ARTICLE AD BOX
ଭୁବନେଶ୍ବର/ନୂଆଦିଲ୍ଲୀ: ଶେଷରେ ପୁଲିସ ଡିଜି ଚୟନ ପ୍ରକ୍ରିୟା ଆଇନଗତ ବିବାଦରେ ଛନ୍ଦି ହୋଇଗଲା। ୟୁପିଏସ୍ସି ଆଜି ନିଜ ତରଫରୁ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ କୋର୍ଟ ସ୍ପଷ୍ଟ ଆଭିମୁଖ୍ୟ ନ ନେବା ପର୍ଯ୍ୟନ୍ତ ଚୟନ କମିଟି ବୈଠକ ଡକାଯିବ ନାହିଁ। ଅନ୍ୟପକ୍ଷରେ ଆସନ୍ତା ୧୮ ତାରିଖରେ ସର୍ବୋଚ୍ଚ ଅଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଆଜିର ଏହି ଘଟଣା ସାରା ଭାରତର ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କେବଳ ସେତିକି ନୁହେଁ, ଓଡ଼ିଶା ସରକାରଙ୍କୁ ବଡ଼ ଝଟ୍କା ମଧ୍ୟ ଲାଗିଛି।
ଏଇଥିପାଇଁ ଯେ ବହୁଚର୍ଚ୍ଚିତ ପ୍ରକାଶ ସିଂହ ମାମଲାରେ ଆମିକସ୍କ୍ୟୁରି ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ ଯେ ସେ ଫାଇଲକୁ ତନ୍ନତନ୍ନ କରି ପଢ଼ିଛନ୍ତି। ଏଥିରେ ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରାଯାଇଛି। ଏଥିସହିତ ଶ୍ରୀ ରାମଚନ୍ଦ୍ରନ ଜନସ୍ବାର୍ଥ ଆବେଦନକୁ ସମର୍ଥନ କରୁଥିବା ସ୍ପଷ୍ଟ କହିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କୌଣସି ଅନିୟମିତତା ହୋଇନାହିଁ ବୋଲି ଯୁକ୍ତି ରଖିଥିଲେ ହେଁ ଖଣ୍ଡପୀଠଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିନଥିଲା। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ସହ ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠଙ୍କ ଅଦାଲତରେ ସ୍ବଳ୍ପ ସମୟରେ ଆସିଥିବା ଏଭଳି ଗୋଟିଏ ରାୟ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏଥିସହିତ ଡିଜି ନିଯୁକ୍ତି ଅନିଶ୍ଚିତତାକୁ ଠେଲି ହୋଇଯାଇଛି। ଆସନ୍ତା ୧୬ ତାରିଖ ଅପରାହ୍ଣରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଅବସର ନେବା ପରେ ସରକାର ପରବର୍ତ୍ତୀ ଡିଜିପି ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଜଣେ କାମଚଳା ଡିଜି ନିଯୁକ୍ତ କରିପାରନ୍ତି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ନାମ ଚର୍ଚ୍ଚାର ଆଗରେ ରହିଛି। ଯେକୌଣସି ମୁହୂର୍ତ୍ତରେ ସରକାର ଏହି ଘୋଷଣା କରିପାରନ୍ତି।
ଏବେ ବୈଠକ କରିବନି ୟୁପିଏସ୍ସି
୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି
ଉଲ୍ଲେଖଥାଉକି, ପୁଲିସ ଡିଜି ଚୟନକୁ ନେଇ ସପ୍ତାହେ ହେଲା ଛକାପଞ୍ଝା ଜାରି ରହିଛି। ଗତ ୭ ତାରିଖରେ ୟୁପିଏସ୍ସି ବୈଠକ ଯେଉଁଭଳି ସ୍ଥଗିତ ହେଲା ତାହାକୁ ଆଇନଜୀବୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଗ୍ରହଣ କରିପାରୁନାହାନ୍ତି। ଦୁଇ ଅଧିକାରୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇ ଲେବଲ୍-୧୬କୁ ନିଆଯିବା ଏବଂ ଆଜି ଅପରାହ୍ଣରେ ଆଉଥରେ ବୈଠକ ଡକାଯିବା ଘଟଣାକୁ ମଧ୍ୟ ସେମାନେ ଗ୍ରହଣ କରି ପାରୁନାହାନ୍ତି। କେବଳ ସେତିକି ନୁହେଁ, ୟୁପିଏସ୍ସି ବୈଠକ ପ୍ରଥମଥର ସ୍ଥଗିତ କରି ଶେଷ ମୁହୂର୍ତ୍ତରେ ପୁଣି ଦୁଇଜଣଙ୍କୁ ଡିଜି ପାହ୍ୟାରେ ସାମିଲ କରି ୟୁପିଏସ୍ସି ଚୟନ କମିଟି ବୈଠକ ଡକାଯିବା ଆଇନତଃ କିଭଳି ଠିକ୍ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଜଣେ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ଅନୁମତି ନିଆଯାଇପାରିଥାନ୍ତା। ହେଲେ ତାହା ମଧ୍ୟ ହୋଇନାହିଁ। ଅତଏବ ଏବେ ପ୍ରଶ୍ନ ଉଠୁଛି, ଡିଜି ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେଉଁମାନେ ଅକଳରେ ପକାଇଲେ? ଏଭଳି ଗୋଟିଏ ନିଷ୍ପତ୍ତି ନେବା ପୂର୍ବରୁ ଏସବୁର ଆଇନଗତ ଦିଗ ତର୍ଜମା କରି ସରକାରଙ୍କୁ ଅବଗତ କରାଯାଇଥିଲା କି? ସରକାରଙ୍କୁ ବଦନାମ ତଥା ଅପଦସ୍ଥ କରିବା ଲାଗି ଷଡ଼ଯନ୍ତ୍ର ହେଉଛି କି?
ଆଜି କୋର୍ଟରେ ଡିଜି ନିଯୁକ୍ତି ସଂକ୍ରାନ୍ତରେ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି.ଚିଦାମ୍ବରମ୍ କହିଥିଲେ ଯେ ୟୁପିଏସ୍ସିର ଏମ୍ପ୍ୟାନେଲମେଣ୍ଟ୍ କମିଟି ଓଡ଼ିଶାର ନୂଆ ଡିଜିପି ପଦ ପାଇଁ ନାମ ଚୂଡ଼ାନ୍ତ କରିବାକୁ ଥିବାରୁ ଏହାର ତୁରନ୍ତ ଶୁଣାଣି ଆବଶ୍ୟକ। ଡିଜିପି ଚୟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁପିଏସ୍ସିକୁ ନାମ ପଠାଯିବା ଏବଂ ପରବର୍ତ୍ତୀ ସମୟରେ ସେହି ତାଲିକାରେ ପରିବର୍ତ୍ତନ ହୋଇଥିବା ଅଭିଯୋଗକୁ ନେଇ ସେ ପ୍ରଶ୍ନ କରିବା ସହ ଚୟନ ପ୍ରକ୍ରିୟାର ଆଇନଗତ ବୈଧତା ନେଇ ଅଦାଲତଙ୍କ ହସ୍ତକ୍ଷେପ ଆବଶ୍ୟକ ବୋଲି ଯୁକ୍ତି ରଖିଥିଲେ।
ଯେକୌଣସି ମୁହୂର୍ତ୍ତରେ ନିଯୁକ୍ତ ହେବେ କାମଚଳା ଡିଜିପି
ନିର୍ଦ୍ଦେଶାବଳୀର ଉଲ୍ଲଂଘନ ହୋଇଛି: ଆମିକସ୍କ୍ୟୁରି
