ARTICLE AD BOX
ଅବଶ୍ୟ ୨୦୧୪ ଓ ୨୦୧୫ ପରେ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରତିକାରମୂଳକ ପଦକ୍ଷେପ ଯୋଗୁଁ ନିଅଣ୍ଟିଆ ମୌସୁମୀଜନିତ କ୍ଷତି ସୀମିତ ହେବ ବୋଲି କୃଷି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି, ଯେଉଁଥିରେ ଅନ୍ତର୍ଭୁକ୍ତ: ଜଳସେଚନ ସଂପ୍ରସାରଣ, ଜଳ ପରିଚାଳନାରେ ଉନ୍ନତି, ମରୁଡ଼ି ପ୍ରତିରୋଧକ ବିହନ ବ୍ୟବହାର ଇତ୍ୟାଦି। ଆଶା, ସେମାନଙ୍କର ଅନୁମାନ ସତ୍ୟ ସାବ୍ୟସ୍ତ ହେବ ଏବଂ ମୌସୁମୀର ବିଦାୟ ବେଦନା ଆମ ପାଇଁ ଅସହନୀୟ ହେବ ନାହିଁ।
ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ୟତମ ‘ପ୍ରତିଷ୍ଠାତା ପିତା’ (‘ଫାଉଣ୍ଡିଙ୍ଗ ଫାଦର’) ତଥା ପଦାର୍ଥବିଜ୍ଞାନୀ, ଉଦ୍ଭାବକ, ଦାର୍ଶନିକ ରୂପେ ଖ୍ୟାତ ବେଞ୍ଜାମିନ୍ ଫ୍ରାଙ୍କଲିନ୍ଙ୍କର ଏକ ପ୍ରସିଦ୍ଧ ଉକ୍ତି ଅନୁସାରେ ‘‘କେବଳ ମୃତ୍ୟୁ ଓ ଟିକସ ବ୍ୟତୀତ ଏ ଦୁନିଆରେ ଆଉ କିଛିକୁ ନିଶ୍ଚିତ ବୋଲି କୁହାଯାଇ ପାରିବ ନାହିଁ।’’ ଫ୍ରାଙ୍କଲିନ୍ଙ୍କ ବହୁମୁଖୀ ପ୍ରତିଭା ଓ ଅନୁଭୂତି ସତ୍ତ୍ବେ ତାଙ୍କର ଭୌଗୋଳିକ ସୀମାବଦ୍ଧତା ଯୋଗୁଁ ସେ ସଂସାରରେ ଏ ଦୁଇ ନିଶ୍ଚିତତା ବାଦ୍ ଏକ ତୃତୀୟ ନିଶ୍ଚିତତା ସମ୍ବନ୍ଧରେ ଅଜ୍ଞ ଥିଲେ: ଭାରତୀୟ ମୌସୁମୀ ପ୍ରବାହ। ବେଞ୍ଜାମିନ୍ଙ୍କ ଆମେରିକାର ବୟସ ମାତ୍ର ଅଢ଼େଇଶହ ବର୍ଷ ହୋଇଥିବାବେଳେ ଭାରତୀୟ ସଭ୍ୟତା ମୁଖ୍ୟତଃ ଯାହାକୁ ଆଶ୍ରୟ କରି ବିଗତ ପ୍ରାୟ ନ’ ହଜାର ବର୍ଷ ଧରି ତିଷ୍ଠି ରହିଛି, ତାହା ହେଉଛି ମୌସୁମୀ ପ୍ରବାହର ଏଇ ନିଶ୍ଚିତତା। ଏହା ସତ ଯେ କେବେକେବେ ଏଇ ମୌସୁମୀ ବାହିତ ବୃଷ୍ଟିପାତରେ ଅଭାବ ବା ଆତିଶଯ୍ୟ ଦେଖାଦେଇଥାଏ, କିନ୍ତୁ ତା’ର ଜୁନ୍-ସେପ୍ଟେମ୍ବର ଆଗମନ-ପ୍ରସ୍ଥାନ ସମୟ ନିର୍ଘଣ୍ଟରେ କୌଣସି ବ୍ୟତିକ୍ରମ ଘଟିବା ଅତ୍ୟନ୍ତ ବିରଳ ହୋଇଥାଏ।
