ARTICLE AD BOX
ଲମ୍ବୋଦର ପ୍ରସାଦ ସିଂହ
ସବୁ କାଳର ଚିନ୍ତାନାୟକମାନେ ଶିକ୍ଷାକୁ ବ୍ୟକ୍ତିର ସୁନ୍ଦର ସୌମ୍ୟ ‘ବ୍ୟକ୍ତିତ୍ବ’ ଗଠନର କେବଳ ସର୍ବୋତ୍କୃଷ୍ଟ ନୁହେଁ ବରଂ ଏକମାତ୍ର ମାର୍ଗ ଭାବରେ ନିର୍ଣ୍ଣୟ କରି ଆସିଛନ୍ତି। କାରଣ ଶିକ୍ଷା ହିଁ ରୋଷେଇ ଘରଠାରୁ ପରୀକ୍ଷାଗାର ପର୍ଯ୍ୟନ୍ତ, ଚାଷ କ୍ଷେତରୁ ମହାକାଶ ଗବେଷଣା କେନ୍ଦ୍ର ପର୍ଯ୍ୟନ୍ତ, କମାରଶାଳଠାରୁ ସେମିକଣ୍ଡକ୍ଟର କାରଖାନା ପର୍ଯ୍ୟନ୍ତ, ମା’ର ସ୍ତନ୍ୟ ପାନଠାରୁ ବାୟୋଟେକ୍ନୋଲୋଜି (ଜୀବ ପ୍ରଯୁକ୍ତିବିଦ୍ୟା) ପର୍ଯ୍ୟନ୍ତ, ଛୋଟ ଛୁଆର ଅବୁଝା କଥା ଓ ସଙ୍ଗତି-ଶୂନ୍ୟ ହାତଗୋଡ଼ ହଲାଠାରୁ ଶାସ୍ତ୍ରୀୟ ନୃତ୍ୟ-ସଙ୍ଗୀତ ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ବିଦ୍ୟମାନ ଥାଏ। ଦୁଃଖର କଥା, ଆମ ଦେଶରେ ‘ଆମ ଶିକ୍ଷା ପଦ୍ଧତି ଚରିତ୍ର ଗଠନରେ ସହାୟକ ହେଉ ନାହିଁ’, ‘ଆମ ଶିକ୍ଷା ବ୍ୟବସ୍ଥା କେବଳ ଘୋଷିବା ଶିଖାଉଛି, ସୃଜନଶୀଳ କରାଉ ନାହିଁ’, ‘କେବଳ ଚାକିରିଆ ସୃଷ୍ଟି କରାଉଛି, ଉଦ୍ଯୋଗ ପ୍ରବୃତ୍ତି ସୃଷ୍ଟି କରାଉ ନାହିଁ’ ଭଳି ବିଭିନ୍ନ ପ୍ରକାର ଦୋଷରେ ଅଭିଯୁକ୍ତ, ଯେଉଁ କାରଣରୁ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ନଁାରେ ଶିକ୍ଷାନୀତି ପରେ ଶିକ୍ଷାନୀତି ଅଣାଯାଉଛି। ତା’ ସତ୍ତ୍ବେ ଶିକ୍ଷାର ଗୁଣବତ୍ତା ରସାତଳଗାମୀ ହେବାରେ ଲାଗିଛି ବୋଲି ‘ଏନ.ଆଇ.ଟି.ଆଇ.’ ଆୟୋଗର ସଦ୍ୟତମ ରିପୋର୍ଟ କହୁଛି। ୧୯୬୬ର କୋଠାରୀ କମିସନ ଶିକ୍ଷା ବଜେଟକୁ ଜି.ଡି.ପି.ର ୬%କୁ ବୃଦ୍ଧି କରିବାର ସୁପାରିସ କରିଥିଲେ। କିନ୍ତୁ, ୨୦୦୯ ମସିହାରେ ଶିକ୍ଷା ଅଧିକାର ଆଇନ ଆସିବା ପରେ ବି ପ୍ରତ୍ୟେକ ବିଦ୍ୟାଳୟରେ ଭିତ୍ତିଭୂମି ଓ ଶିକ୍ଷକ ବ୍ୟବସ୍ଥା ସମ୍ଭବ ହୋଇପାରିନାହିଁ। ୨୦୧୪ରୁ ୨୦୨୪ ମଧ୍ୟରେ, ଉପସ୍ଥାନ କମ୍ ଅଛି ବୋଲି ଦର୍ଶାଇ ୯୪,୦୦୦ଟି ସରକାରୀ ବିଦ୍ୟାଳୟ ବନ୍ଦ କରାଯାଇଛି। ଜାତୀୟ ସ୍ତରରେ ସମୁଦାୟ ଦଶ ଲକ୍ଷ ବିଦ୍ୟାଳୟରେ ପ୍ରାୟ ଦଶ ଲକ୍ଷ ଶିକ୍ଷକ ପଦ ଖାଲି ପଡ଼ିଥିବାବେଳେ ଓଡ଼ିଶାର ସମୁଦାୟ ୬୧ ହଜାର ବିଦ୍ୟାଳୟରେ ପ୍ରାୟ ୪୫,୦୦୦ ଶିକ୍ଷକ ପଦ ଖାଲି ପଡ଼ିଛି।