ସର୍ବୋଚ୍ଚ ଅଦାଲତଙ୍କ ରାୟର ପୂର୍ଣ୍ଣ ଅନୁସରଣ କରାଯାଇଛି: ଏଜି
ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ ଯୁକ୍ତି ରଖି କହିଥିଲେ, ଡିଜିପି ଚୟନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇନାହିଁ। ନିୟମ ଅନୁଯାୟୀ ରାଜ୍ୟ ସରକାର ଚୟନ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛନ୍ତି। ଜନସ୍ୱାର୍ଥ ମାମଲାର ଗ୍ରହଣଯୋଗ୍ୟତାକୁ ନେଇ ଏଜି ପ୍ରଶ୍ନ ଉଠାଇବା ସହିତ ଯୁକ୍ତି ରଖିଥିଲେ ଯେ ଏହି ବିବାଦ ମୂଳତଃ ଏକ ସେବା ସମ୍ବନ୍ଧୀୟ ମାମଲା। ଆବେଦନକାରୀ ଚାକିରି ସର୍ତ୍ତାବଳୀ ନିୟମ ସଂପର୍କରେ ଅଜ୍ଞ ଅଟନ୍ତି। ଏମିତିରେ ବି ଡିଜି ନିଯୁକ୍ତି ପ୍ରକ୍ରିୟାରେ ଆବେଦନକାରୀ ବ୍ୟକ୍ତିଗତ ଭାବେ କ୍ଷତି ସହି ନାହାନ୍ତି। ଏଣୁ ଏଭଳି କପୋଳକଳ୍ପିତ ଓ ଅବାଞ୍ଛିତ ଯୁକ୍ତି ଗ୍ରହଣୀୟ ନୁହେଁ। ସୁପ୍ରିମକୋର୍ଟ ପ୍ରକାଶ ସିଂହ ମାମଲାରେ ଦେଇଥିବା ରାୟକୁ ରାଜ୍ୟ ସରକାର ପୂର୍ଣ୍ଣ ଅନୁସରଣ କରିଛନ୍ତି ବୋଲି ସେ ଅଦାଲତଙ୍କୁ ଅବଗତ କରିଥିଲେ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ମଧ୍ୟ ଉଲ୍ଲେଖ କରିଥିଲେ ଯେ ଚୟନ ପ୍ରକ୍ରିୟା ଦ୍ୱାରା ପ୍ରଭାବିତ ହେଉଥିବା କୌଣସି ଅଧିକାରୀ ନିଜେ ସୁପ୍ରିମକୋର୍ଟଙ୍କ ନିକଟକୁ ଆସିନାହାନ୍ତି।
ଏହାପରେ ଖଣ୍ଡପୀଠ ପ୍ରକାଶ ସିଂହ ମାମଲାରେ ଆମିକସ୍କ୍ୟୁରି ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ମତାମତ ନେଇଥିଲେ। ଏବଂ ଆମିକସ୍କ୍ୟୁରିଙ୍କ ଯୁକ୍ତିକୁ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟ ୟୁପିଏସ୍ସି ପକ୍ଷରୁ ଉପସ୍ଥିତ ଆଇନଜୀବୀଙ୍କୁ ଆଜିର ନିର୍ଦ୍ଧାରିତ ବୈଠକକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଡିଜିପି ଚୟନ ପ୍ରକ୍ରିୟାରେ କୌଣସି ପ୍ରକାରର ପଛଦ୍ୱାର ନିଯୁକ୍ତି ଗ୍ରହଣଯୋଗ୍ୟ ନୁହେଁ। ପରବର୍ତ୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ ୟୁପିଏସ୍ସି ଏହି ପ୍ରକ୍ରିୟା ନିମନ୍ତେ କୌଣସି ବୈଠକ କରିବା ଉଚିତ ନୁହେଁ ବୋଲି ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି ମୋହନା ମତ ଦେଇଥିଲେ। ଆସନ୍ତା ୧୮ ତାରିଖରେ ଅଦାଲତ ଏହା ଉପରେ କି ପଦକ୍ଷେପ ନେଉଛନ୍ତି, ତା’ ଉପରେ ସମସ୍ତଙ୍କର ନଜର ରହିଛି।

1 day ago
3


