ARTICLE AD BOX
କାଳିଆପାଣି (ରବି ନାରାୟଣ କର): ତାମିଲନାଡ଼ୁର ସେଣ୍ଟ୍ ପଲ୍ ଆଣ୍ଡ୍ ପିଟର ସି ଫୁଡ ଏକ୍ସପୋର୍ଟ୍ସ କମ୍ପାନିର ଗ୍ୟାସ୍ ଲିକ୍ ଘଟଣାରେ କେନ୍ଦୁଝର ଜିଲ୍ଲାର ୧୪ ଜଣ ଜୁଆଙ୍ଗ ଯୁବତୀଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ଘଟଣା ଏବେ ସାରା ଦେଶରେ ଆଲୋଡ଼ନର କାରଣ ହୋଇଛି।
ତେବେ ସେଠାରେ ଯାଜପୁର ଜିଲ୍ଲାରୁ ଏକମାତ୍ର ଶ୍ରମିକ ଭାବେ କାର୍ଯ୍ୟରତ ନଗଡ଼ା ପଡ଼ୋଶୀ ଗୁହିଆଶାଳ ଗାଁର ପାଲେଇ ଓ ନନ୍ଦ ପ୍ରଧାନଙ୍କ ଝିଅ ସମ୍ବାରୀ(୧୯) ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୁସ୍ଥହୋଇ ମେଡିକାଲରୁ ଫେରିବା ପରେ ରାଜ୍ୟ ଶ୍ରମ ମନ୍ତ୍ରଣାଳୟର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୧୫ ଜଣ ଶ୍ରମିକାଙ୍କୁ ଗତକାଲି ଏକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ବର ଅଣାଯାଇଥିଲା। ସେମାନଙ୍କ ମଧ୍ୟରେ ସମ୍ବାରୀ ଓ କେନ୍ଦୁଝର ଜିଲ୍ଲାର ଅନ୍ୟ ୧୪ ଜଣ ଅଛନ୍ତି। ସମ୍ବାରୀଙ୍କୁ ଉଦ୍ଧାର କରି ଗାଁରେ ଛାଡ଼ିବା ଦାୟିତ୍ବ ପ୍ରୋଟୋକଲ ଅଫିସର ଭାବେ ଯାଜପୁର ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ଅଭିଜିତ ଜୟପ୍ରକାଶ ପ୍ରଧାନଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ପୂର୍ବରୁ ନଗଡ଼ା ଆସିନଥିବାରୁ ଶ୍ରମ ଅଧିକାରୀ ଶ୍ରୀ ପ୍ରଧାନ ଗୁହିଆଶାଳ ଅବସ୍ଥିତି ସଂପର୍କରେ ଅଜ୍ଞ ଥିଲେ।
ଗତକାଲି ମଧ୍ୟାହ୍ଣ ସୁଦ୍ଧା ନଗଡ଼ା ଉପକଣ୍ଠ ନାଲିଆଡାବରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କୁ ପଚାରି ଗୁହିଆଶାଳ ବାଟ ଧରିଥିଲେ। ଲଗାଣ ବର୍ଷା ପାଇଁ ତାଙ୍କ କାର୍ ନାଲିଆଡାବ ବିଟ୍ ହାଉସ ପାଖରେ ଅଟକିଥିଲା। ସମୁଦ୍ର ପତନ ଠାରୁ ୨୧ଶହ ଫୁଟ ଉଚ୍ଚରେ ଥିବା ଗୁହିଆଶାଳ ଗାଁକୁ ଧୁଧୁ ବର୍ଷାରେ ଦୁର୍ଗମ ପାହାଡ଼ୀ ଗୁଳାବାଟରେ ଶ୍ରମ ଅଧିକାରୀ ଶ୍ରୀ ପ୍ରଧାନ ଓ ଡ୍ରାଇଭର ପ୍ରକାଶ ଚନ୍ଦ୍ର ଜେନାଙ୍କୁ ଯା’ଆସ ପାଇଁ ୮ କିଲୋମିଟର ଚାଲିବାକୁ ପଡ଼ିଥିଲା। ଗାଁରେ ପହଞ୍ଚିଲା ବେଳକୁ ସମ୍ବାରୀଙ୍କ ବାପାମାଆ ଘରେ ନଥିଲେ। ବଡ଼ ମାଆବାପା ଉଦୁମୀ ଓ ଗୋବିନ୍ଦ ପ୍ରଧାନଙ୍କ ହେପାଜତରେ ସମ୍ବାରୀଙ୍କୁ ଛଡ଼ା ଯାଇଥିଲା। ଏହି ଦୁର୍ଘଟଣାରେ ସମ୍ବାରୀଙ୍କ ଶରୀର ୧୦ ରୁ ୧୨ ପ୍ରତିଶତ ପୋଡ଼ି ଯାଇଥିଲା। ତେବେ ଏ ସଂପର୍କରେ ସେ ଅବଗତ ନଥିବା କହନ୍ତି ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶ୍ବେତଲିନା ରଥ।

2 hours ago
1