ସେଇ ଧାରାର ଅଂଶସ୍ବରୂପ ବର୍ତ୍ତମାନ ଭାରତରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରସ୍ଥାନ ପ୍ରକ୍ରିୟା ଆରମ୍ଭ ହୋଇଯିବା ପରିଲକ୍ଷିତ ହୋଇଛି। ପ୍ରଥମେ ରାଜସ୍ଥାନର ପଶ୍ଚିମାଞ୍ଚଳରୁ ଏଇ ପ୍ରସ୍ଥାନ ପ୍ରକ୍ରିୟା ଆରମ୍ଭ ହେବା ପେର ବର୍ତ୍ତମାନ ଦେଶର ଉତ୍ତର-ପଶ୍ଚିମାଞ୍ଚଳ ଓ କେନ୍ଦ୍ରାଞ୍ଚଳରେ ଏଇ ପ୍ରକ୍ରିୟାର ପ୍ରଭାବ ଅନୁଭୂତ ହେବାକୁ ଆରମ୍ଭ କଲାଣି। ଅନତି ବିଳମ୍ବେ ମୌସୁମୀ ପୂର୍ବ ଓ ଦକ୍ଷିଣ ଭାରତରୁ ମଧ୍ୟ ବିଦାୟ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଗଲାଣି। ଏଇ ପ୍ରକ୍ରିୟା ସମାପ୍ତ ହୋଇ ଚଳିତ ଋତୁ ପାଇଁ େମୗସୁମୀ ଆମମାନଙ୍କ ସହିତ ସଂପର୍କ ସଂପୂର୍ଣ୍ଣ ଭାବରେ ଛିନ୍ନ କରି ଚାଲିଯିବାର ଗତାନୁଗତିକ ସମୟ ସୀମା ହେଉଛି ଅକ୍ଟୋବର ୧୫ ତାରିଖ। ଏହାର କିଛି ଦିନ ପରେ ଯାଇ ଭାରତୀୟ ଆକାଶରେ ଆଉ ଏକ ବର୍ଷାବାହୀ ମୌସୁମୀର ବାଦଲମାନଙ୍କର ଆବିର୍ଭାବ ଘଟିବ- ଉତ୍ତର-ପୂର୍ବ ମୌସୁମୀ।
ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରସ୍ଥାନ ସମୟ ଉପନୀତ ହେବା ସହିତ ତା’ର ଚଳିତ ଗସ୍ତ ସମୟରେ ସେ ଆମ ପାଇଁ ଆଣିଥିବା ଉପହାର-ବୃଷ୍ଟିପାତର ଆକଳନ କରାଯିବା ସ୍ବାଭାବିକ, କାରଣ ଦେଶରେ ଖରିଫ ଫସଲର ଭାଗ୍ୟ ମୁଖ୍ୟତଃ ଏହା ଉପରେ ନିର୍ଭର କରିଥିବାବେଳେ ରବି ଫସଲ ପାଇଁ ଏହା ମଧ୍ୟ ଏକ ଅନୁକୂଳ କିମ୍ବା ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଥାଏ। ଆଉ ଏଥର ‘ଏଲ୍ ନିନୋ’ର ପ୍ରଭାବ ଯୋଗୁଁ ମୌସୁମୀ ବୃଷ୍ଟିପାତରେ ଅନିୟମିତତା ଦେଖା ଦେବ ବୋଲି ପୂର୍ବରୁ ପାଣିପାଗ ବିଶେଷଜ୍ଞମାନେ ଯେଉଁ ଆଶଙ୍କା ପ୍ରକାଶ କରି ଆସୁଥିଲେ, ବର୍ତ୍ତମାନ ତାହା ସତ୍ୟ ସାବ୍ୟସ୍ତ ହୋଇଛି ବୋଲି ଜଣାପଡ଼ିଲାଣି। ଚଳିତ ଋତୁରେ ଦେଶରେ ଏ ପର୍ଯ୍ୟନ୍ତ ଯେଉଁ ପୁନଃପୌନିକ ବୃଷ୍ଟିପାତ ଘଟିଛି, ତାହା ଦୀର୍ଘକାଳୀନ ହାରାହାରି ବୃଷ୍ଟିପାତ ତୁଳନାରେ ପ୍ରାୟ ୧୫ ଶତାଂଶ କମ୍ ହୋଇଥିବା ରେକର୍ଡ କରାଯାଇଛି।
ଏହା କିନ୍ତୁ ଏକ ହାରାହାରି ପରିସଂଖ୍ୟାନ ହୋଇଥିବାବେଳେ ଏଇ ଋତୁରେ ଦେଶର କେତେକ ରାଜ୍ୟରେ ବୃଷ୍ଟିପାତର ମାତ୍ରା ଏହାଠାରୁ ବହୁ ଅଧିକ କିମ୍ବା କମ୍ ହୋଇଥିବା ଦେଖାଯାଇଛି। ଉଦାହରଣ ସ୍ବରୂପ ଚଉଦଟି ରାଜ୍ୟରେ ବୃଷ୍ଟିପାତ ନିଅଣ୍ଟର ମାତ୍ରା ୨୦ ଶତାଂଶରୁ ଅଧିକ ହୋଇଥିବାବେଳେ ଓଡ଼ିଶା ପରି ରାଜ୍ୟରେ ୨୫ ସେପ୍ଟେମ୍ବର