ଏଭଳି ଉଦ୍ବେଗଜନକ ସ୍ଥିତିରେ ଜାତୀୟ ତଥା ପ୍ରାଦେଶିକ ସ୍ତରରେ ପ୍ରବେଶିକା ଓ ନିଯୁକ୍ତି ପରୀକ୍ଷା କ୍ଷେତ୍ରରେ ପ୍ରଶ୍ନପତ୍ର ଲିକ୍ ହୋଇ ସାଂଘାତିକ ସମସ୍ୟା ସୃଷ୍ଟି କରୁଛି। ୨୦୨୬ ‘ୟୁ.ଜି. ନିଟ୍’ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ୨୨-୨୩ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଦ୍ବିତୀୟ ଥର ପରୀକ୍ଷା ଦେବାକୁ ପଡ଼ିଲା। ମାନସିକ ଚାପଗ୍ରସ୍ତ ହୋଇ ଅନ୍ୟୂନ ୧୨ ଜଣ ପରୀକ୍ଷାର୍ଥୀ ଆତ୍ମହତ୍ୟା କଲେ। ନିକଟ ଅତୀତରେ କେତୋଟି ପ୍ରମୁଖ ପରୀକ୍ଷା ବିଭ୍ରାଟ ମଧ୍ୟରେ ରହିଛି ମଧ୍ୟପ୍ରଦେଶର ୨୦୧୩ ମସିହାର ବ୍ୟାପମ୍ ଦୁର୍ନୀତି, ୨୦୨୧ର ରାଜସ୍ଥାନର ଶିକ୍ଷକ-ଯୋଗ୍ୟତା ପରୀକ୍ଷା, ୨୦୨୪ ଉତ୍ତରପ୍ରଦେଶର ପୁଲିସ କନେଷ୍ଟବଳ ନିଯୁକ୍ତି ପରୀକ୍ଷା, ୨୦୨୨ ବିହାର ଜନସେବା ଆୟୋଗ ସମ୍ମିଳିତ ପ୍ରତିଯୋଗିତାମୂଳକ ପରୀକ୍ଷା, ପଶ୍ଚିମବଙ୍ଗ ବିଦ୍ୟାଳୟ ଶିକ୍ଷକ ଆୟୋଗ ପରୀକ୍ଷା, ୨୦୨୬ର ମହାରାଷ୍ଟ୍ର ଶିକ୍ଷକ-ଯୋଗ୍ୟତା ପରୀକ୍ଷା, ଓଡ଼ିଶାର ୨୦୨୪-୨୫ ପୁଲିସ ସେବା ପରୀକ୍ଷା, ୨୦୧୯ ଓ ୨୦୨୫ ଶିକ୍ଷକ-ଯୋଗ୍ୟତା ପରୀକ୍ଷା ଇତ୍ୟାଦି। ଏଥି ସହିତ ଆମ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ପାଠ୍ୟପୁସ୍ତକରେ ମାଳମାଳ ତ୍ରୁଟି ଏକ ହାସ୍ୟାସ୍ପଦ ଓ ଅପମାନଜନକ ଉଦାହରଣ ସୃଷ୍ଟି କରିଛି। ଏ ସମସ୍ତ ବିଭ୍ରାଟ ବିଭାଗୀୟ ମନ୍ତ୍ରୀ ଓ ଅମଲାମାନଙ୍କର ଦାୟିତ୍ବହୀନତା, ଅଯୋଗ୍ୟତା ଓ ଶିକ୍ଷା-ବିମୁଖତାର ମିଶ୍ରିତ ଫଳ।
