ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡୁ): ମୋତେ ବଞ୍ଚାଇ ଦିଅନ୍ତୁ ଆଜ୍ଞା। ମୁଁ ବି ବଂଚିବାକୁ ଚାହୁଁଛି। ମୋ ନିକଟରେ ଜମା ଥିବା ସବୁ ପୁଂଜି ମୋ ମୁଖ କର୍କଟ ଚିକିତ୍ସା ପାଇଁ ଖର୍ଚ୍ଚ କରି ସବୁ ସାରି ଦେଇଛି। ଏବେ ଚିକିତ୍ସା ପାଇଁ ବାହାରକୁ ଯିବା ପାଇଁ ଗାଡି ଭଡା ପାଇଁ ବି ମୋ ନିକଟରେ ଟଙ୍କାଟିଏ ନାହିଁ। ଏଭଳି ଆକୁଳ ନିବେଦନ କରିଛନ୍ତି ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଖାତିଗୁଡାରେ ରହୁଥିବା ତ୍ରିନାଥ ପ୍ରଧାନୀ।
୧୫ବର୍ଷ ତଳେ ତ୍ରିନାଥ କୋରାପୁଟ ଠାରେ ଡ୍ରାଇଭର ଭାବେ କାମ କରୁଥିଲେ। ଗାଡ଼ି ଚଳାଇବା ସମୟରେ ପାଟିରେ ଜାକି ରଖୁଥିବା ଭାଙ୍ଗ ଏବେ ତାଙ୍କୁ ଜୀବନ ସହ ସଂଘର୍ଷ କରିବାକୁ ବାଧ୍ୟ କରିଦେଇଛି। ପାଟିରେ ଗୋଟିଏ ପାର୍ଶ୍ବର ମୁହଁରେ କଣା ହୋଇ ମାଂସ ସବୁ ଓହଳି ପଡ଼ିଛି। ପରିବାର କହିଲେ ଦୁଇଟି ପୁଅ। ଗୋଟିଏ ତୃତୀୟରେ ଓ ଅନ୍ୟ ଜଣେ ପ୍ରଥମରେ ପଢୁଛି। ଖାତିଗୁଡା ଆସିବା ପରେ ଦିନ ମଜୁରିଆ ଭାବେ ସ୍ବାମୀ ଓ ସ୍ତ୍ରୀ ପୁଷ୍ପା କାମ କରି ପରିବାର ଚଳାଉଥିଲେ। ତେବେ ଦୀର୍ଘ କିଛି ଦିନ ହେବ ତ୍ରିନାଥ କର୍କଟରେ ଆକ୍ରାନ୍ତ ହେବା ପରେ ନବରଙ୍ଗପୁର, ରାୟପୁର, କଟକ ଆଦି କର୍କଟ ଡାକ୍ତରଖାନାକୁ ନେଇ ଚିକିତ୍ସା କରି ଆଣିଛନ୍ତି ପୁଷ୍ପା। ଆୟୁଷ୍ମାନ କାର୍ଡରେ ବି ଚିକିତ୍ସା କରାଇ ସାରିଛନ୍ତି ତ୍ରିନାଥ। ଏପରିକି କଟକ ହରିହର କର୍କଟ ଡାକ୍ତରଖାନାରେ ତିନି ତିନି ଥର ରକ୍ତ ନେବାକୁ କହିଥିଲେ। ତ୍ରିନାଥ ତିନୋଟି ରକ୍ତ ନେବା ପରେ ଘା ସୁଖିଲେ ଯାଇ ଚିକିତ୍ସା କରିବେ ବୋଲି ପଠାଇ ଦେଇଥିବା ଅଭିଯୋଗ କରିଛନ୍ତି ପୁଷ୍ପା ଓ ଭାଉଜ କୁସୁମା ପ୍ରଧାନୀ। ବାହାରକୁ ଯିବା ପରେ ବି ସଠିକ ଭାବେ ପରୀକ୍ଷା କରି ଚିକିତ୍ସା କରି ନଥିବା ଏମାନେ କହିଛନ୍ତି।
