ARTICLE AD BOX
ନୂଆଦିଲ୍ଲୀ: ଚଳିତ ବର୍ଷର ସର୍ବୋଚ୍ଚ ସ୍ତରରୁ ସୁନା ଦର ଯଥେଷ୍ଟ ଖସିଯିବା ପରେ ଧନତେରସ୍ ଓ ଦୀପାବଳିରେ ଭାରତୀୟମାନେ ମନଖୋଲି ସୁନା କିଣିଛନ୍ତି। ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ଦିନରେ ଦେଶରେ ୫୨ ଟନ୍ ସୁନା ବିକ୍ରି ହୋଇଥିବା ଇଣ୍ଡିଆନ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ପକ୍ଷରୁ କୁହାଯାଇଛି। ଏହାର ମୂଲ୍ୟ ହେଉଛି ୭୨ ହଜାର କୋଟି ଟଙ୍କା।
ସେହିପରି ଏହି ଦୁଇଦିନରେ ୫୪୦୦ କୋଟି ଟଙ୍କାର ୩୦୦ ଟନ୍ ରୁପା ମଧ୍ୟ ବିକ୍ରି ହୋଇଥିଲା। ସୁନା ଚାହିଦାରେ ୩୦% ଓ ରୁପାରେ ୧୦% ବୃଦ୍ଧି ହୋଇଥିଲା।ଆଇବିଜେଏର ଜାତୀୟ ସମ୍ପାଦକ ସୁରେନ୍ଦ୍ର ମେହେଟ୍ଟା କହନ୍ତି, ଚଳିତ ବର୍ଷ ଧନତେରସ୍ରେ ବହୁତ ଭଲ କାରବାର ହୋଇଛି। ପୂର୍ବରୁ ଯେଉଁମାନେ କ୍ରୟ ନିଷ୍ପତ୍ତ ଟାଳିଥିଲେ, ସେମାନେ ସୋରୁମ ଆସି ସୁନା କିଣିଛନ୍ତି। ଆଗକୁ ଥିବା ବିବାହ ଋତୁ ପାଇଁ ନଭେମ୍ବର ମଧ୍ୟ ଭାଗରୁ କିଣାକିଣି ଆରମ୍ଭ ହୋଇ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ କାରବାର ଉତ୍ସାହଜନକ ରହିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଧନତେରସ୍ ପୂର୍ବରୁ କିଣାକିଣିରେ ଫେରିଥିବା ଉତ୍ସାହ ଏବେବି ବଳବତ୍ତର ରହିଥିବା ସେ କହିଛନ୍ତି।
ଚଳିତ ବର୍ଷ ୨୨ କ୍ୟାରେଟ୍ ସୁନାର ସର୍ବୋଚ୍ଚ ଦାମ୍ ୧୦ ଗ୍ରାମକୁ ୧.୮୧ ହଜାର ଟଙ୍କାରେ ପହଞ୍ଚିଥିଲା। କିନ୍ତୁ ଉତ୍ସବ ଋତୁରେ ସେଥିରେ ଦ୍ରୁତ ହ୍ରାସ ଘଟିଥିଲା। ଅକ୍ଟୋବର ମାସରେ ଏହି ହ୍ରାସ ଅଧିକ ତ୍ବରାନ୍ବିତ ହେବାରୁ ସୁନା ଦର ୧.୪୧ ଲକ୍ଷ ଟଙ୍କାକୁ ଖସିଯାଇଥିଲା। ଗୋଟିଏ ପଟେ ସୁନା ଶସ୍ତା ହେବା ଏବଂ ଅନ୍ୟପଟେ ବେତନଭୋଗୀମାନେ ଏକସଙ୍ଗେ ଦରମା ଓ ବୋନସ୍ ପାଇବା ସୁନା ଭଳି ଦାମୀ ଜିନିଷ କିଣିବା ପାଇଁ ସୁଯୋଗ ସୃଷ୍ଟି କରିଥିଲା।
୨୦୨୩ରେ ସୁନା ୧୦ ଗ୍ରାମକୁ ୬୦ ହଜାର ଟଙ୍କା ଥିଲା। ୨୦୨୪ରେ ତାହା ୮୦ହଜାରକୁ ବୃଦ୍ଧି ପାଇଥିଲା। ୨୦୨୫ରେ ସେହି ଦର ୧ ଲକ୍ଷ ୨୦ ହଜାର ଟଙ୍କାରେ ପହଞ୍ଚିଥିଲା। ୨୦୨୬ରେ ଦର ପୂର୍ବର ସବୁ ରେକର୍ଡ ଭାଙ୍ଗି ୧.୮୦ ହଜାର ଉପରକୁ ଚାଲିଯାଇଥିଲା। ଫଳରେ ସାଧାରଣ ଲୋକଙ୍କ ପାଇଁ ସୁନା ଏକ ପ୍ରକାର ଅପହଞ୍ଚ ହୋଇପଡ଼ିଥିଲା। ଦରରେ ୪୦ ହଜାର ଟଙ୍କା ପାଖାପାଖି ହ୍ରାସକୁ ଗ୍ରାହକମାନେ ଏକ ବଡ଼ ସୁଯୋଗ ଭାବେ ଗ୍ରହଣ କରି ଏଥର ପାର୍ବଣରେ କିଣାକିଣି କରିଥିଲେ। ସୁନା ବ୍ୟତୀତ ପ୍ରାକୃତିକ ହୀରା ବିକ୍ରିରେ ମଧ୍ୟ ଧନତେରସ୍ ଦିନ ୨୫୦% ଓ ଦୀପାବଳିରେ ୪୭% ବୃଦ୍ଧି ହୋଇଥିଲା।

1 hour ago
1