ସରକାରୀ ଶିକ୍ଷା ବ୍ୟବସ୍ଥାର ଦୟନୀୟ ସ୍ଥିତିରୁ ରକ୍ଷା ପାଇବା ଆଶାରେ ଲୋକମାନେ ଘରୋଇ ଶିକ୍ଷା ବ୍ୟବସ୍ଥାର ଆଶ୍ରୟ ନେଉଛନ୍ତି। ଏଥିରୁ ଫାଇଦା ଉଠାଇ ଘରୋଇ ଶିକ୍ଷା ବ୍ୟବସ୍ଥା ଶିକ୍ଷାଦାନକୁ ଏକ ବିରାଟ ବ୍ୟବସାୟର ରୂପ ଦେଇ ସାରିଲାଣି। ଆମ ଦେଶରେ ଘରୋଇ ବିଦ୍ୟାଳୟ ସଂଖ୍ୟା ପ୍ରାୟ ୩୦% ହୋଇଥିବାବେଳେ, ପ୍ରାୟ ୪୦% ପିଲା ଏହି ବିଦ୍ୟାଳୟଗୁଡ଼ିକରେ ପଢୁଛନ୍ତି। ୨୦୦୫-୦୬ ମସିହାରେ ସହରାଞ୍ଚଳରେ ୫୮% ପିଲା ଘରୋଇ ବିଦ୍ୟାଳୟରେ ପଢୁଥିବାବେଳେ ୨୦୨୫-୨୬କୁ ଏହା ୭୦%କୁ ବଢ଼ିଛି। ଗ୍ରାମାଞ୍ଚଳରେ ଏହି ସମୟ ମଧ୍ୟରେ ଘରୋଇ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ସଂଖ୍ୟା ୧୭%ରୁ ବଢ଼ି ଦୁଇ ଗୁଣ ଅର୍ଥାତ୍ ୩୪% ହେଲାଣି। ଘରୋଇ ଅନୁଷ୍ଠାନଗୁଡ଼ିକ ଉପରେ ସରକାରଙ୍କର ବିଶେଷ ନିୟନ୍ତ୍ରଣ ନ ଥାଏ। ପୁଣି ଅନେକ କ୍ଷେତ୍ରରେ ସରକାରୀ କଳର ମନ୍ତ୍ରୀ ଓ ପ୍ରଭାବଶାଳୀ ଲୋକେ ଘରୋଇ ଶିକ୍ଷା ଉଦ୍ୟୋଗ ସହିତ ପ୍ରତ୍ୟକ୍ଷ ଓ ପ୍ରଚ୍ଛନ୍ନ ଭାବେ ସଂପୃକ୍ତ ଥିବାରୁ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଯଥେଚ୍ଛାଚାରୀ ହୋଇ ପଡୁଛନ୍ତି। ଏଣେ, ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢୁଥିବା ପିଲାମାନେ ଶିକ୍ଷକ ଓ ଭିତ୍ତିଭୂମି ଅଭାବଜନିତ ଶୂନ୍ୟତା ଭରଣା କରିବା ପାଇଁ ଘରୋଇ ଟ୍ୟୁସନ ବା କୋଚିଂ ସେଣ୍ଟରଗୁଡ଼ିକର ସହାୟତା ନେଉଛନ୍ତି। ତେଣୁ ଘରୋଇ ଶିକ୍ଷା ସଂସ୍ଥାଗୁଡ଼ିକ ହିଁ ପ୍ରାୟତଃ ଶିକ୍ଷାଦାନ ବ୍ୟବସ୍ଥାର ମଞ୍ଜ ହେବାକୁ ବସିଲେଣି। ଫଳତଃ ଶିକ୍ଷା ଖର୍ଚ୍ଚ ଅତ୍ୟଧିକ ଭାବରେ ବୃଦ୍ଧି ପାଇଛି। ତେଣୁ ବୋଧ ହେଉଛି ଯେ ଶିକ୍ଷା ବ୍ୟବସ୍ଥାର ଘରୋଇକରଣ ହେଉଛି ସରକାରୀ କଳର ଏକ ସୂକ୍ଷ୍ମ ଷଡ଼୍ଯନ୍ତ୍ର। ବର୍ତ୍ତମାନ କୋଚିଂ ଶିକ୍ଷା ହେଉଛି ଏକ ଅତି ବିଶାଳ ଉଦ୍ୟୋଗ। ଏବଂ ପରୀକ୍ଷା ବିଭ୍ରାଟ ପଛରେ ଏହି ଉଦ୍ୟୋଗର କିଛି ଅପତତ୍ତ୍ବଙ୍କ ହାତ ଥିବା ବିଷୟ ଏବେ ସ୍ପଷ୍ଟ ହେଲାଣି। ଯେଉଁ ପର୍ଯ୍ୟନ୍ତ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ - ପ୍ରାଥମିକଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ - ପୁନର୍ବିନ୍ୟସ୍ତ ଓ ସୁସଂଗଠିତ ନ ହୁଅନ୍ତି, ସେ ପର୍ଯ୍ୟନ୍ତ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିବାର ଆଶା କ୍ଷୀଣ।
