ARTICLE AD BOX
ନୂଆଦିଲ୍ଲୀ: ଦେଶରେ ବିକ୍ରି ହେଉଥିବା ପାନ ମସଲାର ପ୍ଲାଷ୍ଟିକ୍ ପ୍ୟାକେଜିଂ ବ୍ୟବହାରକୁ ନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ ଏକ କଡ଼ା ନିୟମାବଳୀ ଜାରି କରାଯାଇଛି। ଏଫ୍ଏସ୍ଏସ୍ଏଆଇ ପାନ ମସଲା ପ୍ୟାକେଜିଂରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ସାମଗ୍ରୀକୁ ସଂପୂର୍ଣ୍ଣ ନିଷେଧ କରିବା ସହ ଏଥିପାଇଁ ନୂତନ ପ୍ୟାକେଜିଂ ଆବଶ୍ୟକତା ନିର୍ଦ୍ଧାରଣ କରିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଏହି ସର୍ବୋଚ୍ଚ ସଂସ୍ଥା ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ଠାରୁ ପାନ ମସଲା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ପ୍ୟାକେଜିଂ ପାଇଁ ପ୍ଲାଷ୍ଟିକ, ଆଲୁମିନିୟମ ଫଏଲ୍ ଆଦି ବ୍ୟବହାର କରିପାରିବେ ନାହିଁ। ଏହି ନୂତନ ପରିବର୍ତ୍ତନକୁ ବିଧିବଦ୍ଧ ଭାବେ ସାରା ଦେଶରେ ଲାଗୁ କରାଯାଇଛି। ପାନ ମସନା ପ୍ୟାକେଜିଂ ପାଇଁ ବିକଳ୍ପ ଭାବେ କେବଳ ଟିଣ, କିମ୍ବା କାଚ କଣ୍ଟେନର ବ୍ୟବହାର କରିବାକୁ ଏଫ୍ଏସ୍ଏସ୍ଏଆଇ ଅନୁମତି ଦେଇଛି।
ଏହି ନୂତନ ସଂଶୋଧନ ଅନୁଯାୟୀ, ପାନ ମସଲାକୁ ‘ଖାଦ୍ୟ ସୁରକ୍ଷା ଏବଂ ମାନକ (ପ୍ୟାକେଜିଂ) ନିୟମାବଳୀ, ୨୦୧୮’ ର ସୂଚୀ ୪ ଅଧୀନରେ ଏକ ନୂତନ ବିଷୟ ଭାବେ ସାମିଲ କରାଯାଇଛି। ଏଫ୍ଏସ୍ଏସ୍ଏଆଇର ନୂଆ ନିୟମ ଅନୁଯାୟୀ, ପାନ ମସଲା ପ୍ୟାକେଜିଂ ପାଇଁ କେବଳ ଟିଣ ଓ କାଚ ସ କାଗଜ , ପେପରବୋର୍ଡ କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ପଦାର୍ଥରୁ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର କରାଯାଇପାରିବ। ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ-ମୁକ୍ତ ହେବା ବାଧ୍ୟତାମୂଳକ।
ସରକାରୀ ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ପାନ ମସଲା ପ୍ୟାକେଜିଂରେ ପଲିଥିନ୍ , ପଲିପ୍ରୋପିଲିନ୍, ପଲିଷ୍ଟର, ପଲିଭିନିଲ୍ କ୍ଲୋରାଇଡ୍ (ପିଭିସି), କିମ୍ବା କୌଣସି ବି ପ୍ରକାରର ସିନ୍ଥେଟିକ୍ ପଲିମର କିମ୍ବା ଲାମିନେଟ୍ ବ୍ୟବହାର କରାଯାଇପାରିବ ନାହିଁ। ଏହା ସହିତ ପରିବେଶ ସୁରକ୍ଷା ଅଧିନିୟମ, ୧୯୮୬ ଅଧୀନରେ ପ୍ରଣିତ ‘ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୧୬’ର କେତେକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ମଧ୍ୟ ପାନ ମସଲା ପ୍ୟାକେଜିଂ ଉପରେ ସମାନ ଭାବେ ଲାଗୁ ହେବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

4 days ago
4