ସୁଦ୍ଧା ଦୀର୍ଘକାଳୀନ ହାରାହାରି ଠାରୁ ୨୯ ଶତାଂଶ ଅଧିକ ବୃଷ୍ଟିପାତ ଘଟିଛି। ଦେଶରେ ସେପ୍ଟେମ୍ବରରେ ମଧ୍ୟ ନର୍ମାଲ ଠାରୁ କମ୍ ବୃଷ୍ଟିପାତ ଘଟିଥିବାରୁ ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ସମଗ୍ର ଋତୁ ପାଇଁ ବୃଷ୍ଟିପାତରେ ୧୩ରୁ ୧୬ ଶତାଂଶ ପର୍ଯ୍ୟନ୍ତ ନିଅଣ୍ଟ ଘଟିବାକୁ ଯାଉଛି। ଏହା ଇତିହାସର ପୁନରାବୃତ୍ତି ଭଳି ମନେ ହୋଇଥାଏ। ପ୍ରାୟ ଏକ ଦଶନ୍ଧି ତଳେ ‘ଏଲ୍ ନିନୋ’ ପ୍ରଭାବରେ ଲାଗ ଲାଗ ଦୁଇ ବର୍ଷ ଧରି ନିଅଣ୍ଟିଆ ବୃଷ୍ଟିପାତ ପରିଦୃଷ୍ଟ ହୋଇଥିଲା: ୨୦୧୪ରେ ଏଇ ନିଅଣ୍ଟର ମାତ୍ରା ୧୨ ଶତାଂଶ ହୋଇଥିବାବେଳେ, ୨୦୧୫ରେ ତାହା ହୋଇଥିଲା ୧୪ ଶତାଂଶ।
ବର୍ତ୍ତମାନ ବୃଷ୍ଟିପାତରେ ଯେଉଁ ଅନୁରୂପ ନିଅଣ୍ଟ ଦେଖାଦେଇଛି, ତାହା ମରୁଡ଼ି ପରିସ୍ଥିତି ସୃଷ୍ଟି କରିବା ପାଇଁ ଯଥେଷ୍ଟ ହୋଇଥାଏ। ବାସ୍ତବରେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ଦେଶର ପ୍ରମୁଖ କୃଷି ଉତ୍ପାଦନକାରୀ ରାଜ୍ୟମାନଙ୍କରେ ଏଥିଯୋଗୁଁ ସୃଷ୍ଟ ଗୁରୁତର ପରିସ୍ଥିତି ସେଠାରେ ଏବେ ମୁଖ୍ୟ ରାଜନୈତିକ ପ୍ରସଙ୍ଗର ରୂପ ପରିଗ୍ରହଣ କରିସାରିଲାଣି। ଏଇ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମିତ୍ତ କେନ୍ଦ୍ର ସରକାରଙ୍କ ଠାରୁ ସହାୟତା ଲାଭ କରିବା ଉଦ୍ଦେଶ୍ୟରେ ମହାରାଷ୍ଟ୍ର ସରକାର ବିଧିବଦ୍ଧ ଭାବରେ ମରୁଡ଼ିଜନିତ ଫସଲହାନିର ଆକଳନ କରିବା ଆରମ୍ଭ କରିଦେଲେଣି। ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଭାବିତ ଅଞ୍ଚଳ ଗସ୍ତ କରି ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ପରେ ରାଜ୍ୟର ୭୪ ଶତାଂଶ ଅର୍ଥାତ୍ ପ୍ରାୟ ତିନି-ଚତୁର୍ଥାଂଶ ଅଞ୍ଚଳକୁ ସରକାର ମରୁଡ଼ି ପ୍ରପୀଡ଼ିତ ରୂପେ ଘୋଷଣା କରିସାରିଲେଣି। ତତ୍କ୍ଷଣାତ୍ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ଏଭଳି ସମୟୋଚିତ ମରୁଡ଼ି ପରିସ୍ଥିତି ଘୋଷଣା ଆବଶ୍ୟକ ହୋଇଥାଏ।