ରାୟପୁରରେ ଆୟୁଷ୍ମାନ କାର୍ଡ ଜରିଆରେ ଚିକିତ୍ସା କରାଯାଉଥିଲା। ରାୟପୁର ଓ କଟକରେ ଘର ଭଡା ନେଇ ରହିବା ଏବଂ ଚିକିତ୍ସା କରାଇବା ଏବଂ ମହଙ୍ଗା ଔଷଧ କିଣିବା କ୍ଷେତ୍ରରେ ସମ୍ଭବ ପର ହୋଇ ପାରିନଥିଲା ବୋଲି ତାଙ୍କ ପତ୍ନୀ କହିଛନ୍ତି। ଜମା ଟଙ୍କା ତ୍ରିନାଥଙ୍କ ଚିକିତ୍ସା ପାଇଁ ସବୁ ସାରି ଦେଇଥିବା କହିଛନ୍ତି ପୁଷ୍ପା। ଏବେ ପୁଣି ଉନ୍ନତ ଚିକିତ୍ସା, ପରୀକ୍ଷା ଆଦି କରାଇବାକୁ ବାହାରକୁ ନେବା ପାଇଁ ତାଙ୍କ ନିକଟରେ ଆଉ ଆର୍ଥିକ ସମ୍ବଳ ନାହିଁ ବୋଲି କହିଛନ୍ତି ପୁଷ୍ପା। ଜୀବନ ସହ ସଂଘର୍ଷ କରୁଥିବା ତ୍ରିନାଥ ତାଙ୍କୁ ସହାୟତାର ହାତ ବଢ଼ାନ୍ତୁ ବୋଲି ବଦାନ୍ୟ ବ୍ୟକ୍ତି, ସଂଗଠନ, ଅନୁଷ୍ଠାନ, ଜିଲ୍ଲାପ୍ରଶାସନ ଓ ସରକାରଙ୍କୁ ଅନୁରୋଧ କରିଛନ୍ତି।
Essential Medical Tests: ପୁରୁଷମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଏହି ୫ଟି ଚିକିତ୍ସା ପରୀକ୍ଷା
ଯେଉଁ ରୋଗୀମାନଙ୍କର ବାର୍ଷିକ ପାରିବାରିକ ଆୟ ଗ୍ରାମାଞ୍ଚଳରେ ୪୦,୦୦୦ ଟଙ୍କା ଏବଂ ସହରାଞ୍ଚଳରେ ୬୦,୦୦୦ ଟଙ୍କାରୁ କମ୍ (କିମ୍ବା ବିପିଏଲ/ଏଏୱାଇ କାର୍ଡ ଅଛି), ସେମାନଙ୍କୁ ରାଜ୍ୟ ଚିକିତ୍ସା ପାଣ୍ଠିରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିଥାଏ ବୋଲି କହିଛନ୍ତି ଆଇନଜୀବୀ ମୃତ୍ୟୁଞୟ ମହାରାଣା। ସେହିପରି ଜଟିଳ ଚିକିତ୍ସା ଏବଂ ଅଧିକ ଖର୍ଚ୍ଚ ହେଉଥିବା କ୍ଷେତ୍ରରେ ଜିଲ୍ଲାପାଳ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (ସିଏମଆରଏଫ) ଆବେଦନ କରି ଆର୍ଥିକ ସହାୟତା ନିଆଯାଇପାରିବ ବୋଲି କହିଛନ୍ତି ଶ୍ରୀ ମହାରାଣା। ରାଷ୍ଟ୍ରୀୟ ଆରୋଗ୍ୟ ନିଧି/ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କ୍ୟାନସର ପାଣ୍ଠି,ଇଣ୍ଡିଆନ୍ କ୍ୟାନସର ସୋସାଇଟି ଓ ଟାଟା ଟ୍ରଷ୍ଟ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ ବୋଲି କହିଛନ୍ତି ଶ୍ରୀ ମହାରାଣା।

1 day ago
4


