ARTICLE AD BOX
ବିହାର: ବିହାରର ବକ୍ସର ଜିଲ୍ଲାର ୫୫ ବର୍ଷୀୟ ସୁନୈନା ବନ୍ୟା ପାଣିରେ ଭାସିଯାଇ ଉତ୍ତରପ୍ରଦେଶ ବଲିଆର ଜିଲ୍ଲାର ହଳଦୀ ଥାନା ଅଞ୍ଚଳର ଗଙ୍ଗା ନଦୀ କୂଳରେ ଥିବା ଚୈନ ଛପରା ଗାଁ ସମ୍ମୁଖରେ ପହଞ୍ଚିଥିଲେ। ଏହି ସମୟରେ ମହିଳା ଜଣକ କେବଳ ଗଙ୍ଗା ନଦୀର ପାଣି ପିଇ ଜୀବନ ବଞ୍ଚାଇଥିବା ସୂଚନା ମିଳିଛି।
ସେପ୍ଟେମ୍ବର ୧୩ ତାରିଖରେ ପାଣି କମିବା ଆରମ୍ଭ ହେବାପରେ ସୁନୈନା ସାହାଯ୍ୟ ଖୋଜିବା ପାଇଁ ଝୁମ୍ପୁଡ଼ିରୁ ବାହାରିଥିଲେ। ଏହି ସମୟରେ ସେ ଗଭୀର ପାଣିରେ ବୁଡ଼ିବାକୁ ଲାଗିଥିଲେ। ନିଜକୁ ବୁଡ଼ିଯାଉଥିବା ଦେଖି ସେ ସାହାଯ୍ୟ ପାଇଁ ‘ଶିବ ଗୁରୁ, ଶିବ ଗୁରୁ’ ବୋଲି ଡାକିବାକୁ ଲାଗିଥିଲେ। ଏହି ସମୟରେ ସେଠାରେ ଥିବା କିଛି ମାଛଧରାଳି ତାଙ୍କୁ ଦେଖି ତୁରନ୍ତ ନଦୀରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ସୁନୈନା ଦେବୀ, ଜନାର୍ଦ୍ଦନ ଗୋଣ୍ଡଙ୍କ ପତ୍ନୀ। ସେ ବକ୍ସର ଜିଲ୍ଲାର ଇଟାଢ଼ି ଥାନା ଅଞ୍ଚଳର କପୁରପଟ୍ଟି ଗାଁର ବାସିନ୍ଦା। ସେ ଘରୁ ଔଷଧ କିଣିବା ପାଇଁ ବାହାରିଥିଲେ। ତେବେ ସେ କିପରି ନଦୀ ମଧ୍ୟକୁ ଚାଲିଗଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଦୁର୍ବଳ ହୋଇଛି ସ୍ମରଣଶକ୍ତି
ସୁନୈନା ଦେବୀଙ୍କ ପୁତୁରା ଗୋବିନ୍ଦ ଗୋଣ୍ଡ ଫୋନରେ କହିଛନ୍ତି ଯେ, ସୁନୈନା ଦେବୀ ତାଙ୍କ ବଡ଼ମା’। ତାଙ୍କର ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଛି। ସେ ଘରୁ ବାହାରିବା ସମୟରେ ଜ୍ୱର ଓ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହେଉଥିବା କହି କସହରା ବଜାରକୁ ଔଷଧ କିଣିବାକୁ ଯାଉଥିବା କହିଥିଲେ। କିନ୍ତୁ ବହୁ ସମୟ ବିତିଯିବା ପରେ ମଧ୍ୟ ସେ ଘରକୁ ଫେରି ନଥିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ସମସ୍ତ ସମ୍ପର୍କୀୟଙ୍କ ଘରଠାରୁ ଆରମ୍ଭ କରି ବାରାଣସୀ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। ତଥାପି ତାଙ୍କର କୌଣସି ସନ୍ଧାନ ମିଳି ନଥିଲା। ଶେଷରେ ଇଟାଢିଙ ଥାନାରେ ନିଖୋଜ ଅଭିଯୋଗ ଦାଖଲ କରାଯାଇଥିଲା। ପରେ ବଲିଆରେ ସୁନୈନା ଦେବୀ ମିଳିଥିବା ଖବର ପାଇବା ପରେ ପରିବାର ଲୋକେ ସେଠାକୁ ଯାଇ ତାଙ୍କୁ ଘରକୁ ଫେରାଇ ଆଣିଛନ୍ତି।
ପରିବାରକୁ ସୁରକ୍ଷିତ ହସ୍ତାନ୍ତର
ହଳଦୀ ଥାନା ଅଧିକାରୀ ରାଜୁ ରାୟ କହିଛନ୍ତି ଯେ, ସୁନୈନା ଦେବୀ ଘରୁ ଔଷଧ କିଣିବାକୁ ବାହାରିଥିଲେ। ଚୈନ ଛପରା ଗାଁର ଲୋକଙ୍କ ସୂଚନା ପାଇବା ପରେ ତାଙ୍କୁ ସୁରକ୍ଷିତ ଭାବେ ଥାନାକୁ ଅଣାଯାଇଥିଲା। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପରେ ପରିବାର ଲୋକଙ୍କୁ ଡାକି ସୁନୈନା ଦେବୀଙ୍କୁ ସୁରକ୍ଷିତ ଭାବେ ହସ୍ତାନ୍ତର କରାଯାଇଥିଲା।

1 week ago
10


