ARTICLE AD BOX
ଭୁବନେଶ୍ବର: ଦୟା ୱେଷ୍ଟ କେନାଲ ଓ ଗଙ୍ଗୁଆ ନାଳ ଦେଇ ବର୍ଷା ଜଳ ଓ ଆବର୍ଜନା ଜଳ ନିଷ୍କାସିତ ହେଉଛି। କିନ୍ତୁ ଚଳିତ ବର୍ଷାରେ ଦୟା ୱେଷ୍ଟ କେନାଲ ଓ ଗଙ୍ଗୁଆର ଦେଇ ରାଜଧାନୀର ବର୍ଷା ଓ ବର୍ଜ୍ୟଜଳ ନିଷ୍କାସିତ ହୋଇ ନପାରି ବହୁ ୱାର୍ଡକୁ ଜଳବନ୍ଦି କରୁଛି। ଏହାର ପ୍ରମୁଖ କାରଣ କୁଢ଼ କୁଢ଼ ଆବର୍ଜନା ଓ ଜବରଦଖଲ। ଜଳସଂପଦ ବିଭାଗ ଅଧୀନରେ ଆସୁଥିବା ଉଭୟ ଦୟା ୱେଷ୍ଟ କେନାଲ ଓ ଗଙ୍ଗୁଆ ଜବରଦଖଲରେ ଅଣନିଃଶ୍ବାସୀ। ତଥାପି ଜଳସଂପଦ ବିଭାଗର ନିଦ ଭାଙ୍ଗୁନି। ପ୍ରତିବର୍ଷ ବର୍ଷା ପୂର୍ବରୁ ଜଳସଂପଦ ବିଭାଗର ଜରୁରି ବୈଠକ ବସେ। ଏପ୍ରିଲରେ ନଦୀନାଳ, କେନାଲ ଆଦିକୁ ଅବରୋଧମୁକ୍ତ କରାଯାଏ। ଗଛ ଡାଳ, ଆବର୍ଜନା ଆଦି ହଟାଯାଏ। କିନ୍ତୁ ଦୟା ୱେଷ୍ଟ କେନାଲ ଓ ଗଙ୍ଗୁଆ କ୍ଷେତ୍ରରେ ଜଳସଂପଦ ବିଭାଗ ଆଖି ବୁଜିଦେଇଛି।
ଗଙ୍ଗୁଆ ନାଳର ଲମ୍ବ ୩୫.୭ କିଲୋମିଟର, ଓସାର ପ୍ରାୟ ୩୦ ମିଟର ଓ ଗଭୀରତା ପ୍ରାୟ ୨.୬୨ ମିଟର। ଏହା ଗାଡ଼କଣରୁ ବାହାରି ବିଏମ୍ସି ଦେଇ ପିପିଲି କଣ୍ଟିଠାରେ ଦୟା ନଦୀରେ ମିଶିଛି। ବିଏମ୍ସିରୁ ଦୈନିକ ୧୦୭ ଏମ୍ଏଲ୍ଡି ବର୍ଜ୍ୟଜଳ ବାହାରୁଛି। ଦୟାୱେଷ୍ଟ କେନାଲ୍ ସହ ଏକାଧିକ ପ୍ରାକୃତିକ ନାଳ ଓ ଅନ୍ୟପଥ ଦେଇ ଏହି ବର୍ଜ୍ୟଜଳ ଗଙ୍ଗୁଆ ଦେଇ ଦୟାକୁ ଯାଉଛି। ଦୟା ୱେଷ୍ଟ କେନାଲର ଉଭୟ ପାର୍ଶ୍ୱ ବନ୍ଧର ଲମ୍ବ ୩୪.୮୭୯ କିଲୋମିଟର ଓ ଏଥିରେ ଭୁବନେଶ୍ୱରର ୧୪ଟି ନାଳ ମିଶିଛି। କଳାରାହାଙ୍ଗ ୱାର୍ଡ ନମ୍ବର-୨, ମଞ୍ଚେଶ୍ବର ସେକ୍ଟର-ଏ, ପଳାଶୁଣୀ ଜାତୀୟ ରାଜପଥ, ଜିଜିପି କଲୋନି, ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀ, ଲକ୍ଷ୍ମୀସାଗର ୧୦ ନମ୍ବର ନାଳ, କଂସେଇଖାନା ପୋଲ, ବଡ଼ଗଡ଼, ମହିଷାଖାଲ, ବିଜେବିନଗର, ଟଙ୍କପାଣି, କପିଳେଶ୍ବର, କୁମାରସାହି, ରାଧାରମଣ କଲୋନି, ସୁନ୍ଦରପଦା କଲେଜ ଛକରେ ଭୁବନେଶ୍ୱର ସହରର ବର୍ଜ୍ୟଜଳ ଦୟା ୱେଷ୍ଟ କେନାଲରେ ମିଶୁଛି।
କିନ୍ତୁ ଉଭୟ ଦୟା ୱେଷ୍ଟ କେନାଲ୍ ଓ ଗଙ୍ଗୁଆର ତଣ୍ଟି ଚିପି ସାରିଲେଣି ଅମାନିଆ ଲୋକେ। ସିଧାସଳଖ ଏହା ଭିତରେ ଆବର୍ଜନା ଫିଙ୍ଗୁଛନ୍ତି। କେଉଁଠି ମାଟିରେ ମିଶୁ ନଥିବା ଜରି, ଥର୍ମୋକୁଲ୍ରେ ଏହା ଭରିଗଲାଣି ତ’ କେଉଁଠି ନିର୍ମାଣ ବର୍ଜ୍ୟ ନିଷ୍କାସନ ପଥ ଅଟକାଇ ରଖିଛି। ବିଲାତି ଦଳ, ଅନାବନା ଗଛ ନାଳ ଭିତରେ ଚରିଗଲାଣି। କେବଳ ସେତିକି ନୁହେଁ, ଜବରଦଖଲ ନାଳକୁ ସଂକୁଚିତ କରିଦେଲାଣି। ଚଳିତ ବର୍ଷ ଏହା ସହରବାସୀଙ୍କୁ ଅସୁବିଧାରେ ପକାଇଛି ଓ ଜଳବନ୍ଦି କରିଛି।
V-Mart: ଭି-ମାର୍ଟର ମହାବଚତ୍ କା ଡବଲ୍ ଅଫର
ଗଙ୍ଗୁଆର ପୁନରୁଦ୍ଧାର ଓ ଜବରଦଖଲମୁକ୍ତ କରିବାକୁ ରାଜ୍ୟ ସରକାର ଏକ ୧୦ଜଣିଆ ଗଙ୍ଗୁଆ ସମନ୍ବୟ କମିଟି ଗଠନ କରିଥିଲେ। କମିଟିରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଅଧ୍ୟକ୍ଷ, ବିଡିଏ, ବିଏମ୍ସି, ଜଳନିଗମ, ସ୍ବେରେଜ ବୋର୍ଡ, ବନ ବିଭାଗ, ପର୍ଯ୍ୟଟନ ବିଭାଗ, ଶକ୍ତି ବିଭାଗ ନୋଡାଲ୍ ଅଧିକାରୀ, କଟକ ଡ୍ରେନେଜ୍ ମୁଖ୍ୟଯନ୍ତ୍ରୀ ସଦସ୍ୟ ରହିଛନ୍ତି। କମିଟି ଗଠନକୁ ୨ ବର୍ଷ ବିତିଲାଣି, ଗଙ୍ଗୁଆ ସ୍ଥିତି ବଦଳିନି। ସମାନ ସ୍ଥିତି ଦୟା ୱେଷ୍ଟ କେନାଲ୍ର। ସେପଟେ ଉଭୟ ଗଙ୍ଗୁଆ ଓ ଦୟା ୱେଷ୍ଟ କେନାଲ୍ ପୁନରୁଦ୍ଧାର ହେବ ବୋଲି ସାଂସଦ ଓ ଅନ୍ୟ ନେତାମାନେ କେବଳ ସ୍ବପ୍ନ ଦେଖାଉଛନ୍ତି।

1 day ago
4


