ARTICLE AD BOX
କାଳିଆପାଣି (ରବି ନାରାୟଣ କର):ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକର ବଣପାହାଡ଼ ଘେରା ଉପାନ୍ତ ଇଲାକାକୁ ୧୦୮ ଆମ୍ବୁଲାନ୍ସ ମନା। ଖୋଦ୍ ବିଭାଗୀୟ କଲ୍ ସେଣ୍ଟରରୁ ଏହି ଉତ୍ତର ମିଳୁଛି। ଧାର୍ଯ୍ୟ ମାନକ ୩୦ କିଲୋମିଟରରୁ ଅଧିକ ଦୂରତା ଥିବାରୁ ୧୦୮ ସେବା ଉପଲବ୍ଧ ହୋଇପାରିବ ନାହିଁ ବୋଲି କର୍ମଚାରୀ ଫୋନ୍ରେ ରୋକ୍ଠୋକ୍ ନାସ୍ତିବାଣୀ ଶୁଣାଉଛନ୍ତି। ଏଭଳି ଉତ୍ତର ଶୁଣି ରୋଗୀ ଓ ସଂପର୍କୀୟ ହତାଶ ହୋଇପଡ଼ୁଛନ୍ତି।
ଗତ ମେ ମାସରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସେ ୧୦୮କୁ ବହୁବାର କଲ୍ କରିଆସୁଥିଲେ ହେଁ ଥରୁଟିଏ ବି ଏହି ସେବା ପାଇନଥିବା ନେଇ କ୍ଷୋଭ ପ୍ରକାଶ କରନ୍ତି ନଗଡ଼ାର ଆଶାକର୍ମୀ ଜୟନ୍ତୀ ମହାନ୍ତ। ଗତକାଲି ସକାଳ ସେ ନଗଡ଼ା ଗସ୍ତରେ ଥିବା ସମୟରେ ତଳ ନଗଡ଼ାର ମାଆ ଛେଉଣ୍ଡ ଶିଶୁକନ୍ୟା ସ୍ବର୍ଗତ ଆରତୀ ପ୍ରଧାନଙ୍କ ଝିଅ ସୁମିତ୍ରା(୩୨ ମାସ) ଅଜଣା ଜରରେ କମ୍ପୁଥିଲା। ଦେହରେ ଖଇ ଫୁଟିଲା ଭଳି ଜରଥିଲା। ସକାଳ ୧୦ ଟାରୁ ଉଦ୍ୟମ ସତ୍ତ୍ବେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ମିଳିନଥିଲା। ଶେଷରେ ଆଶାକର୍ମୀ ଜୟନ୍ତୀଙ୍କ ଅନୁରୋଧ କ୍ରମେ ସଂଧ୍ୟା ସାଢ଼େ ୭ଟାରେ ଟାଟାଷ୍ଟିଲ ଫାଉଣ୍ଡେସନ ଆମ୍ବୁଲାନ୍ସ ନଗଡ଼ା ପହଞ୍ଚିଥିଲା। ଗତକାଲି ରାତିରୁ ସୁମିତ୍ରା ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ର(ଏନ୍ଆର୍ସି)ରେ ଚିକିତ୍ସାଧୀନ ଅଛି।
ସୁକିନ୍ଦାରୁ ତଳ ନଗଡ଼ା ଓ ଗୁହିଆଶାଳ ୪୮ ରୁ ୫୦ କିଲୋମିଟର ଦୂର। ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅଫିସ ୩୧ କିଲୋମିଟର ଦୂର। କଅଁସ ପଞ୍ଚାୟତ ଅଫିସ ୪୦ କିଲୋମିଟର ଦୂର। ଟିକରପଡ଼ା ଗାଁ ୫୦ ରୁ ଅଧିକ କିଲୋମିଟର ଦୂରରେ ଅବସ୍ଥିତ। ଦୂରତା ମାନକ ଆଧାରରେ ୧୦୮ ଆମ୍ବୁଲାନ୍ସ ସେବା ପ୍ରତ୍ୟକ୍ଷ ଖଣି ପ୍ରଭାବିତ କଅଁସ ଓ ଚିଙ୍ଗୁଡ଼ିପାଳ ପଞ୍ଚାୟତର ସମସ୍ତ ଗାଁ ଓ କାଳିଆପାଣି ପଞ୍ଚାୟତର ଅଧିକାଂଶ ଗାଁରେ ଅପହଞ୍ଚ। ଗତ ୫ ବର୍ଷ ଧରି ଏଠାରେ ୧୦୮ ଆମ୍ବୁଲାନ୍ସ ଖୋଜା ପଡ଼ୁନଥିଲା। ବିକଳ୍ପ ବ୍ୟବସ୍ଥାରେ ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମ(ଓମ୍ବାଡ୍ସି) ପକ୍ଷରୁ ଖଣିଅଞ୍ଚଳରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା ଥିଲା। ହେଲେ ଗତ ଏପ୍ରିଲ ମାସ ୩୦ ତାରିଖରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏହି ଓମ୍ବାଡ୍ସି ଆମ୍ବୁଲାନ୍ସ ସେବା ପ୍ରତ୍ୟାହାର କରିନେଇଛି। ଜିଲ୍ଲା ମିସନ ନିର୍ଦ୍ଦେଶାଳୟର ବିଜ୍ଞପ୍ତି ନମ୍ବର ୩୪୬୭/୨୯-୪-୨୬ ଆଧାରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ)ଙ୍କ ନିର୍ଦ୍ଦେଶରେ ସୁକିନ୍ଦା ସମେତ ଜିଲ୍ଲାର ୬ଟିଯାକ ଓମ୍ବାଡ୍ସି ଆମ୍ବୁଲାନ୍ସ ସେବା ବନ୍ଦ୍ ନିର୍ଦ୍ଦେଶ ଦେଇଥିଲେ। ପତ୍ରାଙ୍କ ୧୫୭୧/୩-୫-୨୧ ବଳରେ ଠିକାସଂସ୍ଥା ସିଲିକନ ଇନଫୋକେୟାର କାର୍ଯ୍ୟାଦେଶ ବାତିଲ କରାଯାଇଥିଲା।
Dead: ନୋଏଡ଼ାରେ ମୁକୁଳା ଡ୍ରେନ୍ରେ ପଡ଼ି ଯୁବକଙ୍କ ମୃତ୍ୟୁ
ଗତ ମେ ମାସ ୩୦ ତାରିଖରେ ଗୁହିଆଶାଳ ଗାଁର ସରକାରୀ ଉପ୍ରା ସ୍କୁଲ ଦ୍ବିତୀୟଶ୍ରେଣୀ ଛାତ୍ରୀ ବାସନ୍ତୀ ଓ ଅଷିଣ ପ୍ରଧାନଙ୍କ ଝିଅ ତୁଳସୀ(୬) ଓ ୧୨ ତାରିଖରେ ଷଷ୍ଠଶ୍ରେଣୀ ଛାତ୍ରୀ ଚନ୍ଦୁରୀ ଓ ବାସୁ ଦେହୁରୀଙ୍କ ଝିଅ କାବେରୀ(୧୨)ଙ୍କର ଆମ୍ବୁଲାନ୍ସ ସେବା ଅଭାବରୁ ମୃତ୍ୟୁ ହୋଇଥିଲା। ଜରରେ କମ୍ପୁଥିବା ଏହି ୨ ଶିଶୁକନ୍ୟାକୁ ପରିବାର ସଦସ୍ୟ ଭାର କରି ନାଲିଆଡାବ ପର୍ଯ୍ୟନ୍ତ ବୋହି ଆଣିଥିଲେ ହେଁ ୮ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ମିଳିନଥିଲା। ଓଡ଼ିଶା ଖଣି ନିଗମ(ଓଏମ୍ସି) ଓ ଟାଟାଷ୍ଟିଲ କର୍ତ୍ତୃପକ୍ଷଙ୍କ ଦୟାରୁ ଉପାନ୍ତ ଇଲାକାରେ ଆମ୍ବୁଲାନ୍ସ ସେବା ସାମୟିକ ଉପଲବ୍ଧ ହୋଇଥାଏ। ଦୁର୍ଘଟଣା ଓ ହୃଦ୍ଘାତ ଭଳି ଅତ୍ୟନ୍ତ ଜରୁରୀ ଆବଶ୍ୟକ ସ୍ଥଳେ ତୁରନ୍ତ ଆମ୍ବୁଲାନ୍ସ ସେବା ଆଶା କ୍ଷୀଣ। ପ୍ରତିବର୍ଷ ଠିକଣା ସମୟରେ ଆମ୍ବୁଲାନ୍ସ ଅଭାବରୁ ଉପାନ୍ତ ଇଲାକାରେ ଅତିକମ୍ରେ ୧୦ ରୁ ଅଧିକ ଜୀବନ ଅକାରଣରେ ଚାଲି ଯାଉଥିଲେ ହେଁ ପ୍ରଶାସନ ବେଫିକର ରହିଆସିଛି। ଏ ସଂପର୍କରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଗୋପାଳ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ କାଳିଆପାଣି ପାଇଁ ସ୍ବତନ୍ତ୍ର ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ପ୍ରଶାସନର ଯୋଜନା ଥିବା କହିଥିଲେ।

1 hour ago
1