ଭାରତୀୟ କୃଷି ସହିତ ମୌସୁମୀର ସଂପର୍କକୁ କଟାକ୍ଷ କରି ଚିରାଚରିତ ଭାବରେ କୁହା ହୋଇଆସିଛି: ଭାରତୀୟ କୃଷି ହେଉଛି ମୌସୁମୀର କ୍ରୀଡ଼ନକ। ଏଠାରେ କୃଷି ଆବଶ୍ୟକ କରୁଥିବା ଜଳ ପାଇଁ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବା ହେତୁ ତାହା ପ୍ରତି ଏଭଳି ମନ୍ତବ୍ୟ ପ୍ରୟୋଗ କରାଯାଇଥାଏ। ଇତିମଧ୍ୟରେ ସ୍ବାଧୀନତାର ୭୫ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ଭାରତୀୟ କୃଷିର ଏଇ ବର୍ଷା-ନିର୍ଭରଶୀଳ ଚରିତ୍ରରେ ବିଶେଷ ଉନ୍ନତି ଘଟିନାହିଁ। ଯଦିବା ନିଅଣ୍ଟିଆ ବୃଷ୍ଟିପାତ ଯୋଗୁଁ ଏ ପର୍ଯ୍ୟନ୍ତ ଏକ ଦେଶବ୍ୟାପୀ ମରୁଡ଼ି ପରିଦୃଷ୍ଟ ହୋଇନାହିଁ, ଏହା ଦେଶର ୨୫ ଶତାଂଶ ଅର୍ଥାତ୍ ଏକ-ଚତୁର୍ଥାଂଶ ଜିଲ୍ଲାରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି କରିଛି ବୋଲି ଆଶଙ୍କା ପ୍ରକାଶ ପାଇଛି।
ଏଇ ମୌସୁମୀ ଋତୁରେ ବୃଷ୍ଟିର କାଳଗତ ବଣ୍ଟନରେ ମଧ୍ୟ ଅସମତା ପରିଲକ୍ଷିତ ହୋଇଛି। ଉଦାହରଣ ସ୍ବରୂପ ଋତୁ ଆରମ୍ଭ ସମୟରେ ଜୁନ୍ରେ ବୃଷ୍ଟିପାତରେ ୩୬.୫ ଶତାଂଶ ନିଅଣ୍ଟ ଘଟିଥିଲା, ଯେଉଁଥିପାଇଁ ଖରିଫ ଫସଲ ବୁଣାବୁଣି କିଛି ମାତ୍ରାରେ ବ୍ୟାହତ ହୋଇଥିଲା। ତେବେ ଜୁଲାଇ ଓ ଅଗଷ୍ଟ ଆରମ୍ଭ ସମୟରେ ବୃଷ୍ଟିପାତରେ ବୃଦ୍ଧି ଯୋଗୁଁ ପରିସ୍ଥିତିରେ ଉନ୍ନତି ଘଟିଥିଲା। ତଥାପି ରିପୋର୍ଟ ଅନୁସାରେ ମୁଖ୍ୟ ଖରିଫ ଫସଲ ଧାନ ଚାଷ ହୋଇଥିବା ଅଞ୍ଚଳର ଆୟତନରେ ପାଖାପାଖି ୪ ଶତାଂଶ ସଂକୋଚନ ଘଟିଥିବାବେଳେ ବୁଣାବୁଣି ଓ ରୁଆ-ରୋଇ ସମୟରେ ଜଳାଭାବ ଯୋଗୁଁ ଅମଳରେ ମଧ୍ୟ ହ୍ରାସ ଘଟିବ ବୋଲି ଆଶଙ୍କା କରାଯାଉଛି। ଅବଶ୍ୟ ୨୦୧୪ ଓ ୨୦୧୫ ପରେ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରତିକାରମୂଳକ ପଦକ୍ଷେପ ଯୋଗୁଁ ନିଅଣ୍ଟିଆ ମୌସୁମୀଜନିତ କ୍ଷତି ସୀମିତ ହେବ ବୋଲି କୃଷି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି, ଯେଉଁଥିରେ ଅନ୍ତର୍ଭୁକ୍ତ: ଜଳସେଚନ ସଂପ୍ରସାରଣ, ଜଳ ପରିଚାଳନାରେ ଉନ୍ନତି, ମରୁଡ଼ି ପ୍ରତିରୋଧକ ବିହନ ବ୍ୟବହାର ଇତ୍ୟାଦି। ଆଶା, ସେମାନଙ୍କର ଅନୁମାନ ସତ୍ୟ ସାବ୍ୟସ୍ତ ହେବ ଏବଂ ମୌସୁମୀର ବିଦାୟ ବେଦନା ଆମ ପାଇଁ ଅସହନୀୟ ହେବ ନାହିଁ।

35 minutes ago
1


