁ ଜିଲ୍ଲାର ପୁରୁଣା ସମସ୍ୟାରେ ଅଙ୍କୁଶ ଲାଗିନାହିଁ। କିଛି ବର୍ଷର ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ପ୍ରସୂତି ମୃତ୍ୟୁହାର ଉଦ୍ବେଗଜନକ ରହିଛି। ଯାହା ରାଜ୍ୟ ହାରଠୁ ବି ଟପିଯିବ। ତଥ୍ୟ ଅନୁସାରେ, ଜିଲ୍ଲାରେ ଗତ ୩୦ ଦିନରେ ୬ଜଣ ପ୍ରସୂତି ଆଖି ବୁଜିଲେଣି। ତାହା ପୁୁଣି ଡାକ୍ତରଖାନାରେ।
Horoscope 2026 September 08: ଜାଣନ୍ତୁ ଆଜିର ରାଶିଫଳ...
ଅଧିକାରୀ କହିଲେ ତଦନ୍ତ ଚାଲୁଛି
ଅଗଷ୍ଟ ୧ ତାରିଖରେ ପାଢ଼େଲ ଗାଁ ନିକଟସ୍ଥ ଡୁମେରପଦରର ଯଶୋବନ୍ତୀ ସୁନାଙ୍କୁ ପ୍ରସବ ଜଟିଳତା ପାଇଁ ବଲାଙ୍ଗୀରରୁ ବୁର୍ଲା ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଗଷ୍ଟ ୩ ତାରିଖ ଦେଓଗାଁ ବ୍ଲକ୍ ହାତୀସରା ଗାଁର ବର୍ଷାରାଣୀ ବୁଡ଼ାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୬ରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରସବ ବେଳେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟ କହୁଛି। ବଲାଙ୍ଗୀର ସହରଠାରୁ ଅନତି ଦୂରରେ ଥିବା ଛତାମଖନା ଗାଁର ମମତା ସିକାଙ୍କୁ ପ୍ରସବ ପାଇଁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୧୨ ତାରିଖରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି, ଲୁହାସିଂହା ଗାଁର ଅଞ୍ଜଳି ପୁଟେଲ ଅଗଷ୍ଟ ୧୭ରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଆଖି ବୁଜିଛନ୍ତି। ପ୍ରସବ ସମୟରେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଅଗଷ୍ଟ ୨୦ ତାରିଖରେ କୁରୁଆମୁଣ୍ଡାର କସ୍ତୁରୀ ଭୋଇଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରସବ ପରେ ବଲାଙ୍ଗୀର ଅଣାଯାଉଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡୁମେରଚୁଆଁ ଗାଁର ଦେବକୀ ନିଆଲଙ୍କ ପ୍ରସବ ସମୟରେ ମୃତ୍ୟୁ ଘଟିଛି। ସେ ରକ୍ତଶିକୁଳି ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି।
Village: ସୀମାନ୍ତ ଗାଁର ବିକାଶ ପାଇଁ ୧୧,୬୩୯ କୋଟି; ୨,୬୧୬ ଗାଁ ପାଇଁ ବିକାଶ ନକ୍ସା
ଏସବୁ ମୃତ୍ୟୁ ଘଟଣାର ପ୍ରମୁଖ କାରଣ ରକ୍ତସ୍ରାବ ବୋଲି ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ, କେତେକ କ୍ଷେତ୍ରରେ ରୋଗୀକୁ ତୁରନ୍ତ ରକ୍ତ ଦେଇ ଜୀବନ ବଞ୍ଚାଇ ହେବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଥିବା ରକ୍ତଭଣ୍ଡାରରେ କେତେବେଳେ ରକ୍ତ ଅଭାବ ରହୁଛି ତ କେତେବେଳେ ରକ୍ତ ଯୋଗାଡ଼ କରିବାକୁ ରୋଗୀ ପରିଜନଙ୍କୁ ଦହଗଞ୍ଜ ହେବାକୁ ପଡ଼ୁଛି। ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜର ରୋଗୀଙ୍କ ପାଇଁ ରକ୍ତ ସଂରକ୍ଷଣ ବ୍ୟବସ୍ଥା ରହିଛି। କିନ୍ତୁ ତାହା ରୋଗୀ ସଂଖ୍ୟା ଅନୁପାତରେ ଢେର୍ କମ୍। ଏଭଳି ସ୍ଥିତିରେ ଅତ୍ୟାବଶ୍ୟକ ହେଲେ ରୋଗୀ ସଂପର୍କୀୟଙ୍କୁ ୮ କିଲୋମିଟର ଦୂର ରକ୍ତଭଣ୍ଡାରକୁ ଆସି ପୁଣି ଫେରିବାକୁ ପଡ଼ୁଛି। ରକ୍ତଭଣ୍ଡାରରୁ ରକ୍ତ ମିଳିବ ନା ନାହିଁ, ସେଥିରେ ବି ଅନିଶ୍ଚିତତା। ତେଣୁ ରକ୍ତ ଯୋଗାଡ଼ କରିବା ଏକ ବଡ଼ ସମସ୍ୟା ପାଲଟିଛି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ଏଭଳି ଦୟନୀୟ ଚିତ୍ର ଚିନ୍ତାର କାରଣ ପାଲଟିଛି। ପ୍ରସୂତି ମୃତ୍ୟୁ ମାମଲାରେ ସିଡିଏମ୍ଓ ଡା. ପୁଷ୍ପାଞ୍ଜଳି ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ଫୋନ୍ ଉଠାଇଥିଲେ ହେଁ ‘ପ୍ରସୂତି ମୃତ୍ୟୁ’ କଥା ଶୁଣି ଫୋନ୍ କାଟି ଦେଇଥିଲେ। ଏଡିଏମ୍ଓ (ପିଏଚ୍) ଡା. ସୁଧା ବାର୍ଲା ପ୍ରସୂତି ମୃତ୍ୟୁ ଘଟଣାକୁ ସ୍ବୀକାର କରିଛନ୍ତି। କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି। ରାଜ୍ୟର ଏକ ସ୍ବତନ୍ତ୍ର ଟିମ୍ ମାମଲାର ଖୋଳତାଡ଼ କରିବାକୁ ବଲାଙ୍ଗୀର ଆସିବେ ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।

14 hours ago
2