ଶିକ୍ଷା ବ୍ୟବସ୍ଥା ଶୋଚନୀୟ ହେବା ପଛରେ ଅନେକ କାରଣ ଅଛି। ତହିଁରୁ ପ୍ରମୁଖଟି ହେଲା, ଜାତୀୟ ତଥା ପ୍ରାଦେଶିକ ସ୍ତରରେ ମନ୍ତ୍ରିମଣ୍ଡଳଗୁଡ଼ିକରେ ଶୈକ୍ଷିକ ଯୋଗ୍ୟତାର କ୍ରମାଗତ ହ୍ରାସ। ଏଥିରେ ଶିକ୍ଷା ଓ ଗବେଷଣା ପ୍ରତି ସମ୍ମାନ ନଥାଏ। ମନ୍ତ୍ରୀମାନେ ଅମଲାମାନଙ୍କ ସହାୟତାରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପ, ନଗର ଉନ୍ନୟନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଭଳି ବିଭାଗଗୁଡ଼ିକୁ ପରିଚାଳନା କରୁଛନ୍ତି। କୌଣସି କ୍ଷେତ୍ରରେ ବିଭାଗୀୟ ବିଶେଷଜ୍ଞମାନଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳୁନାହିଁ। ଦ୍ବିତୀୟତଃ ପ୍ରାକ୍ ବିଜେପି ଶାସନ କାଳରେ ପ୍ରଭାବଶାଳୀ ଲୋକଙ୍କ ସଂପର୍କୀୟ ବା ବାମପନ୍ଥୀ ଚିନ୍ତାଧାରା ସଂପନ୍ନ ବ୍ୟକ୍ତିମାନଙ୍କର ଉଚ୍ଚ ପଦ-ପଦବିରେ ଅଧିଷ୍ଠିତ ହେବାର ପରମ୍ପରା ନେଇ ଯେଉଁ ଅଭିଯୋଗ ଥିଲା, ବର୍ତ୍ତମାନ ତାହା ଚାଲିଛି, ଖାଲି ଯାହା ବାମପନ୍ଥୀ ଓ ଉଦାରବାଦୀଙ୍କ ସ୍ଥାନ ନେଇଛନ୍ତି ଦକ୍ଷିଣପନ୍ଥା ଅନୁସରଣ କରୁଥିବା ବ୍ୟକ୍ତିବିଶେଷ। ତେଣୁ ଶିକ୍ଷାକୁ ପନ୍ଥୀୟ ଓ ଦଳୀୟ ରାଜନୀତି କଳୁଷିତ କରୁଛି। ତୃତୀୟତଃ, ଆମ ଗଣତନ୍ତ୍ରରେ ଜନପ୍ରତିନିଧି ଓ ପଦସ୍ଥ ଅମଲାମାନେ ସାମନ୍ତବାଦୀ ଶାସନର ସୂତ୍ରଧର ହୋଇଛନ୍ତି, ଯେଉଁଠି ସେମାନେ ତ୍ରୁଟି ବିଚ୍ୟୁତି ଲାଗି ଉତ୍ତରଦାୟିତ୍ବ ନିଅନ୍ତି ନାହିଁ। ବେଳେ ବେଳେ ମନେ ହୋଇଥାଏ ଯେ ଶିକ୍ଷିତ ଓ ସଚେତନ ନାଗରିକ ସମାଜ ଏଭଳି ବ୍ୟବସ୍ଥାର କାଳେ ବିରୋଧ କରିବେ, ସେଥି ଲାଗି ସାର୍ବଜନୀନ ଶିକ୍ଷାକୁ ହିଁ ‘ମୂଳୁ ମାରିଲେ ଯିବ ସରି’ ନ୍ୟାୟରେ ହତ୍ୟା କରିବାର ଯୋଜନା ଚାଲିଛି।
ଗଣତନ୍ତ୍ରରେ ସମସ୍ତ ପ୍ରକାର ବ୍ୟାଧିର ପ୍ରତିକାର ଓ ପ୍ରତିଷେଧକ ଜନସାଧାରଣଙ୍କ ହାତରେ। ସେମାନେ ହିଁ ସାର୍ବଭୌମତ୍ବର ଅଧିକାରୀ। ନିର୍ବାଚନ ମାଧ୍ୟମରେ ସେମାନଙ୍କ ଦ୍ବାରା ପ୍ରଦତ୍ତ ଅଧିକାର ଆଧାରରେ ସରକାରଗୁଡ଼ିକ ଦେଶ ଚଳାଉଛନ୍ତି। ସେମାନଙ୍କ ଟିକସ ଅର୍ଥରେ ହିଁ ଦେଶ ଚାଲୁଛି। ତେଣୁ ଜନସାଧାରଣ ଜାତି, ଧର୍ମ, ବର୍ଣ୍ଣ, ବୟସ, ଶିକ୍ଷା, ଧନୀ-ଗରିବ ନିର୍ବିଶେଷରେ ନିଜ ନିଜର ଅଧିକାର ପ୍ରତି ସଚେତନ ହେବା ଅତ୍ୟନ୍ତ ଜରୁରି। ଶିକ୍ଷା ଅଧିକାର ଏକ ମୌଳିକ ଅଧିକ ହୋଇଥିବା ଦୃଷ୍ଟିରୁ ସେଥି ପ୍ରତି ଜନସାଧାରଣ ସଂପୂର୍ଣ୍ଣ ସଚେତନ ରହିବା ସର୍ବାଦୌ ଆବଶ୍ୟକ। ସମସ୍ତେ ମନେ ରଖିବା ଦରକାର ଯେ ଏକ ଉନ୍ନତ ସାର୍ବଜନୀନ ଶିକ୍ଷା ବ୍ୟବସ୍ଥା ପାଇଁ ସର୍ବାଧିକ ଆବଶ୍ୟକ ହେଲା ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟମାନୁମୋଦିତ ପୂର୍ଣ୍ଣ ବେତନପ୍ରାପ୍ତ ଶିକ୍ଷକ ଓ ଶିକ୍ଷା ଅଧିକାର ନିର୍ଦ୍ଦେଶାବଳୀ ଆଧାରରେ ଭିତ୍ତିଭୂମିର ଉପଲବ୍ଧତା। ତା’ ସହିତ ଶିକ୍ଷକମାନଙ୍କୁ ସମସ୍ତ ପ୍ରକାର ଅଶୈକ୍ଷିକ ଦାୟିତ୍ବରୁ ମୁକ୍ତ କରାଯିବା ଜରୁରି। ସେମିତି ସୁନିର୍ଦ୍ଦିଷ୍ଟ ଭାବେ ଉତ୍ତରଦାୟିତ୍ବର ସ୍ଥାପନର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ସ୍କୁଲ, କଲେଜ ଓ ସେଠାରେ ପାଠପଢ଼ାକୁ ନେଇ ସ୍ଥାନୀୟ ସ୍ତରରେ ନାଗରିକମାନଙ୍କ ଦ୍ବାରା ସାମାଜିକ ଅଡିଟ୍ କରାଯିବା ଓ ତ୍ରୁଟି ବିଚ୍ୟୁତି ଲାଗି ଉତ୍ତରଦାୟୀମାନଙ୍କୁ ପ୍ରଶ୍ନ କରାଯିବା ଆବଶ୍ୟକ। ଯେଉଁ ଦିନ ନାଗରିକମାନେ ସେମାନଙ୍କ ସନ୍ତାନସନ୍ତତି ଅର୍ଥାତ୍ ଉତ୍ତର ପିଢ଼ିର ଭବିଷ୍ୟତ ଲାଗି ସାର୍ବଜନୀନ ଶିକ୍ଷା ଅଧିକାର ଭଳି ମୌଳିକ ଅଧିକାର ପାଇବା ଲାଗି ଜିଦି କରିବେ, ସରକାରୀ ଶିକ୍ଷା ବ୍ୟବସ୍ଥା ଠିକଣା ବାଟକୁ ଫେରିବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୭୬୨୪୫୦୫

59 minutes ago
1


